(ପ୍ରତାପ କୁମାର ସାହୁ )କାମାକ୍ଷାନଗର : ଯୁବତୀଙ୍କୁ କମେଣ୍ଟ ମରାକୁ କେନ୍ଦ୍ର କରି ଗାଁ ଦାଣ୍ଡରେ ହତ୍ୟାକାଣ୍ଡ । ଏଭଳି ଲୋମ ହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କଙ୍କଡ଼ାସୋଡା ଗାଁରେ । ଏଥିରେ ଦୁଇ ଗୋଷ୍ଠୀ ସଂଘର୍ଷରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ତେବେ ମୃତକ ଜଣଙ୍କ ଗାଁର ପୂର୍ଣ୍ଣଚନ୍ଦ୍ର ବାଇ ଏବଂ ଗୁରୁତର ଜଣଙ୍କ ତାଙ୍କର ପୁଅ ମୋହନ ବାଇ । ସୂଚନା ଅନୁଯାୟୀ , ମୋହନ ବାଇଙ୍କ ଝିଅ ପ୍ରତିଦିନ ପରଜଙ୍ଗ କଲେଜକୁ ପାଠ ପଢିବାକୁ ଯାଉଥିଲେ । ତେବେ ଗାଁର କିଛି ଯୁବକ ପ୍ରତିଦିନ ତାଙ୍କୁ କମେଣ୍ଟ ମାରୁଥିଲେ । ମାତ୍ର ସମ୍ପୃକ୍ତ ଯୁବତୀ ଜଣଙ୍କ ଏଥି ପ୍ରତି ଧ୍ୟାନ ଦେଉନଥିଲେ । ଯୁବକ ମାନେ ତାଙ୍କୁ ବାରମ୍ବାର ଏପରି କମେଣ୍ଟ ମାରିଥିବାରୁ ସମ୍ପୃକ୍ତ ଯୁବତୀ ଜଣଙ୍କ ନିଜ ପରିବାର ଲୋକଙ୍କୁ ଜଣାଇଥିଲେ । ଏ ନେଇ ଆଜି ସଂନ୍ଧ୍ୟାରେ ଯୁବତୀଙ୍କ ବାପା ମୋହନ ବାଇ ଯୁବକ ମାନଙ୍କୁ କମେଣ୍ଟ ନମାରିବା ପାଇଁ ବାରଣ କରିବା ପାଇଁ ଯାଇଥିଲେ । ଫଳରେ ଉଭୟଙ୍କ ମଧ୍ୟରେ କଥା କଟା କଟି ହୋଇଥିଲା । ଏଥିରେ ଯୁବକ ଜଣଙ୍କ ନିଜର ସହଯୋଗୀଙ୍କ ସହ ମୋହନଙ୍କୁ ଆକ୍ରମଣ କରିଥିଲେ ।ଏହି ଖବର ପାଇ ମୋହନଙ୍କ ବାପା ପୂର୍ଣ୍ଣଚନ୍ଦ୍ର ବାଇ ପୁଅକୁ ରକ୍ଷା କରିବାକୁ ଯାଇଥିଲେ । ମାତ୍ର ରକ୍ଷା କରିବେ କଣ ଆକ୍ରମଣର ଶିକାର ହୋଇଥିଲେ । ତାଙ୍କୁ ଗାଁ ଦାଣ୍ଡରେ ଗୋଡେଇ ହାଣିଥିଲେ ସମ୍ପୃକ୍ତ ଯୁବକ ଏବଂ ସହଯୋଗୀ । ଏଥିରେ ଘଟଣା ସ୍ଥଳରେ ହିଁ ପୂର୍ଣ୍ଣଚନ୍ଦ୍ର ଓ ମୋହନ ଗୁରୁତର ହୋଇଥିଲେ । ତେବେ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଲା ବେଳେ ପୂର୍ଣ୍ଣଚନ୍ଦ୍ରଙ୍କ ପ୍ରାଣବାୟୁ ଉଡି ଯାଇଥିଲା । ଏବଂ ପୁଅ ମୋହନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ତାଳଚେର ସ୍ଥିତ ମଣ୍ଡାପାଳ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଏ ନେଇ ପରଜଙ୍ଗ ପୋଲିସ ତଦନ୍ତ ଜାରି ରଖିଛି ।