ଦୁଇ ଓଡ଼ିଆ ଯବାନ ଚନ୍ଦ୍ରକାନ୍ତ ପ୍ରଧାନ ଓ ନନ୍ଦୁରାମ ସୋରେନଙ୍କ ମର ଶରୀର ଓଡ଼ିଶାରେ ପହଞ୍ଚିଲା : ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ପୂର୍ବ ଲଦାଖ ଗଲଵାନ ଘାଟିରେ ଚୀନ୍ ସେନାଙ୍କ ସହ ସଂଘର୍ଷରେ ସହିଦ ହୋଇଥିବା ଦୁଇ ଓଡ଼ିଆ ଯବାନ ଚନ୍ଦ୍ରକାନ୍ତ ପ୍ରଧାନ ଓ ନନ୍ଦୁରାମ ସୋରେନଙ୍କ ମର ଶରୀର ଓଡ଼ିଶାରେ ପହଞ୍ଚିଛି। ଆଜି ସନ୍ଧ୍ୟା ୬ଟାରେ ସ୍ବତନ୍ତ୍ର ବିମାନରେ ଦୁଇ ଯବାନଙ୍କ ପାର୍ଥିବ ଶରୀର ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲା। ସେଠାରୁ କାର୍ଗୋ ଟର୍ମିନାଲ୍ ଫାଟକ ଦେଇ ମରଶରୀରକୁ ବାହାରକୁ ଅଣାଯିବା ପରେ ଏକ ଭାବବିହ୍ବଳ ପରିବେଶରେ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ସୂଚନାଯୋଗ୍ୟ, ଦୁଇ ଦିନ ତଳେ ପୂର୍ବ ଲଦାଖ ଗଲଵାନ ଘାଟିରେ ଚୀନ ସେନାଙ୍କ ସହ ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହୋଇଥିଲେ। ସେମାନଙ୍କ ମଧ୍ୟରେ ଥିଲେ କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ବିଅରପାଙ୍ଗା ଅଞ୍ଚଳର ୧୬ ବିହାରେ ରେଜିମେଣ୍ଟରେ କାମ କରୁଥିବା ଯବାନ ଚନ୍ଦ୍ରକାନ୍ତ ପ୍ରଧାନ ଓ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ବଡ଼ଚମ୍ପାଉଦା ଗାଁର ୧୬ ବିହାର ରେଜିମେଣ୍ଟର ଲେଫ୍ଟନାଣ୍ଟ ସୁବେଦାର ନନ୍ଦୁରାମ ସୋରେନ। ଆଜି ଦୁହିଁଙ୍କ ମର ଶରୀର ଭୁବନେଶ୍ବରରେ ପହଞ୍ଚିବା ପରେ ପ୍ରଥମେ ୧୨୦ ବାଟାଲିଅନ୍ ପକ୍ଷରୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ମନ୍ତ୍ରୀ ଅଶୋକ ପଣ୍ଡା, ସାଂସଦ ଅପରାଜିତା ଷଡଙ୍ଗୀ, ସାଂସଦ ଅଚ୍ୟୁତ ସାମନ୍ତ, କଂଗ୍ରେସ ବିଧାୟକ ସୁର ରାଉତରାଙ୍କ ସମେତ ବହୁ ନେତୃବୃନ୍ଦ, ଗୃହ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରା, ପୁଲିସ ଡିଜି ଅଭୟ, ପୁଲିସ କମିସନର ସୁଧାଂଶୁ ଷଡଙ୍ଗୀ, ଡିସିପି ଅନୁପ ସାହୁ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାସୁମନ ଜଣାଇଥିଲେ। ଏହି ସମୟରେ ସେଠାରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଶ୍ରଦ୍ଧାଞ୍ଜଳି ଶେଷ ହେବା ପରେ ମର ଶରୀରକୁ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ସେମାନଙ୍କ ନିଜ ନିଜ ଜନ୍ମମାଟିକୁ ପଠା ଯାଇଥିଲା। ୧୨୦ ବାଟାଲିଅନର ଏସକର୍ଟ ଗାଡ଼ି ସହ ଅତିରିକ୍ତ ଆମ୍ବୁଲାନ୍ସ ମଧ୍ୟ ପଠାଯାଇଥିଲା। ବିଳମ୍ବିତ ରାତିରେ ମର ଶରୀର ସେମାନଙ୍କ ଜନ୍ମମାଟିରେ ପହଞ୍ଚିବା ପରେ ଆସନ୍ତାକାଲି ଗାଁ ଶ୍ମଶାନରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ହେବ ବୋଲି ସୂଚନା ମିଳିଛି।
।