ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ବାଂଶ ପଞ୍ଚାୟତର ବାଂଶ ଗାଁ କୁ ଯିବା ପାଇଁ ଗୋବରୀ ନଦୀ ଉପରେ ଡ୍ରେନେଜ ବିଭାଗ ଦ୍ଵାରା ସୁଇସ୍ ଗେଟ ପୋଲର ଆପ୍ରୋଜ ରୋଡଟି ଭୁଶୁଡ଼ି ପଡ଼ିଛି। ସୂଚନା ଅନୁସାରେ ଡ୍ରେନେଜ ବିଭାଗ ତରଫରୁ ଆଜକୁ ପ୍ରାୟ ୧୦ ବର୍ଷ ତଳେ ଚାଷ ଜମିକୁ ଜଳ ସେଚିତ କରିବା ପାଇଁ ବାଂଶ ଗ୍ରାମର ଗୋବରୀ ନଦୀ ଉପରେ ଏକ ସୁଇସ୍ ଗେଟ୍ ନିର୍ମାଣ କରାଯାଇଥିଲା।
କିନ୍ତୁ ଦୁଃଖର ବିଷୟ ଆଜି ପର୍ଯ୍ୟନ୍ତ ଏହି ସୁଇସ୍ ଗେଟ୍ ଟିର ଆପ୍ରୋଜ ରୋଡଟି ପ୍ରତି ବର୍ଷ ନଦୀରେ ପାଣି ଆସିଲେ ଭୁଶୁଡ଼ି ପଡେ ଯାହା ଦ୍ୱାରାକି ସେହି ଗ୍ରାମର ବାସିନ୍ଦା ମାନେ ଓ ସେହି ଗ୍ରାମ ଦେଇ ଯାଉଥିବା ପାଟେଣି ଗାଁ ଅଧିବାସୀଙ୍କ ସମେତ ଆଖ ପାଖ ଅଞ୍ଚଳବାସୀ ମାନେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁପଡେ।
ଏହି ଆପ୍ରୋଜ ରୋଡଟି ଭୁଶୁଡ଼ିବା ଫଳରେ ନଦୀରେବି ପାଣି ରୁହେ ନାହିଁ ଯାହା ଫଳରେ ଜମିକୁ ଜଳସେଚିତ କରିବା ପାଇଁ ସୁବିଧା ହୁଏ ନାହିଁ। ପ୍ରତିବର୍ଷ ବିଭାଗ ପକ୍ଷରୁ କାମ କରାଯାଉ ଥିବାବେଳେ କିପରି ଭାବେ ଏହା ଭୁଶୁଡ଼ି ପଡୁଛି ତାହା ପାଇଁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଜନ ଅସନ୍ତୋଷ ଦେଖାଦେବା ସହ ଡ୍ରେନେଜ ବିଭାଗର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯଥା ଶୀଘ୍ର ବିଭାଗ ପକ୍ଷରୁ ଏହାର ସ୍ଥାୟୀ ସମାଧାନ କରିବା ପାଇଁ ଅଞ୍ଚଳବାସୀ ମାନେ ଦାବି କରିଛନ୍ତି।
