ହିମାଂଶୁ ଶେଖର ଆଚାର୍ଯ୍ୟ : ଜଗତସିଂହପୁର ମାଟି କଥା କୁହା ମାଟି । ଏ ମାଟିରେ ଟେକାଟିଏ ପଡିଲେ ସେ କଥା କୁହେ । ସୃଜନଶୀଳତାର ସୁନାର ଫସଲ ଠାରୁ ଆରମ୍ଭ କରି ସ୍ୱାଧୀନତା ସଂଗ୍ରାମର କଣ୍ଟକିତ ପଥ, କଳା, ସଂସ୍କୃତି ଐତିହ୍ୟର ଉଜ୍ଜ୍ୱଳ ପରମ୍ପରା ଠାରୁ ଆରମ୍ଭ କରି ରାଜନୀତି ଓ ଶିକ୍ଷାର ବୃହତ୍ତର କ୍ଷେତ୍ର ପର୍ଯ୍ୟନ୍ତ ସବୁଠି ଏ ମାଟିର ବାସ୍ନା ବେଶ୍ ବାରିହୋଇପଡେ । କେବଳ ଆମ ରାଜ୍ୟ ନୁହେଁ ସାରା ଦେଶରେ ଏ ମାଟିର କୀରତି ଗାଥା ଗୁଞ୍ଜରିତ ହୁଏ ।
ଆମର ଭାଷା, ଆମ ସାହିତ୍ୟ ଓ ଆମ ସ୍ୱତନ୍ତ୍ର ଉକ୍ରଳ ପ୍ରଦେଶ ହିଁ ଆମର ପରିଚୟ । ଭାଷାକୁ ଭିତ୍ତିକରି ପ୍ରଥମ ରାଜ୍ୟ ଭାବରେ ଓଡିଶା ପ୍ରଦେଶ ଗଠିତ ହୋଇଥିଲା । ଓଡିଆ ଭାଷାକୁ ନୂତନ ଦିଶା ଦେବାରେ ଏ ମାଟିର ମହାକବି ସାରଳା ଦାସଙ୍କ ସାଧନାସିକ୍ତ ସାରସ୍ୱତ ଅବଦାନ ଯଥାର୍ଥରେ ଅତୁଳନୀୟ । ସମସାମୟିକ ସମାଜରେ ସଂସ୍କୃତ ଭାଷାର ପ୍ରାଧାନ୍ୟକୁ ପ୍ରତିହତ କରି ଓଡିଆ ଭାଷାରେ ସଂସ୍କୃତ ସମକକ୍ଷ କାବ୍ୟ ରଚନା କରି ସେ ଓଡିଆ ଭାଷାର ଯେଉଁ ମୂଳଦୁଆ ପକାଇଥିଲେ ପରବର୍ତ୍ତୀ ସମୟରେ ଭାଷା ଭିତ୍ତିକ ପ୍ରଦେଶ ପାଇବାରେ ଆମେ ସମର୍ଥ ହୋଇଥିଲେ । ପରବର୍ତ୍ତୀ ସମୟରେ ଏ ମାଟିର ବହୁ ସାରସ୍ୱତ ପ୍ରତିଭା ସ୍ୱୀୟ ଲେଖନୀ ଚାଳନା କରି ଓଡିଆ ଭାଷାକୁ ରୁଦ୍ଧିମନ୍ତ କରିଛନ୍ତ ।
ସେମାନଙ୍କ ମଧ୍ୟରେ ଅଛନ୍ତି ଜ୍ଞାନପୀଠ ପୁରସ୍କାର ବିଜୟିନୀ ଔପନ୍ୟାସିକା ଡଃ. ପ୍ରତିଭା ରାୟ, ଶିଶୁ ସାହିତି୍ୟକ ଡଃ. ମହେଶ୍ୱର ମହାନ୍ତି, ବିଷୁବ ପୁରସ୍କାର ବିଜେତା ସମାଲୋଚକ ପ୍ରଫେସର ନିତ୍ୟାନନ୍ଦ ଶତପଥୀ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା ଔପନ୍ୟାସିକ ବିଭୂତି ପଟ୍ଟନାୟକ, ସୁସାହିତି୍ୟକ ପରମାନାନ୍ଦ ଅଧିକାରୀ, ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ସଂସ୍କୃତ ପଣ୍ଡିତ ସୁଦର୍ଶନ ଆଚାର୍ଯ୍ୟ, ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି ପୀତାମ୍ବର ତରାଇ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଗାଳ୍ପିକା ପ୍ରଜ୍ଞା ପାରାମିତା ଶତପଥୀ ଓ ଆହୁରି ଅନେକ ନିଜସ୍ୱ ରଚନାରେ ସେମାନେ ପ୍ରତିଷ୍ଠିତ ହେବା ସହ ରାଜ୍ୟ ଓ ଜାତୀୟ ସ୍ତରରେ ସମ୍ମାନିତ ହୋଇ ଏ ମାଟି ପାଇଁ ଗୌରବ ଆଣିଛନ୍ତି ।
ଭାରତର ମୁକ୍ତି ସଂଗ୍ରାମକୁ ଜଗତସିଂହପୁରର ଅବଦାନ ଅତୁଳନୀୟ । ଦେଶର ଅନ୍ୟ ରାଜ୍ୟ ଭଳି ଓଡିଶା ବିଶେଷ କରି ଜଗତସିଂହପୁରର ବହୁ ସଂଗ୍ରାମୀ ସ୍ୱାଧୀନତା ସଂଗ୍ରାମରେ ଝାସଦେଇ ଲାଠି ମାଡ ଖାଇଛନ୍ତି ଓ କାରାବରଣ କରିଛନ୍ତି । ଏ ମାଟିର ସୁଯୋଗ୍ୟ ସନ୍ତାନ ଗୋପବନ୍ଧୁ ଚୌଧୁରୀ, ନବକୃଷ୍ଣ ଚୌଧୁରୀ, ଭାଗିରଥୀ ମହାପାତ୍ର, ପଣ୍ଡିତ ପ୍ରାଣକୃଷ୍ଣ ପଢିଆରୀ, ନାରାୟଣ ବୀରବର ସାମନ୍ତ, ଗୌରଙ୍ଗ ଚରଣ ଦାସ, ହରେକୃଷ୍ଣ ବିଶ୍ୱାଳ, ଜାତୀୟ କବି ବୀରକିଶୋର, ଉଦୟନାଥ ଷଡଙ୍ଗୀ ଓ ଆହୁରି ଅନେକ ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇ ଉଲ୍ଲ୍ଖେନୀୟ ଭୂମିକା ଗ୍ରହଣ କରିଥିଲେ । ଏଥିସହିତ ଏ ମାଟିର ମହୀୟସୀ ମହିଳାମାନଙ୍କ ଯୋଗଦାନ କୌଣସି ଗୁଣରେ କମ୍ ନଥିଲା । ସେମାନଙ୍କ ମଧ୍ୟରେ ରମାଦେବୀ, ମାଳତୀ ଚୌଧୁରୀ, ସରଳା ଦେବୀ ଓ ଅନ୍ନପୂର୍ଣ୍ଣା ମହାରଣା ଆଗ୍ରଗଣ୍ୟା ।
ଶିକ୍ଷା ଓ ବିଜ୍ଞାନ କ୍ଷେତ୍ରରେ ଏ ମାଟିର ମହକ ଆନ୍ତର୍ଜାତୀୟ ସ୍ତର ପର୍ଯ୍ୟନ୍ତ ପରିବ୍ୟାପ୍ତ । ସେମାନଙ୍କ ମଧ୍ୟରେ ଅଛନ୍ତି ବିଶ୍ୱବିଖ୍ୟାତ ବୈଜ୍ଞାନିକ ଡଃ. ପ୍ରାଣକୃଷ୍ଣ ପରିଜା, ପ୍ରଜ୍ଞାପୁରୁଷ ଡଃ. ଶ୍ରୀରାମଚନ୍ଦ୍ର ଦାଶ, ବୈଜ୍ଞାନିକ ବଂଶୀଧର ପରିଜା, ସୁଦର୍ଶନ ସାସମଲ, ପ୍ରଫେସର ହୃଦାନନ୍ଦ ରାୟ, ଶିକ୍ଷାବିତ୍ ସୂର୍ଯ୍ୟକାନ୍ତ ଦାସ, ଯୋଗେନ୍ଦ୍ରନାଥ ଦାଶ, ନୃସିଂହ ଚରଣ କାନୁନ୍ଗୋ, ବୈକୁଣ୍ଠନାଥ ଆଚାର୍ଯ୍ୟ, ସୁରପ୍ରସାଦ ମହାପାତ୍ର ଓ ଅନ୍ୟାନ୍ୟ ପ୍ରତିଭାଦୀପ୍ତ ବରେଣ୍ୟ ବ୍ୟକ୍ତିଗଣ । ସେହିପରି କଳା ନାଟକ କ୍ଷେତ୍ରରେ ଜଗତସିଂହପୁର ଅବଦାନ ପ୍ରଣିଧାନ ଯୋଗ୍ୟ । ଏ ମାଟିର ପ୍ରମୁଖ ଯାତ୍ରାଦଳ ଓଡିଶା ତଥା ଓଡିଶା ବାହାରେ ସୁନାମ ଅର୍ଜନ କରିଛନ୍ତି ।
ଖାଲି ସେତିକି ନୁହେଁ ଅନେକ ନାଟ୍ୟକାର ଉନ୍ନତମାନର ନାଟକ ରଚନା କରି ଏ ଅଞ୍ଚଳର ଗୌରବ ବୃଦ୍ଧି କରିଛନ୍ତି । ସେମାନଙ୍କ ମଧ୍ୟରେ ଗୀତିନାଟ୍ୟକାର କବି ବାଳକୃଷ୍ଣ ମହାନ୍ତି, ରାମଚନ୍ଦ୍ର ସ୍ୱାଇଁ ତଥା ନାଟ୍ୟକାର ସୁଧାକର ଦ୍ୱିବେଦୀ, ଇଂ. କିଶୋର ମହାପାତ୍ର, ଜଗଦୀଶ ତ୍ରିପାଠୀ, ଉତ୍ତମ ଦାସ, କୈଳାଶ ମଲ୍ଲିକ, ହର ବାରିକ ଓ ଆଶୁତୋଷ ମହାପାତ୍ରଙ୍କ ନାମ ଉଲ୍ଲେଖଯୋଗ୍ୟ । ଅଭିନୟ ପ୍ରଦର୍ଶନରେ ମଧ୍ୟ ଏ ମାଟିର ଚମକ ଅନନ୍ୟ । ଆର୍ତ୍ତବନ୍ଧୁ ରାଉତରାୟଙ୍କ ଠାରୁ ଆରମ୍ଭ କରି ଉତ୍ତମ ପାଳ, ଶଙ୍କର୍ଷଣ ପଣ୍ଡାଙ୍କ ଠାରୁ ଆରମ୍ଭ କରି ଦେବୀ ରଥ ଏପରିକି ଚଳଚିତ୍ର ଜଗତର ଦୁଃଖିରାମ ସ୍ୱାଇଁଙ୍କ ପର୍ଯ୍ୟନ୍ତ ସବୁଠି ସେଇ କଳାର ମଣିଷମାନଙ୍କର ଅଭୁଲା ଅଭିନୟର ଚର୍ଚ୍ଚା ।
ରାଜନୀତି କ୍ଷେତ୍ରରେ ମଧ୍ୟ ଓଡିଶା ମାନଚିତ୍ରରେ ଏ ମାଟି ବିଶେଷ ସ୍ଥାନର ଅଧିକାରୀ । ସ୍ୱାଧୀନତା ପୂର୍ବରୁ ୧୯୩୭ ମସିହାରେ ତିର୍ତ୍ତୋଲ-ଏରସମା ନିର୍ବାଚନ ମଣ୍ଡଳୀରୁ ବିପ୍ଳବୀ ଜନନାୟକ ନବକୃଷ୍ଣ ଚୌଧୁରୀ ନିର୍ବାଚିତ ହୋଇ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ପରେ ସେ ଓଡିଶାର ମୁଖ୍ୟମନ୍ତ୍ରୀ ପଦ ମଣ୍ଡନ କରିଥିଲେ । ସ୍ୱାଧୀନତା ପରେ ପରବର୍ତ୍ତୀ ସମୟରେ ନିଶାମଣି ଖୁଣ୍ଟିଆ, ପ୍ରତାପ ଚନ୍ଦ୍ର ମହାନ୍ତି, ଲୋକନାଥ ଚୌଧୁରୀ, ବିପିନ ବିହାରୀ ଦାସ, ନିତ୍ୟାନନ୍ଦ କାନୁନ୍ଗୋ, ବୈକୁଣ୍ଠ ମହାନ୍ତି, ବସନ୍ତ ବିଶ୍ୱାଳଙ୍କ, ନିତ୍ୟାନନ୍ଦ ସାମନ୍ତରାୟ,ବାସୁଦେବ ମହାପାତ୍ର,ଲକ୍ଷ୍ମଣ ମଲ୍ଲିକ, ବିଷ୍ଣୁ ଚରଣ ଦାସ ସମେତ ଅନେକ ରାଜନୀତିରେ ପଦାର୍ପଣ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।
ବିଶେଷକରି ବର୍ଷିଆନ ଜନନେତା ଡା. ଦାମୋଦର ରାଉତ ଓଡିଶା ରାଜନୀତିର ଏକ ବହୁମୁଖୀ ବ୍ୟକ୍ତିତ୍ୱ । ସେହିପରି ଚିରଞ୍ଜୀବ ବିଶ୍ୱାଳ ଜଣେ ଅମାୟିକ ଜନନେତା ଭାବେ ବେଶ୍ ଜଣାଶୁଣା । ପରବର୍ତ୍ତୀ ପର୍ଯ୍ୟାୟରେ ଦେବାଶିଷ ସାମନ୍ତରାୟ, ରଞ୍ଜୀବ ବିଶ୍ୱାଳ,ଲଲାଟେନ୍ଦୁ ମହାପାତ୍ର, ପ୍ରଶାନ୍ତ ମୁଦୁଲି,ଡା କୁଳମଣୀ ସାମଲ,ଡା. ରାଜଶ୍ରୀ ମଲ୍ଲିକ, ବିଭୁପ୍ରସାଦ ତରାଇ,ରଘୁନନ୍ଦନ ଦାସ ଓ ବିଜୟ ଶଙ୍କର ଦାସ ପ୍ରମୁଖ ଏବେ ରାଜନୀତିକ ମଇଦାନରେ ସକ୍ରିୟ ଅଛନ୍ତି ।
ଜଗନ୍ନାଥ ସଂସ୍କୃତି ହିଁ ଏଇ ଜାତିର ପରିଚୟ । ଏ ଜାତିର ଆରାଧ୍ୟ ଦେବତା ସେ । ିଗର୍ତ ନବକଳେବର ସମୟରେ ବଡଠାକୁର ପ୍ରଭୁ ବଳଭଦ୍ର, ଜଗତରନାଥ ଶ୍ରୀଜଗନ୍ନାଥ ଓ ମା’ସୁଭଦ୍ରାଙ୍କ ତିନି ଦାରୁ ଏହି ଜିଲ୍ଲାରୁ ହିଁ ମିଳିଥିଲା । ଜଗନ୍ନାଥମୟ ହୋଇଯାଇଥିଲା ଏ ମାଟି । ଯାହା ଏଇ ମାଟିକୁ ସମଗ୍ର ବିଶ୍ୱରେ ଏକ ନିଆରା ପରିଚୟ ଦେଇଛି । ମା’ସାରଳାଙ୍କ ପୀଠ ଏ ମାଟି ବାଣୀକ୍ଷେତ୍ର ରୂପେ ସୁପରିଚିତ ଯାହାଙ୍କ ଅପାର କରୁଣାରୁ ସିଦେ୍ଧଶ୍ୱର ପରିଡା ଏଠି ସାରଳାଦାସ ହୋଇଥିଲେ । ଏ ମାଟିର ମହିମା ସତରେ ଅନନ୍ୟ ।
ଏବେ ଆତ୍ମସମୀକ୍ଷା କରିବାର ବେଳ ଆସିଛି । ପ୍ରେରଣା ପାଇଁ ଅତୀତର ଗୌରବ ଓ ଐତିହ୍ୟର ସ୍ମୃତିଚାରଣ, ବର୍ତ୍ତମାନ ତ୍ରୁଟି-ବିଚୁ୍ୟତିର ସମୀକ୍ଷା, ଓ ଭବିଷ୍ୟତକୁ ଆହୁରି ସରସ ସୁନ୍ଦର କରିବାର ସଂକଳ୍ପ ଆମକୁ ନେବାକୁ ହେବ ।