ଦୁବାଇ,୩୦ା୧୦(ଏଜେନ୍ସି): ଆଇପିଏଲ୍ର ଶେଷ ଚରଣରେ ଚେନ୍ନାଇ ସୁପରକିଙ୍ଗ୍ସ ବିଜୟଧାରାକୁ ଫେରିଛି । ପ୍ଲେ ଅଫସ୍ ଦୌଡ଼ରୁ ବାଦ ପଡିସାରିଥିଲେ ମଧ୍ୟ ରବିନ୍ଦ୍ର ଜାଡେଜାଙ୍କ ଧମାକାଦାର ପ୍ରଦର୍ଶନ ଯୋଗୁଁ ସିଏସ୍କେ ଖେଳାଳିଙ୍କ ମୁହଁରେ ହସ ଫୁଟିଛି । ଆଇପିଏଲ୍ର ୪୯ତମ ମ୍ୟାଚ୍ରେ ଚେନ୍ନାଇ ସୁପରକିଙ୍ଗ୍ସ ୬ ୱିକେଟ୍ରେ କୋଲକାତା ନାଇଟରାଇଡର୍ସକୁ ହରାଇ ପଞ୍ଚମ ବିଜୟ ହାସଲ କରିଛି । ପରାଜୟ କାରଣରୁ କୋଲକାତାର ପ୍ଲେ ଅଫସ୍ ଆଶା ଫୁସୁକି ଯିବା ପରି ମନେ ହେଉଛି । ପ୍ରଥମେ ବ୍ୟାଟିଂ କରି କୋଲକାତା ନାଇଟରାଇଡର୍ସ ୨୦ ଓଭରରେ ୫ ୱିକେଟ୍ ହରାଇ ୧୭୨ ରନ୍ କରିଥିଲା । ଜବାବରେ ଚେନ୍ନାଇ ସୁପରକିଙ୍ଗ୍ସ ୨୦ ଓଭରରେ ୧୭୮/୪ ରନ୍ କରି ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥିଲା । ୭୨ ରନ୍ର ଜମାଣିଆ ଇନିଂସ୍ ଖେଳିଥିବା ରୁତୁରାଜ ଗାଏକ୍ୱାଡଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ କରାଯାଇଥିଲା । ୧୭୩ ରନ୍ର ବିଜୟଲକ୍ଷ୍ୟକୁ ପିଛା କରି ଚେନ୍ନାଇ ସୁପରକିଙ୍ଗ୍ସ ଆରମ୍ଭରୁ ଭଲ ଖେଳିଥିଲା । ସେନ୍ ୱାଟସନ୍ ଓ ରୁତୁରାଜ ଗାଏକ୍ୱାଡଙ୍କ ମଧ୍ୟରେ ପ୍ରଥମ ୱିକେଟ୍ ପାଇଁ ୫୦ ରନ୍ର ପାର୍ଟନରସିପ୍ ହୋଇଥିଲା । ୱାଟସନ୍ ୧୯ ବଲ୍ରୁ ୧୪ ରନ୍ କରି ବରୁଣ ଚକ୍ରବର୍ତ୍ତୀଙ୍କ ଶିକାର ହୋଇଥିଲେ । କିନ୍ତୁ ରୁତୁରାଜ ୫୩ ବଲରୁ ୬ଟି ଚୌକା ଓ ଦୁଇଟି ଛକା ମାରି ୭୨ ରନ୍ କରିବା ସହ ଦଳ ବିଜୟର ଆଶା ସଞ୍ଚରା କରିଥିଲେ ।
