ଯୋଡ଼ା, ୩୧/୧୦ : ଯୋଡ଼ା ସହର ମୁଖ୍ୟ ରାସ୍ତା ତାରିଣୀ ଛକ ଠାରେ ପୌରପାଳିକାର ଏକ ବର୍ଜ୍ୟବସ୍ତୁ ଗାଡ଼ିର ବେପରୁଆ ଚାଳନାରେ ଅଳ୍ପକେ ବର୍ତ୍ତିଛନ୍ତି ସ୍କୁଟି ଚାଳକ । ଆଜି ପ୍ରାୟ ୧୦.୩୦ ସମୟରେ ଯୋଡ଼ା ମାର୍କେଟରୁ ମୁଖାର୍ଜୀ ହଟିଂ ଯାଉଥିବା ସ୍କୁଟି ଚାଳକ ଶାନ୍ତନୁ ବାରିକ ନିଜ ଘରକୁ ଫେରୁଥିବା ବେଳେ ଉକ୍ତ ବର୍ଜ୍ୟବସ୍ତୁ ବୋଝେଇ ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା । ଶାନ୍ତନୁ ଛିଟିକି ପଡ଼ିଥିଲେ ହେଁ ସ୍କୁଟିଟି ଗାଡ଼ି ସହିତ ଲାଗି ରହିଥିଲା। ପ୍ରାୟ ୧୦୦ ମିଟରରୁ ଅଧିକ ବାଟ ଗାଡ଼ିଟି ସ୍କୁଟିକୁ ଟାଣି ନେଇଥିଲା। ଏପରିକି ଗାଡିର ଡ଼୍ରାଇଭର ଜାଣି ପାରିନଥିଲା । ଲୋକେ ଉତ୍ତ୍ୟକ୍ତ ହୋଇ ଚିତ୍କାର କରିବା ପରେ ବର୍ଜ୍ୟବସ୍ତୁ ଗାଡ଼ି ଅଟକି ସ୍କୁଟି ଗାଡିରୁ ବାହାରିଥିଲା । ତେବେ ଘଟଣାସ୍ଥଳରେ ଭିଡ ହୋଇ ଯାଇଥିବାରୁ ସେଠାରେ ଏକ ଉତ୍ତେଜନା ପରିସ୍ଥିତି ଉପୁଜିଥିଲା। ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରି ଗାଡ଼ିର ଡ଼୍ରାଇଭରକୁ ଥାନାକୁ ନେଇଯାଇଥିଲା। ତେଣେ ଉପସ୍ଥିତ ଜନସାଧାରଣ ଦାବି କରିଥିଲେ ଯେ ପୌରପାଳିକା ଅବିଳମ୍ବେ ଏହି ମୁଖ୍ୟ ରାସ୍ତାରଟିରେ ହମ୍ପସ ବା ଗତି ନିୟନ୍ତ୍ରକ ନିର୍ମାଣ କରିବା ପାଇଁ ।