Odisha news

ଏକାଠି ଗୁନ୍ଥି ରଖନ୍ତୁ ପରିବାରକୁ

ଡ଼ଃ.ଅରୁନ୍ଧତୀ ଦେବୀ : ଏକ ମାଳାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ଏହାର ସୂତା । ସମାଜରେ ଏହି ସୂତା ହେଉଛି ସଂସ୍କାର । ସଂସ୍କାର ନୈତିକ ଆଚରଣ ରଙ୍ଗରେ ରଙ୍ଗେଇ ହୋଇଥାଏ । ସମାଜରେ ଆସୁଥିବା ସବୁ ପରିବର୍ତ୍ତନ, ସଭ୍ୟତା ନାଁରେ ଆସୁଥିବା ପ୍ରଭାବ ସତ୍ତ୍ୱେ ଯଦି ସୂତାରେ ଗଣ୍ଠି ନପଡ଼େ ତାହେଲେ ଆମ ସମାଜ, ଆମ ସଭ୍ୟତାର ମାଳା ଅକ୍ଷୁର୍ଣ୍ଣ ରହିବ । ଏ କଥା ପରିବାର ସଂଖ୍ୟାରେ ବୃଦ୍ଧି, ସଦସ୍ୟମାନଙ୍କ ମଧ୍ୟରେ ତାଳମେଳର ଅଭାବ, ଚପଗ୍ରସ୍ତ ବାତାବରଣ, ଦେବାର ଭାବନା ନ ରହିବ, ନିଜ ଖୁସି ଖୋଜିବାର ଆଗ୍ରହ, ସଦସ୍ୟମାନଙ୍କ ମଧ୍ୟରେ ବାର୍ତ୍ତାଳପର ଅଭାବ, ଆଦି ନିରବରେ ଅନେକ କିଛି କରିଯାଏ । ଏହି ଛୋଟ ଛୋଟ କଥା ମଜଭୁତ ସୂତାକୁ କେତେବେଳେ ଦୁର୍ବଳ କରିଦେଉଛି ସେ କଥା ବି ଜଣାପଡ଼େନି ।
ହେଲେ ସଂଧ୍ୟା ପୂର୍ବରୁ ଦୀପ ଲଗାଇଦେଲେ ଘର ଅନ୍ଧାର ହୁଏନି ।

ଏବେ ବି ସମୟ ହାତରୁ ଯାଇନି, ଗୋଟିଏ ପିଢ଼ି ପର ପିଢ଼ିକୁ ସଂସ୍କାର ହସ୍ତାନ୍ତର କରିପାରିବ ଉତ୍ତରାଧିକାର ସୂତ୍ରରେ । ତା ହେଲେ କ’ଣ କରିବେ ? କ’ଣ କଲେ ପରିବାର – ସମାଜର ମାଳା ଗୋଟିଏ ସୂତ୍ରରେ ବାନ୍ଧି ହୋଇ ରହିବ ? ଆଜିର ବ୍ୟସ୍ତ ସମୟରେ ସମୟ ନାହିଁ କାହା ପାଖରେ । ତା ଭିତରେ ବି ସମୟ କାଢ଼ିବାକୁ ହେବ ପରିବାର ପାଇଁ, ପର ପିଢ଼ି ପାଇଁ । ପ୍ରଥମେ ଏଥିପାଇଁ ବାଛନ୍ତି ଦିନଟିଏ । ପିଲାଙ୍କ ଜନ୍ମ ଦିନ ଏମିତି ଏକ ଅବସର । ପୁରା ପରିବାର ଏକାଠି ଖୁସି ମନାଏ ଏ ଦିନରେ । ତେଣୁ ସମସ୍ତଙ୍କ ସହ ମିଶି ଏକ ରୀତି ପରି ପାଳନ କରନ୍ତୁ ଏ ଦିନକୁ । ଜନ୍ମ ଦିନରେ ବଡ଼ମାନେ ଉପହାର ଓ ଆଶୀର୍ବାଦ ତ ଦିଅନ୍ତି । ହେଲେ ପ୍ରତିବର୍ଷ ପିଲାଙ୍କୁ ସଂସ୍କାରଟିଏ ମଧ୍ୟ ଉପହାର ଦିଅନ୍ତୁ । ବଡ଼ମାନଙ୍କୁ ସମ୍ମାନ କରିବା ହେଉ କି ସମସ୍ତଙ୍କୁ ସାହାଯ୍ୟ କରିବା ହେଉ । ସବୁବେଳେ ସତ କହିବାର ଶିକ୍ଷା ହେଉ ବା ଠିକ୍ ସମୟରେ କାମ କରିବାର ଶିକ୍ଷା । ପିଲାର ବୟସ ଅନୁଯାୟୀ ସଂସ୍କାର ବାଛି ତାକୁ ଦିଆଯାଇପାରେ । ଆପଣ ଚାହିଁଲେ ଦୁଇ-ତିନି ସଂସ୍କାର ମଧ୍ୟରୁ ଗୋଟିଏକୁ ବାଛିବା ନିମନ୍ତେ ପିଲାକୁ ବିକଳ୍ପ ଦିଅନ୍ତୁ । ଏ ସମ୍ପର୍କରେ ଜନ୍ମ ଦିନରେ କିଛିଦିନ ଆଗରୁ ପରିବାରର ବଡ଼ମାନେ ବସି ବିଚାରବିମର୍ଶ କରିନେବା ଉଚିତ । ସଂସ୍କାରର ବିଭିନ୍ନ ବିକଳ୍ପ ମଧ୍ୟରୁ ଗୋଟିକୁ ବାଛିବା ନିମନ୍ତେ ପିଲାଙ୍କୁ କୁହନ୍ତୁ । ଏହାର ଲାଭ କ’ଣ ସେ କଥା ମଧ୍ୟ ପିଲାଙ୍କୁ ବୁଝାଇ ଦେବା ଦରକାର ।

ପିଲାମାନେ ପ୍ରତିଜ୍ଞା ଭୁଲି ଯାଆନ୍ତି । ସଂସ୍କାର ଓ ଏହାକୁ ପାଳନ କରିବା ନିମନ୍ତେ ପ୍ରତିଶ୍ରୁତି ପିଲା ନ ଭୁଲୁ ଏହା ପରିବାରର ସବୁ ସଦସ୍ୟଙ୍କ ଦାୟିତ୍ୱ । ସେ ଭୁଲି ନଯାଉ ଏଥିପାଇଁ ସବୁ ବଡ଼ମାନେ ତାକୁ ମଝିରେ ମଝିରେ ସ୍ନେହରେ ବୁଝାଇବା ଦରକାର । କହିବାର ଶୈଳୀ ଠିକ୍ ହେଲେ ପିଲାମାନେ କଥା ମାନନ୍ତି । ଭଲ ସଂସ୍କାର ପିଲା ମନରେ ଭଲ ବିଚାର ଆଣେ । ତାକୁ ବାଟବଣା ହେବାରୁ ରୋକେ, ଜୀବନ ଜୀଇଁବାର ଉପାୟ ଶିଖାଏ । ପିଲା ପରିବାର ଓ ସମାଜକୁ ଭଲପାଇ ଏଥିପାଇଁ ପ୍ରଥମରୁ ବାପ-ମାଆ ଯତ୍ନଶୀଳ ହେବା ଦରକାର । ମାସରେ ଥରେ ସେଇ ସହରରେ ରହୁଥିବା ସମ୍ପର୍କୀୟ ଘରକୁ ଯାଆନ୍ତୁ । ପିଲାଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ସବୁ ପରିସ୍ଥିତିରେ ରକ୍ଷା କରନ୍ତୁ । ପୁଅ/ଝିଅ ବଡ଼ ହେବା ପରେ ରୋଷେଇ ଶିଖାନ୍ତୁ । ପିଲାମାନେ ଟିକେ ବଡ଼ ହେବାପରେ ପରିବାରର ପ୍ରାଥମିକତା ସବୁଠୁ ଜରୁରୀ ବୋଲି ବୁଝାନ୍ତୁ ।

ଏହାଦ୍ୱାରା ସେମାନେ ବଡ଼ ହେବା ସହ ସମ୍ପର୍କରେ ମହତ୍ୱ ବୁଝିବେ । ସ୍ଥିର କରନ୍ତୁ ଦିନରେ କେତେ ସମୟ ଆପଣ ମନୋରଞ୍ଜନର ଆନନ୍ଦ ନେବେ । ସମସ୍ତେ ନିଜ ନିଜ ରୁମ୍ରେ ଟିଭି ଦେଖିବା ବଦଳରେ ଏକାଠି ବସି କୌଣସି କାର୍ଯ୍ୟକ୍ରମ ଦେଖନ୍ତୁ । ସପ୍ତାହରେ ଏମିତି ଦିନଟିଏ ବାଛନ୍ତୁ ଯେଉଁଦିନ ପରିବାରର ସବୁ ସଦସ୍ୟ ଘରେ ଥିବେ । ସେ ଦିନରେ ବଡ଼ମାନେ କୌଣସି ଶିକ୍ଷଣୀୟ ଗପ ପଢ଼ି ପିଲାଙ୍କୁ ଶୁଣାନ୍ତୁ ଓ ନିଜେ କିଛି ପଢ଼ନ୍ତୁ । ଏହାଦ୍ୱାରା ପିଲାଙ୍କର ବହି ପଢ଼ିବାର ଅଭ୍ୟସ୍ତ ବଢ଼ିବ । ପିଲାଙ୍କୁ ସମୟାନୁବର୍ତ୍ତୀ ହେବାକୁ ଶିଖାନ୍ତୁ । ଖେଳିବା ପାଇଁ ଯିବା ହେଉ ବା ହୋମ୍ୱାର୍କ କରିବା ହେଉ, ସବୁକିଛି ସମୟ ଭିତରେ ଶେଷ କରିବାକୁ କୁହନ୍ତୁ । ଆଜିର କରୋନା ମହାମାରୀର ବିଭୀଷିକା ଭିତରେ ପ୍ରାୟତଃ ପରିବାର ଗୋଟିଏ ଛାତ ତଳେ ରହିବାର ସୁଯୋଗ ପାଉଛନ୍ତି । ବିଶ୍ୱ ପରିବାର ଦିବସ ଅବସରରେ ଆସନ୍ତୁ କେବଳ ନିଜ ପରିବାର ନୁହଁ ଅସହାୟ, ନିରାଶ୍ରୟ, କରୋନା ପ୍ରପୀଡ଼ିତ ଯେଉଁ ପରିବାର ଗୁଡ଼ିକ ଖିନ୍ଭିନ୍ ହୋଇଯାଇଛି ସେମାନଙ୍କୁ ଯେତିକି ସମ୍ଭବ ସାହାଯ୍ୟ ସହଯୋଗ କରିବା

0Shares
0