କନ୍ଧମାଳ,(ସ.ବ୍ୟୁ.): ଜମି ବିବାଦ ଯୋଗୁଁ ଦୀର୍ଘ ୫୦ ବର୍ଷହେଲା ଗୁମି ଗାଁକୁ ରାସ୍ତା ନିର୍ମାଣ ହୋଇ ପାରୁନଥିଲା। ନିକଟରେ ଗ୍ରାମର ହୋଇଥିବା ଏକ ବୈଠକରେ ଯେଉଁ ଜମିକୁ ନେଇ ବିବାଦ ଦେଖାଯାଇଥିଲା ଉକ୍ତ ଜମିର ମାଲିକ ରାସ୍ତା ପାଇଁ ଜମି ଛାଡ଼ିବାକୁ ରାଜି ହେବାପରେ ଏବେ ଗୁମି ଗ୍ରାମର ଖୁସିର ଲହରି ଖେଳିଯାଇଛି। କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ବ୍ଲକର ଉକ୍ତ ଜମିର ମାଲିକ ବାଲେଶ୍ୱର ମଲିକ ଏବଂ ତାଙ୍କ ପୁଅ ସଞ୍ଜୟ ମଲିକଙ୍କୁ ଖଜୁରିପଡ଼ା ବ୍ଲକ୍ ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।ଖଜୁରିପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରବୀନ୍ଦ୍ରନାଥ କହଁର , ବ୍ଲକ ଅଧ୍ୟକ୍ଷ ବୀରେନ୍ଦ୍ର କୁମାର କହଁର ଓ ଜିଲ୍ଲା ପରିଷଦ ସଭ୍ୟା ଅନୁରାଧ ସାହୁ ପ୍ରମୁଖ ଗ୍ରାମରେ ପହଞ୍ଚି ବାପ-ପୁଅଙ୍କୁ ସମ୍ମାନିତ କରିଥିଲେ। ପ୍ରକାଶ ଯେ, ଗୁମି ଗ୍ରାମରେ ପ୍ରାୟ ୨୫ ପରିବାର ବସବାସ କରିଥାନ୍ତି। କିନ୍ତୁ ଗ୍ରାମକୁ ନାହିଁ ସବୁ ଦିନିଆ ରାସ୍ତା। ଦାତପାଜୁ ଠାରୁ ଗୁମି ଗ୍ରାମର ଦୂରତା ହେଉଛି ମାତ୍ର ୨ କିଲୋମିଟର।
