ବେତନଟୀ/ବୈଶିଙ୍ଗା : — ଗତ ସପ୍ତାହରେ ଲଘୁଚାପ ଜନିତ ବର୍ଷା କାରଣରୁ ବୁଢାବଳଙ୍ଗ ନଦୀରେ ବନ୍ୟାଜଳ ବିପଦ ସଙ୍କେତ ଟପି ନଥିଲେ ମଧ୍ୟ ନଦୀ ଦୁଇ ପାର୍ଶ୍ଵ ଅବବାହିକାର ତଳି ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିଥିବାରୁ ବନ୍ୟା ଆଶଙ୍କା ରେ ସେହି ଅଞ୍ଚଳର ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇ ରନ୍ଧା ଖାଦ୍ୟର ବ୍ୟବସ୍ଥା ମଧ୍ୟ କରାଯାଇଥିବା ଜଣାଯାଇଥିଲା। ମାତ୍ର ସେହି ଲଘୁଚାପ ଜନିତ ବର୍ଷା ଛାଡିବାର ୪ ଦିନ ପର୍ଯନ୍ତ ଖରା ହେବା ଯୋଗୁଁ ଜଳବନ୍ଦୀ ରେ ଥିବା ଧାନ ଚାଷ କିଛି ମାତ୍ରାରେ କ୍ଷତି ହୋଇଥିଲେ ମଧ୍ୟ ଧନଜୀବନ ହାନି ହୋଇ ନଥିଲା। ପୁଣି ୧୮ତାରିଖ ରାତିରୁ ଲଘୁଚାପ ସୃଷ୍ଟି ହେବା ସହ ଭାରତୀୟ ପାଣିପାଗ ବିଭାଗ ମୟୂରଭଞ୍ଜ ଜିଲ୍ଲା ପ୍ରତି ସତର୍କ ସୂଚନା ଜାରି କରିବା ଯୋଗୁଁ ଅଞ୍ଚଳବାସୀ ଭୟଭୀତ ହୋଇଯାଇଥିଲେ। ସତର୍କ ସୂଚନା ଅନୁଯାଇ ଜିଲ୍ଳା ର ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ଯୋଗୁଁ ବୁଢ଼ାବଳଙ୍ଗ ନଦୀ ସହିତ ବାରିପଦାର ଜରାଳି ଓ ସରାଳି ଉପନଦୀ ରେ ବନ୍ୟାଜଳ ବହୁ ପରିମାଣରେ ପ୍ରବାହିତ ହେବା ଫଳରେ ଶନିବାର ସନ୍ଧ୍ୟା ସୁଦ୍ଧା ନାଖରା ଠାରେ ବିପଦ ସଂକେତ ଉପରେ ଜଳ ପ୍ରବାହିତ ହେଉଥିବାର ଜଣାଯାଇଛି। ଆସନ୍ନ ବନ୍ୟା କୁ ଆଖି ଆଗରେ ରଖି ବେତନଟୀ ବିଡିଓ ସଂଗ୍ରାମ କେଶରୀ ପରିଡା ନିଜ ଟିମ୍ ସହିତ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ନାଖରା ପୋଲ ଉପରେ ରହି ସ୍ଥିତି ଅନୁଧ୍ୟାନ କରି ସମୀକ୍ଷା କରିଥିବାର ଜଣାଯାଇଛି। ତାଙ୍କ ସହିତ ପ୍ରାକ୍ତନ ବିଧାୟକ ଗଣେଶ୍ଵର ପାତ୍ର, ବେତନଟୀ ବ୍ଲକ ଉପାଧ୍ଯକ୍ଷ ଦେବଦତ୍ତ ତିଆଡି,ସମିତି ସଭ୍ୟ ରାକେଶ ମହାପାତ୍ର, ପ।ଟଳିପୁରା ସରପଞ୍ଚ , ଆର.ଆଇ., ସ୍ୱାସ୍ଥ୍ୟ ଅଧିକାରୀ, ଯୋଗାଣ ଅଧିକାରୀ ପ୍ରମୂଖ ସ୍ଥିତି ଅନୁଧ୍ୟାନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ନାଖରା ସ୍ଥିତ “ଫୋର୍ଡ”ର ସମ୍ପାଦକ ସନ୍ତୋଷ ଖଣ୍ଡା, ଅଶୋକ କୁମାର ପ୍ରଧାନ,ମିଟୁ ସାମଲ, ଜଗନ୍ନାଥ ଦାଶ, ଇଶ୍ଵର ମହାପାତ୍ର ପ୍ରମୂଖ ଉପସ୍ଥିତ ରହିଥିଲେ। ବନ୍ୟା ପ୍ରଭାବିତ ଅଞ୍ଚଳରେ ପ୍ରପୀଡ଼ିତଙ୍କ ପାଇଁ ଶୁଖିଲା ଖାଦ୍ୟ ଯଥା ଚୁଡ଼ା, ଗୁଡ, ବିସ୍କୁଟ,ପାଉଁରୁଟି,ସହ ନିତ୍ୟ ବ୍ୟବହାର୍ଯ୍ୟ ଦିଆସିଲି , ମହାମବତୀ , କିରୋସିନ, ପଲିଥିନ୍ ଆଦି ମହଜୁଦ୍ ରହିଥିବାର ବିଡିଓ ଶ୍ରୀ ପରିଡା ପ୍ରକାଶ କରିଥିଲେ।ସେହିପରି ବନ୍ୟା ପ୍ରପୀଡ଼ିତ ମାନଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବିଭାଗ, ଓଡ୍ରାଫ୍ ଟିମ୍ ଓ ସ୍ୱେଚ୍ଛାସେବୀ ସଙ୍ଗଠନମାନେ ପ୍ରସ୍ତୁତ ରହିଥିବା ଜଣାଯାଇଛି। ଆବଶ୍ୟକ ପଡିଲେ ପାୱର ବୋଟ୍ ମଧ୍ୟ ସାହାଯ୍ୟ କରିବାକୁ ପ୍ରସ୍ତୁତ ରହିଛି। ବାରିପଦାରେ ବୁଢାବଳଙ୍ଗ ର ଜଳ ସ୍ତର କମୁଥବାରୁ ତଳି ଅଞ୍ଚଳରେ ଭୟଭୀତ ହେବାର ଆଶଙ୍କା ନାହିଁ ବୋଲି ବିଡ଼ିଓ ପ୍ରକାଶ କରିଥିଲେ।
