କଣାସ ୨୦/୦୮/୨୦୨୨ : ଆଜିକୁ ୪ଦିନ ହେବ ବନ୍ୟା ଜଳରେ କଲବଲ ହେଲେଣି ୧୧ ପଞ୍ଚାୟତର ୫୦ ହଜାରରୁ ଉର୍ଦ୍ଧ୍ଵ ଲୋକ ।ଏଥି ମଧ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆକାଶ ମାର୍ଗରେ ସ୍ଥିତି ଅନୁଧ୍ୟାନ କରି ଯାଇଥିବା ବେଳେ ୧୫ଦିନ ପାଇ ରିଲିଫ୍ ଘୋଷଣା କରିଛନ୍ତି ।ଶୁକ୍ରବାର ଦିନ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀମତି ପ୍ରମିଳା ମଲ୍ଲିକ ଆଜି କଣାସ ବ୍ଲକ୍ ବିଭିନ୍ନ ପଞ୍ଚାୟତର ବନ୍ୟା ପରିସ୍ଥିତିର ସମୀକ୍ଷା କରିଛନ୍ତି ।ମକରା ନଦୀରେ ସୃଷ୍ଟି ହୋଇଥିବା ଘାଇ ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ତତ୍ ସହିତ ସମସ୍ତ ବନ୍ୟା ଅଞ୍ଚଳ ପରିଦର୍ଶନ କରି ଅସ୍ଥାୟୀ ବନ୍ୟା ଆଶ୍ରୟ ସ୍ଥଳୀରେ ଥିବା ଲୋକ ମାନଙ୍କ ନିକଟରେ ଆବଶ୍ୟକୀୟ ସରକାରୀ ସୁବିଧା ସୁଯୋଗ ଉପଲବ୍ଧ ହୋଇଛିକି ନାହିଁ ତାହାର ଅନୁଧ୍ୟାନ କରିବା ସହ ସେମାନଙ୍କର ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବା ନିମନ୍ତେ ପ୍ରଶାସନିକ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ସେ କହିଥିଲେ ଲୋକମାନଙ୍କୁ ମୋର ନିବେଦନ ସାହସ ଓ ଧୈର୍ଯ୍ୟର ସହ ବନ୍ୟା ମୁକାବିଲା କରନ୍ତୁ । ରାଜ୍ୟ ସରକାରଙ୍କ ପକ୍ଷରୁ ପୂର୍ଣ୍ଣ ମାତ୍ରାରେ ସବୁ ସମସ୍ୟାକୁ ସମାଧାନ କରାଯିବ ଓ ବନ୍ୟା ବିପନ୍ନଙ୍କୁ ସମ୍ପୂର୍ଣ ସହାୟତା ଯୋଗାଇଦିଆଯିବ ।ମୁଖ୍ୟମନ୍ତ୍ରୀ କହିଛନ୍ତି ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ ସେଥିପାଇଁ ରାଜ୍ୟ ସରକାର ବନ୍ୟା ବିପନ୍ନଙ୍କ ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି ।ସେପଟେ ଘାଇ ହେବା ଦ୍ଵାରା ଗଡବଡ଼ପୁଟ,ଗଡସାନପୁଟ, ଦିବ୍ୟସିହପୁର,ଚୁପୁରିଙ୍ଗ, ସାହୁପଡ଼ା,କାଦୁଆ, ବଡ଼ାଲ,ଡିଛିଆଁ, ଦେଇପୁର୍ ଆଦି ଗ୍ରାମରେ ବନ୍ୟା ଜଳ ପ୍ରବାହିତ ହେଉଛି ।ଯାହା ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।ସେପଟେ ନଦୀ କୂଳରେ ଥିବା ପଞ୍ଚାୟତ ଗୁଡ଼ିକ ହେଲା ଦୋକନ୍ଦା , ବଡ଼ାସ,ପାଣ୍ଡିଆକେରା,ଗଡ ବଳଭଦ୍ରପୁର ଓ ବଡ଼ାସ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେବା ସହ ଗାଁ ଓ ଘର ଭିତରେ ପାଣି ପଶିଛି ।ଲୋକମାନେ ୪ଦିନ ହେବ ଛାତ ଉପରେ ଆଶ୍ରୟ ନେଇଥିବା ବେଳେ ଦିନ ସାରା ଲଘୁଚାପ ବର୍ଷା ବୋଝ ଉପରେ ଲଳିତା ବିଡ଼ା ସଦୃଶ ହୋଇଛି ।ଯାତାୟତ ପାଇଁ ପ୍ରଶାସନ ପକ୍ଷରୁ ଡଙ୍ଗା ଯୋଗାଇ ଦିଆଯାଇଥିବା ବେଳେ ଦୁଇଦିନ ହେଲା ଶୁଖିଲା ଖାଦ୍ୟ ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆ ଯାଉଛି ।ରାଜସ୍ବ ମନ୍ତ୍ରୀଙ୍କ ଗ୍ରସ୍ଥ ସମୟରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ,ବିଡ଼ିଓ ଲୋଚନ ଦାସ,ତହସିଲଦାର ସ୍ମୃତି ରଞ୍ଜନ ଶତପଥୀ,କଣାସ ମେଡିକାଲ୍ ଅଫିସର ରମେଶ ଚନ୍ଦ୍ର ବେହେରା,ଦୋଛିଆଁ ସମିତିସଭ୍ୟା ସୁଭ୍ରାନ୍ତି ସାମନ୍ତରାୟ,କଣାସ ଥାନା ଅଧିକାରୀ ସୁଜିତ ଦାସ,ବିଜେଡି ଯୁବ ନେତା ବସନ୍ତ ଜେନା,ନବ କିଶୋର ଜେନା,ଦୋକନ୍ଦା ସରପଞ୍ଚ ଈଶ୍ୱର ହରିଚନ୍ଦନ,ଗଡସହି ସରପଞ୍ଚ ବିଭୂତି ବେବର୍ତ୍ତା ଓ ଅନେକ ଜନପ୍ରତିନିଧି ଏବଂ ସରକାରୀ କର୍ମଚାରୀ ଉପସ୍ଥିତ ଥିଲେ ।
