କଣିହାଁ : କଣିହାଁ ବ୍ଲକ ସମଲ ଥାନା ଅନ୍ତର୍ଗତ ଶିପୁର ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି ।ପାରିବାରିକ କଲହକୁ କେନ୍ଦ୍ର କରି ବଡ଼ଭାଇ ରଞ୍ଜନ ବାରିକ(୨୨)କୁ ନିଜର ସାନ ଭାଇ ନିରଞ୍ଜନ ବାରିକ(୨୧) ଟାଙ୍ଗିଆରେ ହାଣି ଅତି ନିର୍ମମ ଭାବରେ ହତ୍ୟା କରିଛି l ଶନିବାର ମଧ୍ୟ ରାତ୍ରରେ ରଞ୍ଜନ ବାରିକ ଶୋଇଥିବା ସମୟରେ ଲାଇନ କାଟି ନିରଞ୍ଜନ ହତ୍ୟା କରିଥିଲା l ଖବର ପାଇ ସମଲ ପୋଲିସ ଘଟଣା ସ୍ଥଳରେ ପହଂଚି ସାଇଣ୍ଟିଫିକ ଟିମ ସାହାଯ୍ୟରେ ତଦନ୍ତ କରିବାସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି l
ରଞ୍ଜନ ବାରିକ ସ୍ତ୍ରୀର ଲିଖିତ ଅଭିଯୋଗ କ୍ରମେ ସମଲ ପୋଲିସ ଏକ ହତ୍ୟା ମୋକଦମା ରୁଜୁ କରିବସହ ଅଭିଯୁକ୍ତ ନିରଞ୍ଜନ ବାରିକକୁ ଅଟକ ରଖିଛି l ପୋଲିସ ସୁତ୍ରରୁ ପ୍ରକାଶ ଯେ ଉଭୟ ରଞ୍ଜନ ଓ ନିରଞ୍ଜନ ଶିପୁର ଗ୍ରାମରେ ଏକ ସାଲୁନ ଦୋକାନ ଦେଇଥିଲେ l ଶନିବାର ଦୋକାନରୁ ଫେରି ଟଙ୍କା ନେବ ଦେବାକୁ କେନ୍ଦ୍ର କରି ଦୁଇ ଭାଇଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା l ପରେ ରାତିରେ ବଡ ଭାଇ ରଞ୍ଜନ ଖାଇ ପିଇ ଶୋଇଥିଲା l ପାଟିତୁଣ୍ଡକୁ କେନ୍ଦ୍ର କରି କ୍ରୋଧରେ ଜଳୁଥିବା ସାନ ଭାଇ ନିରଞ୍ଜନ ରାତିରେ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା l ଉକ୍ତ ଘଟଣା ଅଂଚଳରେ ଗଭୀର ଆଲୋଡନ ସୃଷ୍ଟି କରିଛି l
