ଯାଜପୁର: ଯାଜପୁର ଜିଲ୍ଲାର ଦୁଇଜଣ ସ୍ୱାଧୀନତା ସଂଗ୍ରାମୀଙ୍କୁ ଚଳିତ ବର୍ଷ କ୍ରାନ୍ତି ଦିବସ ଅବସରରେ ସମ୍ବର୍ଦ୍ଧିତ କରାଯିବ । ଏହି ଦୁଇ ସ୍ୱାଧୀନତା ସଂଗ୍ରାମୀ ହେଲେ ବଡ଼ଚଣା ବ୍ଲକ ବାଲିପଡ଼ିଆର ନୀଳମଣି ସାମଲ ଓ ବରୀ ବ୍ଲକ କାଇପଡ଼ାର ଦଧିଚି ସାହୁ । ପ୍ରତିବର୍ଷ ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସ ଅବସରରେ ରାଷ୍ଟ୍ରପତି ଭବନରେ ଆର୍ଟ ହୋମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ସ୍ୱତନ୍ତ୍ରତା ସୈନିକ ସମ୍ମାନ ଯୋଜନାରେ ସାମିଲ ପେନସନ ପ୍ରାପ୍ତ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ଏହି ଆର୍ଟ ହୋମ କାର୍ଯ୍ୟକ୍ରମରେ ଯୋଗଦାନ ପାଇଁ ଆମନ୍ତ୍ରଣ କରାଯାଇଥଏ ।
ତେବେ ଚଳିତ ବର୍ଷ କୋଭିଡ଼୍-୧୯ ର ସଂକ୍ରମଣ ଆଶଙ୍କା ସହ ବୟସାଧିକ କାରଣରୁ ଆର୍ଟ ହୋମ କାର୍ଯ୍ୟକ୍ରମ କରାଯିବ ନାହିଁ । ବରଂ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ବା ଉପ-ଜିଲ୍ଲାପାଳ ମାନଙ୍କ ଦ୍ୱାରା ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ସେମାନଙ୍କ ଗୃହରେ ସମ୍ବର୍ଦ୍ଧିତ କରାଯିବା ପାଇଁ ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଓ ରାଜ୍ୟ ଅର୍ଥ ବିଭାଗ ପରାମର୍ଶ ଦେଇଛି । ଏହି ପରାମର୍ଶ ଆଧାରରେ ଚଳିତ ବର୍ଷ ଅଗଷ୍ଟ ୯ ତାରିଖରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ରଂଜନ କୁମାର ଦାସ ଉଭୟ ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ସାମଲ ଓ ଶ୍ରୀ ସାହୁଙ୍କ ଗୃହକୁ ଯାଇ ସେମାନଙ୍କୁ ଅଙ୍ଗ ବସ୍ତ୍ର ପ୍ରଦାନ କରିବାର କାର୍ଯ୍ୟକ୍ରମ ଚୁଡ଼ାନ୍ତ ହୋଇଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରୁ ପତ୍ର ପ୍ରାପ୍ତ ହେବା ପରେ ଜିଲ୍ଲାପାଳ ଶ୍ରୀ ଦାସ ଉଭୟ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଉଭୟ ସଂଗ୍ରାମୀ ଆମ ଜିଲ୍ଲାର ଗର୍ବ ଓ ଗୌରବ ବୋଲି ଜିଲ୍ଲାପାଳ କହିବା ସହ ସେମାନଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଛନ୍ତି ।