Odisha news

ଦୀର୍ଘ ୯ ମାସ ପରେ ଆଜିଠୁ ମହାପ୍ରଭୁଙ୍କୁ ଦର୍ଶନ କରିବେ ଭକ୍ତ : ସକାଳ ସାଢ଼େ ୭ଟାରୁ ଦର୍ଶନ ଆରମ୍ଭ

0

ପୁରୀ:  ଦୀର୍ଘ ୯ ମାସ ପରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ଭକ୍ତ। ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି। ମାର୍କେଟ୍‌ ଛକରୁ ବାରିକେଡ୍‌ କରି ଭକ୍ତଙ୍କୁ ସିଂହଦ୍ବାରଠାରେ ପହଞ୍ଚାଇବାକୁ ବ୍ୟବସ୍ଥା କରାଯାଇଛି। ସକାଳ ସାଢ଼େ ୭ଟାରୁ ଦର୍ଶନ ଆରମ୍ଭ ହେବ। କରୋନା ସଂକ୍ରମଣକୁ ରୋକିବା ପାଇଁ ସାମାଜିକ ଦୂରତା, ସାନିଟାଇଜର ବ୍ୟବସ୍ଥା କରାଯାଇଛି।

କରୋନା ମହାମାରୀ ପାଇଁ ମାର୍ଚ ୨୦ରୁ ଶ୍ରୀମନ୍ଦିର ବନ୍ଦ ରହିଥିଲା। ଭକ୍ତଙ୍କୁ ଦର୍ଶନରୁ ବଞ୍ଚିତ ରଖାଯାଇଥିଲା। କେବଳ ନୀତିକାନ୍ତି ସ୍ବାଭାବିକ ଚାଲିଥିଲା। ବିଭିନ୍ନ ମହଲରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଦାବି ପରେ ଆସନ୍ତାକାଲିଠାରୁ ବିଧିବଦ୍ଧ ଭାବେ ଶ୍ରୀମନ୍ଦିର ଖୋଲିବାକୁ ଯାଉଛି। ଜିଲ୍ଲାପାଳ ବଲୱନ୍ତ ସିଂଙ୍କ ସୂଚନା ମୁତାବକ, ଆସନ୍ତାକାଲିଠାରୁ ସେବାୟତଙ୍କ ଦର୍ଶନ ଆରମ୍ଭ ହେବ। ଡିସେମ୍ବର ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ସେବାୟତ ଓ ସେମାନଙ୍କ ପରିବାର ମହାପ୍ରଭୁଙ୍କ ଦର୍ଶନ କରିବେ। ସକାଳ ସାଢ଼େ ୭ଟାରୁ ରାତ୍ର ପହୁଡ଼ ପର୍ଯ୍ୟନ୍ତ ଦର୍ଶନ ଚାଲିବ। ଚାରିଦ୍ବାରରେ ସେବାୟତ ଓ ସେମାନଙ୍କ ପରିବାର ଦର୍ଶନ ପାଇଁ ଯିବେ ଓ ଚାରିଦ୍ବାରରେ ପ୍ରସ୍ଥାନ କରି ପାରିବେ। ଡିସେମ୍ବର ୨୬ରୁ ୩୧ ତାରିଖ ସଂଧ୍ୟା ପର୍ଯ୍ୟନ୍ତ ପୁରୀ ସହରବାସୀଙ୍କ ଦର୍ଶନ ଆରମ୍ଭ ହେବ। ସକାଳ ସାଢ଼େ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଦର୍ଶନ ଚାଲିବ। ୩୧ ତାରିଖ ସଂଧ୍ୟାରେ ଦର୍ଶନ ବନ୍ଦ ହେବ। ଡିସେମ୍ବର ୩ରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। ଜିଲ୍ଲା ବାହାର ଭକ୍ତମାନେ ଏହି ଦିନଠାରୁ ମହାପ୍ରଭୁଙ୍କ ଦର୍ଶନ କରି ପାରିବେ। ଏଥିପାଇଁ ପୂରା

ବଡ଼ଦାଣ୍ଡର ଟ୍ରାଫିକ୍‌ ବ୍ୟବସ୍ଥା ଉପରେ ନଜର ରଖାଯାଇଛି।
ମାର୍କେଟ୍‌ ଛକରୁ ବାରିକେଡ୍‌ କରି ପର୍ଯ୍ୟାୟକ୍ରମେ ଭକ୍ତଙ୍କୁ ଛାଡ଼ିବାକୁ ନିଷ୍ପତ୍ତି ନିଆଯାଇଛି। ୱାର୍ଡ଼ୱାରି ଘରେ ପହଞ୍ଚିଥିବା ଚିରକୁଟ୍‌ ଦେଖାଇ ଭକ୍ତମାନେ ବାରିକେଡ୍‌ ଦେଇ ଦର୍ଶନ ପାଇଁ ଯିବେ। ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ଥିବା ଜୋତାଷ୍ଟାଣ୍ଡ୍‌, ମୋବାଇଲ୍‌ ଷ୍ଟାଣ୍ଡ୍‌ରେ ଜୋତା, ମୋବାଇଲ୍‌ ରଖିବେ। ନିକଟରେ ଖୋଲିଥିବା ସ୍ବତନ୍ତ୍ର କାଉଣ୍ଟରରେ ପୁନର୍ବାର ଚିର୍‌କୁଟ ଦେଖାଇବେ। ସେଠାରେ ସଂପୃକ୍ତ ଭକ୍ତଙ୍କ ଫଟୋ ଉତ୍ତୋଳନ କରାଯିବ। ପରେ ନୂଆ ସେଡ୍‌ ଦେଇ ଭକ୍ତମାନେ ଶ୍ରୀମନ୍ଦିରରେ ପ୍ରବେଶ କରିବେ। ଏଥିପାଇଁ ନୂଆସେଡ୍‌ ଭିତରେ ୯ଟି ଧାଡ଼ି ତିଆରି କରାଯାଇଛି। ଏହି ଧାଡ଼ି ଦେଇ ସିଂହଦ୍ବାରରେ ବାହାରିବା ପରେ ଅରୁଣସ୍ତମ୍ଭ ପୂର୍ବରୁ ପଡ଼ିଥିବା ପ୍ଲାଷ୍ଟିକ୍‌ର ବାରିକେଡ୍‌ ଦେଇ ଭକ୍ତମାନଙ୍କୁ ଜଣ ଜଣ କରି ଶ୍ରୀମନ୍ଦିରକୁ ଛଡ଼ାଯିବ। ଏଠାରେ ୫ଟି ଧାଡ଼ି ବ୍ୟବସ୍ଥା ହୋଇଛି। ଶ୍ରୀମନ୍ଦିର ଭିତରେ ଭିଡ଼ ହଟାଇବା ପାଇଁ ବି ବ୍ୟାପକ ବ୍ୟବସ୍ଥା କରାଯାଇଛି।

ସାତପାହାଚ ନିକଟରେ ଜଣ ଜଣ କରି ଭକ୍ତଙ୍କୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ନାଟମଣ୍ଡପକୁ ଛାଡ଼ିବାକୁ ବ୍ୟବସ୍ଥା କରାଯାଇଛି। କେଉଁ ୱାର୍ଡ଼ବାସୀ କେଉଁ ତାରିଖରେ ଓ କେଉଁ ସମୟରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ, ସେ ସଂପର୍କରେ ବି ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିଛି। ଜିଲ୍ଲା ପ୍ରଶାସନ ସେବାୟତ ଓ ସହରବାସୀଙ୍କୁ ନେଇ ପରୀକ୍ଷାମୂଳକ ଦର୍ଶନ ଆରମ୍ଭ କରିଛି। ଏଥିପାଇଁ ସ୍ବତନ୍ତ୍ର ଏସ୍‌ଓପି ଜାରି କରିଛି। କିନ୍ତୁ ୩ ତାରିଖରୁ ଆରମ୍ଭ ହେବାକୁ ଥିବା ସର୍ବସାଧାରଣ ଦର୍ଶନ ଉପରେ ଆଜି ପର୍ଯ୍ୟନ୍ତ କିଛି ସ୍ପଷ୍ଟ ଚିତ୍ର ମିଳିପାରିନି। ଶ୍ରୀମନ୍ଦିର ପ୍ରଶାସନ ଏ ସଂପର୍କିତ ଏସ୍‌ଓପି ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଇଥିବାବେଳେ ସରକାର ଏହାକୁ ଝୁଲାଇ ରଖିଛନ୍ତି।

Leave A Reply