ନାଉଗାଁ : ଜଳ ବିହୁନେ ସ୍ରୁଷ୍ଟି ନାଶ, ଜଳ ବହୁଳେ ସ୍ରୁଷ୍ଟି ନାଶ। ଜଳ ହିଁ ଜୀବନ। ଜଳ ବିନା ଜୀବନ ଯାପନ କରିବା ଅସମ୍ଭବ। ମଣିଷ ଠାରୁ ଆରମ୍ଭ କରି ଯିବ ଜନ୍ତୁ ବୃକ୍ଷ ଲତା ସମସ୍ତଙ୍କ ପାଇଁ ଜଳ ହିଁ ଜୀବନ। ଏ ବର୍ଷ ଶ୍ରାବଣ ମାସ ସରିଗଲା ବର୍ଷା ହେଲା ନାହିଁ ଯାହା ଫଳରେ ବୁଣା ଯାଇଥିବା ରୁଆଁ ଯାଇଥିବା ଧାନ କିଆରି ଫାଟି ଆଁ କରିଥିଲା। ଚାଷୀକୂଳ ପୁରା ହତାଶ ହୋଇ ପଡିଥିଲା । ଏବେ ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ହୋଇ ପଡିଛନ୍ତି ନାଉଗାଁ ବ୍ଲକର ଚାଷୀ କୁଳ । ବର୍ଷା ପାଣି ବିଲରେ ଲହଡା ମାରୁଛି ।
ଚାଷ ଜମିରେ ୫ ଫୁଟ ଉଚ୍ଚର ପାଣି। ରୁଆ ହୋଇଥିବା ଧାନ ଗଛ ସବୁ ପାଣି ଭିତରେ ପଚିବାକୁ ଆରମ୍ଭ ହେଲାଣି । ଡ୍ରେନେଜ ସମସ୍ୟା ହେତୁ ନିଷ୍କାସନ ହୋଇପାରୁନି ଉଦବୃତ ବର୍ଷା ଜଳ। ଫଳରେ ଧାର କରଜ କରି ଧାନ ଚାଷ କରିଥିବା ଚାଷୀକୁଳ ଏବେ ଚିନ୍ତାରେ। ଏଭଳି ଅବସ୍ଥା ଦେଖାଯାଇଛି ସାରା ଜଗତସିଂହପୁର ଜିଲ୍ଲାରେ। ଚାଷ ଜମିରୁ ପାଣି ଛାଡିବାକୁ ଆହୁରି ୧୫ ଦିନ ସମୟ ଲାଗିବ ବୋଲି ଚାଷୀମାନେ କହୁଥିବା ବେଳେ ପାଣି ଛାଡିଲା ବେଳକୁ ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବ ବୋଲି କହିଛନ୍ତି ଚାଷୀ।
