କଣାସ ତା-୧୬/୦୬/୨୦୨୦ : ଏସବିଆଇ ଲାଇଫ ଇନ୍ସୁରାନ୍ସ କମ୍ପାନୀ କଣାସ ବ୍ଲକରେ ପ୍ରଥମଥର ପାଇଁ କାର୍ଯ୍ୟରତ କୋଭିଡ଼ ଯୋଦ୍ଧା ଙ୍କୁ ସୁରକ୍ଷା ଦେବାପାଇଁ ରାଜ୍ୟର ଅନ୍ୟତମ ଅଗ୍ରଣୀ ସ୍ବେଚ୍ଛାସେବୀ ସଂସ୍ଥା ଏକେଏସ୍ଏସ୍ ସହଯୋଗରେ ଅଣ୍ଟାଭିଡ଼ିଲା। ସଙ୍ଘରୋଧ କେନ୍ଦ୍ର ବା କ୍ୱାରେଣ୍ଟାଇନ କେନ୍ଦ୍ର ରେ କରୋନା ରୋଗୀଙ୍କୁ ସେବା ଯୋଗାଉଥିବା କର୍ମଚାରୀ ଯଥା ସଫେଇ କର୍ମଚାରୀ, ଆଶା,ଅଙ୍ଗନବାଡି କର୍ମଚାରୀ ସମେତ ସ୍ୱାସ୍ତ୍ୟକ୍ରମୀ ,ପୋଲିସ, ସମାଜସେବୀ, ସାମ୍ବାଦିକ ଓ ସରପଞ୍ଚ ମାନଙ୍କୁ ବ୍ୟକ୍ତିଗତ ସୁରକ୍ଷା ଉପକରଣ ପିପିଇ କିଟସ୍ ଯୋଗାଇଦିଆଯିବ।
ଆଜି ଏକେଏସ୍ଏସ୍ ପରିସରରେ ପିପିଇ କିଟସ୍ ବଣ୍ଟନ କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଏସବିଆଇ ଲାଇଫ ଇନ୍ସୁରାନ୍ସ ର ଆଞ୍ଚଳିକ ନିର୍ଦ୍ଦେଶକ ଅମୀତ କୁମାର ସାହା ଏବଂ ଆଞ୍ଚଳିକ ମ୍ୟାନେଜର ଦେବାଶୀଷ ସାହୁ ଶୁଭାରମ୍ଭ କରିଥିଲେ। କଣାସ ବ୍ଲକରେ ଆବଶ୍ୟକ ମୁତାବକ କରୋନା ଯୋଦ୍ଧା ଙ୍କ ସୁରକ୍ଷା ଉପକରଣ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ହୋଇ ପାରୁନଥିବାରୁ ଏହାକୁ ଅଗ୍ରାଧିକାର ଭିତ୍ତିରେ କଣାସ ବ୍ଲକରେ ହାତକୁ ନିଆଯାଇଛି।
ଏହି ପ୍ରକଳ୍ପରେ କଣାସ ବ୍ଲକର ୨୮ ଗୋଟି ପଞ୍ଚାୟତ କୁ ଅନ୍ତର୍ଭୁକ୍ତ କରାଯାଇଛି। ଦୋକନ୍ଦା ,ବଡାସ,ଗଡ଼ ବଳଭଦ୍ରପୁର ଓ ଚିପୁରିଙ୍ଗି ପଞ୍ଚାୟତରେ ୪୧ଜଣ କୁ ପିପିଇ କିଟସ୍ ଯୋଗାଇ ଦିଆଯାଇଛି। ଏହି କାର୍ଯ୍ୟକ୍ରମ ରେ ଦୋକନ୍ଦା ଗ୍ରାମ ପଞ୍ଚାୟତର ସରପଞ୍ଚ ସତ୍ୟଭମା ମାନସିଂହ , ଗଡ଼ ବଳଭଦ୍ରପୁର ପଞ୍ଚାୟତର ସରପଞ୍ଚ ସଂଗ୍ରାମ ପାଇକେରା ,ସାମ୍ବାଦିକ ସମୀର କେଶରୀ ବଳିୟାରସିଂହ, ରବୀନ୍ଦ୍ରନାଥ ରାଉତରାୟ, ରାଧାଶ୍ୟାମ ବିଶ୍ୱାଳ, ଏକେଏସ୍ଏସ୍ ର ସମ୍ପାଦକ ସୁବର୍ଣ୍ଣ କେଶରୀ ବଳିୟାରସିଂହ, କୃପାସିନ୍ଧୁ ପାଇକେରାୟ, ପ୍ରେମାନନ୍ଦ ଜାଲି ଓ ସୁଜାତା ବାହୁବଳେନ୍ଦ୍ର ପ୍ରମୁଖ ଯୋଗଦାନ କରିଥିଲା ବେଳେ ଏହି କାର୍ଯ୍ୟକ୍ରମକୁ କୋଭିଡ଼ ରିଲିଫ ମୁଖ୍ୟ ରଜନୀକାନ୍ତ ପାଢ଼ୀ, ସଂଯୋଜିକା ଗୌରୀ ଦାସ, ସଂଯୁକ୍ତା ପ୍ରଧାନ ଓ ଉପେନ୍ଦ୍ର କୁମାର ପରିଡ଼ା ପରିଚାଳନା କରିଥିଲେ।