ଭୋପାଳ/ ନୂଆଦିଲ୍ଲୀ: ମଧ୍ୟପ୍ରଦେଶକୁ କେନ୍ଦ୍ରକରି ଦେଶର ରାଜନୀତି ଏବେ ସରଗରମ ରହିଛି। ମଧ୍ୟପ୍ରଦେଶର କଂଗ୍ରେସ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ମନ୍ତ୍ରିମଣ୍ଡଳର ଛଅ ଜଣ ମନ୍ତ୍ରୀଙ୍କର ଇସ୍ତଫା ଗତକାଲି (ଶନିବାର) ଗୃହୀତ ହୋଇଯିବା ପରେ ରାଜ୍ୟପାଳ ଲାଲଜୀ ଟଣ୍ଡନ ବିଧାନସଭାର ବାଚସ୍ପତି ନର୍ମଦା ପ୍ରସାଦ ପ୍ରଜାପତିଙ୍କୁ ଏକ ପତ୍ର ଲେଖି ମାର୍ଚ୍ଚ ୧୬, ସୋମବାର ସୁଦ୍ଧା ବିଧାନସଭାରେ କମଲନାଥଙ୍କ ସରକାରର ସଂଖ୍ୟା ଗରିଷ୍ଠତାର ପରୀକ୍ଷା ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ବିଧାନସଭାରେ କଂଗ୍ରେସର ବିଧାୟକ ଥିବା ଜ୍ୟେତିରାଦିତ୍ୟ ସିନ୍ଧିଆଙ୍କ ୨୨ ଜଣ ସମର୍ଥକ ବିଧାୟକ ଏବେ ଦଳରୁ ଇସ୍ତଫା ଦେଇଦେବା ପରେ କମଲନାଥଙ୍କ ସରକାର ଏବେ ସଙ୍କଟ ମଧ୍ୟକୁ ଠେଲି ହୋଇଯାଇଛି।
ସୋମବାର ବିଧାନସଭାରେ ନିଜର ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବା ପୂର୍ବରୁ ଆଜି ଅପରାହ୍ଣରେ ମୁଖ୍ୟମନ୍ତ୍ରୀ କମଲନାଥ ଏକ ଜରୁରୀ କ୍ୟାବିନେଟ ବୈଠକ ଡକାଇ ସାଂପ୍ରତିକ ରାଜନୈତିକ ପରିସ୍ଥିତି ସଂପର୍କରେ ଆଲୋଚନା କରିବା ସହ ଆସନ୍ତାକାଲି ସଂଖ୍ୟାଗରିଷ୍ଠତା କାଳରେ ନେବାକୁ ଥିବା ରଣକୌଶଳ ସଂପର୍କରେ ଆଲୋଚନା କରିଛନ୍ତି।

ଅନ୍ୟପକ୍ଷରେ ରାଜ୍ୟ ବାହାରକୁ ପଳାଇ ଯାଇଥିବା ଉଭୟ କଂଗ୍ରେସ ଓ ବିଜେପିର ବିଧାୟକମାନେ ଆଜି ସକାଳୁ ଆସି ଭୋପାଳରେ ପହଞ୍ଚିବା ଆରମ୍ଭ କରିଛନ୍ତି। ଆସନ୍ତାକାଲି କମଲନାଥଙ୍କ ସରକାର ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ଥିବାବେଳେ ବରିଷ୍ଠ ବିଜେପି ନେତା ନରେନ୍ଦ୍ର ସିଂହ ତୋମାର, ଶିବରାଜ ସିଂହ ଚୌହାନ, ଧର୍ମେନ୍ଦ୍ର ପ୍ରଧାନ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି ନୂଆଦିଲ୍ଲୀ ଠାରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ତାଙ୍କ ବାସଭବନରେ ଭେଟିବା ଘଟଣା ଆଲୋଚନା ବିଷୟ ହୋଇଛି।

ତେବେ, କମଲନାଥଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଥିବା ସ୍ୱାଧୀନ ବିଧାୟକ ପ୍ରଦୀପ ଜୟସଓ୍ଵାଲ କହିଛନ୍ତି ଯେ ଅପେକ୍ଷାକର ଓ ଦେଖ। ଆମ ପାଖରେ ସଂଖ୍ୟା ଅଛି ଆଉ ଶେଷ ମୁହୂର୍ତ୍ତରେ ମାଷ୍ଟରଷ୍ଟ୍ରୋକ୍ ଖେଳି କମଲନାଥ ନିଜ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ବୋଲି କହିଛନ୍ତି ଶ୍ରୀ ଜୟସଓ୍ଵାଲ।