ମୃତ୍ୟୁରୁ ରକ୍ଷା କରିଥିବା ଯୁବକ ମୁଣ୍ଡରେ ଦେଲା ସିନ୍ଦୁର , ଅନ୍ତସତ୍ତ୍ୱା ବେଳେ ମାଡ ମାରି ବାହାର କରିଦେଲା : ଥାନା ଆଗରେ ଧାରଣା
ଜଳେଶ୍ୱର-୦୭/୦୪ : ବର୍ଷକ ପୂର୍ବରୁ ୧୦ ଦିନର ଜନ୍ମିତ ଝିଅକୁ ଧରି ଆତ୍ମହତ୍ୟାପାଇଁ ଯାଇଥିବା ସେ ଦିନର ମହିଳାଟି ବଂଚି ଯାଇଥିବା ବେଳେ ପରେ ଅନ୍ୟଜଣେ ଯୁବକର ହାତଧରି ନୂତନ ସଂସାର କରିଥିଲା । ବହୁ ଆଶା ରଖି ଦ୍ୱିତୀୟ ସ୍ୱାମୀସହ ହାଇଦ୍ରାବାଦ ଯାଇ ପେଟ ପୋଷିବାକୁ ସ୍ଥିର କରିଥିବା ବେଳେ ଦଇବ ସହିଲାନି । ପରେ ସ୍ୱାମୀ ସହିତ ଫେରିଆସି ଜଳେଶ୍ୱର ଥାନା ଅନ୍ତର୍ଗତ ଆମ୍ବଳିଅଠା ଗାଁରେ ଭଡାଘରେ ରହିଥିଲା । ଏବେ ସେ ୩ ମାସର ଅନ୍ତସତ୍ତ୍ୱା ଥିବାବେଳେ ହାତ ଧରିଥିବା ବିରେଶପୁର ଗାଁର ଜନୈକ ଯୁବକ ଘରକୁ ନେଇ ଯାଇଥିଲା । କିନ୍ତୁ ସେଠାରେ ଯୁବକର ପ୍ରଥମ ସ୍ତ୍ରୀ ଓ ପରିବାର ଲୋକେ ଅନ୍ତସତ୍ତ୍ୱା ମହିଳାଙ୍କୁ ମାଡମାରିବା ସହ ତାଙ୍କ ପେଟକୁ ଗୋଇଠା ମାରିଥିବା ସେ ଥାନାରେ ଅଭିଯୋଗ କରିଛି । ଫଳରେ ନ୍ୟାୟ ପାଇଁ ସେ ଜଳେଶ୍ୱର ଥାନା ଆଗରେ ଧାରଣାରେ ବସିଥିବା ଜଣାଯାଇଛି ।
