Odisha news

ଆରକ୍ଷଣ ବ୍ୟବସ୍ଥାରେ ସୁଧାର

0

ନଗେନ୍ଦ୍ର ନାଥ ପଟ୍ଟନାୟକ : ଆରକ୍ଷଣର ମୂଳ ଅର୍ଥ ପ୍ରିତନିଧିତ୍ୱ । ଆରକ୍ଷଣ କସ୍ମିନକାଳେ ଉଦର ପୂର୍ତିର ଏକ ବଳିଷ୍ଠ ସାଧନ ହୋଇ ନପାରେ । ପରନ୍ତୁ ଆରକ୍ଷଣ ଦ୍ୱାରା ଏଭଳି ସମାଜକୁ ପ୍ରତିନିଧିତ୍ୱ କରିବାକୁ ସୁଯୋଗ ମିଳିବା ଦରକାର ଯେଉଁମାନେ ସମାଜ ଭିତରେ ଦଳିତ ଶୋଷିତ ହୋଇ ଜୀବନଯାପନ କରୁଛନ୍ତି । ଆମ ଦେଶରେ ସ୍ଥାନ ସଂରକ୍ଷଣ ଆଇନ ଯେତେବେଳେ ଲାଗୁ ହେଲା ଏହାକୁ ଦଶବର୍ଷ ପର୍ଯ୍ୟନ୍ତ ବଳବର୍ତର ରଖାଯାଇଥିଲା । ସେ ସମୟରେ ଏହାକୁ ଲାଗୁ କରିବାର ପ୍ରଧାନ ଉଦେ୍ଦଶ୍ୟ ଥିଲା, ଯେଉଁ ସମାଜର ଲୋକେ ଅବହେଳିତ ଓ ଉପେକ୍ଷିତ ସେମାନଙ୍କୁ ପ୍ରତିନିଧିତ୍ୱ କରିବାକୁ ସୁଯୋଗ ପ୍ରଦାନ କରିବା । ଅବଶ୍ୟ ପରବର୍ତୀ କାଳରେ ସ୍ଥାନ ସଂରକ୍ଷଣର ମୂଳ ଧାରଣା ଉପରେ ସାମୟିକ ଭାବେ କବର ଦିଆଯାଇଥିଲା । ଅଧୁନା ଏମିତି ସମୟ ଉପଗତ ହୋଇଛି ଭାରତର ପ୍ରମୁଖ ରାଜନୈତିକ ଦଳଗୁଡିକ ମଧ୍ୟରେ ସ୍ଥାନ ସଂରକ୍ଷଣ ଭଳି ସ୍ପର୍ଷକାତର ପ୍ରସଙ୍ଗକୁ ନେଇ ଏମିତି ସବୁ ବାଦବିବାଦ ଓ ତର୍କବିତର୍କ ଲାଗିରହିଛି ।

ଏପରିକି ସେମାନେ ଏହାକୁ କଳେବଳେ କୌଶଳେ ନିଜର ଭୋଟବ୍ୟାଙ୍କ ରୂପେ ବିବେଚନା କରିବାକୁ ପଛାଇନାହାନ୍ତି । ସ୍ଥାନ ସଂରକ୍ଷଣ ପ୍ରସଙ୍ଗକୁ ଯେକୌଣସିମତେ ଜାତିଗତ ଆଧାର ସହିତ ଯୋଡାଯାଉଥିବା ଲକ୍ଷ କରାଯାଉଛି । ଉଲ୍ଲେଖଯୋଗ୍ୟ,୧୯୩୨ରେ ଆହୂତ ହୋଇଥିଲା ଏକ ସମ୍ମିଳନୀ ,ଯାହାର ନାମ ଥିଲା ଗୋଲମର୍ଜ ସମ୍ମିଳନୀ । ଏଥିରେ ଆଲୋଚ୍ୟ ପ୍ରସଙ୍ଗ ଥିଲା-ସଂରକ୍ଷଣ ବ୍ୟବସ୍ଥା ତ ରହିବ, ତାହା ପୁଣି କେଉଁ ଆଧାରରେ ? ସାମାଜିକ ଆର୍ଥିକ ଓ ଶୈକ୍ଷିକ ସ୍ତରରେ ସମାଜର ଯେଉଁଲୋକ ଅନଗ୍ରସର ଓ ପଛୁଆ ସେମାନଙ୍କର ଏକ ସୂଚୀ ତିଆରି କରାଯାଉ ବୋଲି ପ୍ରୋକ୍ତ ସମ୍ମିଳନୀରେ ଚୂଡାନ୍ତ ନିଷ୍ପତି ନିଆଯାଇଥିଲା । ପୁନଶ୍ଚ ଏହି ସୂଚୀକୁ ଭିର୍ତିକରି କେତେକ ପ୍ରଭାବୀ ପ୍ରାବଧାନ ରଖାଯାଉ,ଯଦ୍ୱାରା ଏମାନଙ୍କୁ ସମାଜର ମୁଖ୍ୟସ୍ରୋତକୁ ଅଣାଯାଇପାରିବ । ପରିଶେଷରେ ଏପରି ପ୍ରାବଧାନ ଭାରତର ସମ୍ବିଧାନରେ ସନ୍ନବେଶିତ କରାଯାଇଥିଲା ।
ଆମ ଦେଶରେ ତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ବଳବର୍ତର୍ର ରହିଛି ।

ଏହାସତ୍ୱେ ବି ଜାତି ଆଧାରିତ ସ୍ଥାନ ସଂରକ୍ଷଣ ସୁବିଧାକୁ ପ୍ରତ୍ୟେକ ଜାତି ହାତେଇବାକୁ ପ୍ରୟାସ ଜାରି ରଖିଛନ୍ତି । ଏମିତି ଦେଖିଲେ ସ୍ଥାନ ସଂରକ୍ଷଣ ବ୍ୟବସ୍ଥାରୁ ଭରପୂର ଫାଇଦା ଶକ୍ତିଶାଳୀ ଜାତିମାନେ ଉଠାଉଛନ୍ତି । ତେବେ ଏକଥା ନିଛକ ସତ ଯେ ଅନୁସୂଚୀତ ଜାତି ଓ ପଛୁଆ ବର୍ଗଙ୍କ ମଧ୍ୟରେ ଏମିତି କେତେକ ଜାତି ଅଛନ୍ତି ଯେଉଁମାନେ କି ବର୍ଷବର୍ଷ ଧରି ସ୍ଥାନ ସଂରକ୍ଷଣର ସୁବିଧାରୁ ବଂଚିତ ହୋଇ ରହିଛନ୍ତି । ସେପଟେ ଯେଉଁ ବର୍ଗଙ୍କୁ ସ୍ଥାନ ଆରକ୍ଷଣର ସୁବିଧା ଉପଲବ୍ଧ ହୋଇଛି ସେମାନେ ପିଢି ପରେ ପିଢି ସେଇ ସଂରକ୍ଷଣ ସୁବିଧାରୁ ଫାଇଦା ଉଠାଇବାରେ ଲାଗିପଡିଛନ୍ତି । ଏମିତିକି ଯେଉଁମାନେ ବଂଚିତ ହୋଇ ରହୁଛନ୍ତି ସେମାନେ ଯେଉଁ ତିମିରେକୁ ସେଇ ତିମିର ନ୍ୟାୟରେ ଆଜିପର୍ଯ୍ୟନ୍ତ ସେଭଳି ସ୍ଥିତିରେ ରହିବାକୁ ବାଧ୍ୟ ହେଉଛନ୍ତି ।
ଆମ ଦେଶରେ ଶୀର୍ଷ ନ୍ୟାୟାଳୟ ସ୍ଥାନ ସଂରକ୍ଷଣରେ ସୁଧାର ଆଣିବାପାଇଁ ଯେଉଁ ମହତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି ତାହା ବାସ୍ତବରେ ପ୍ରଶଂସାଯୋଗ୍ୟ ।

ଅନୁସୂଚୀତ ଜାତି ଓ ଅନୁସୂଚୀତ ଜନଜାତି ବର୍ଗ ମଧ୍ୟରେ ଉପବର୍ଗ ସୃଷ୍ଟିକରି ସ୍ୱତନ୍ତ୍ରଭାବେ ସ୍ଥାନ ସଂରକ୍ଷଣ ଦିଆଯିବାର ଆବଶ୍ୟକତା ଏବେ ଅନୁଭୂୂତ ହେଲାଣି । ଏମିତିରେ ସୁପ୍ରିମକୋର୍ଟକୁ ଶୋହଳ ବର୍ଷ ପୂର୍ବର ପୁରୁଣା ରାୟକୁ ବିଚାରକୁ ନେବାକୁ ପଡିଛି । କାରଣ ୨୦୦୪ରେ ସୁପ୍ରିମକୋର୍ଟ ପାଂଚଜଣିଆ ପୀଠ ରାୟ ଦେଇଥିଲେ ଯେ ରାଜ୍ୟମାନଙ୍କୁ କୌଣସି ସଂରକ୍ଷିତ ବର୍ଗଙ୍କ ମଧ୍ୟରେ ଉପବର୍ଗ ଗଢି ସ୍ଥାନ ସଂରକ୍ଷଣ ଦିଆଯାଇ ପାରିବ ନାହିଁ । ତେଣୁ ଏବେ ଏହି ନିର୍ଣ୍ଣୟର କୌଣସି ପରିବର୍ତର୍ନ ସକାଶେ ପୁଣି ସୁପ୍ରିମକୋର୍ଟର ଏକ ବଡ ବେଂଚକୁ ବିଚାର ବିବେଚନା କରିବାକୁ ହେବ । ଆଉ ତା ପରେ ଯାଇ ନୂତନ ରାୟ ପ୍ରକାଶ ପାଇବ । ଏହି ସ୍ପର୍ଶକାତର ପ୍ରସଙ୍ଗର ସମୁଚିତ ସମାଧାନ ପାଇଁ ସୁପ୍ରିମକୋର୍ଟ ସମ୍ଭବତଃ ସାତଜଣିଆ ସାମ୍ବିଧାନିକ ବେଂଚ ଗଠନ କରିପାରନ୍ତି । ସୂଚୀ ଭିତରେ ଅତ୍ୟନ୍ତ ପଛୁଆ ଜାତିମାନଙ୍କୁ ପ୍ରାଥମିକତା ପ୍ରଦାନ କରାଯିବ ଲାଗି ନୂଆ ପ୍ରକାରର ଉପ-ବର୍ଗୀକରଣ ସମ୍ଭବପର କି ନୁହେଁ ତାହା ବେଂଚ ବିଚାର କରିବେ ।

ବାସ୍ତବିକ ଶକ୍ତିଶାଳୀ ଓ ପ୍ରଭାବଶାଳୀ ଜାତିମାନଙ୍କୁ ସ୍ଥାନ ସଂରକ୍ଷଣରୁ ଫାଇଦା ଉଠାଇବାକୁ ସୁଯୋଗ ପ୍ରଦାନ କରାଯିବା ଅନାବଶ୍ୟକ ମନେହୁଏ । ଏପରିକି ବାଲ୍ମିକ ଇତ୍ୟାଦି ଜାତିକୁ ଅନନ୍ତକାଳ ପର୍ଯ୍ୟନ୍ତ ଗରିବୀ ବର୍ଗରେ ସ୍ଥାନିତ କରାଯିବା ଅନୁଚିତ । ୭୮ ପୃଷ୍ଠା ସମ୍ବଳିତ ରାୟରେ ସ୍ପଷ୍ଟ ଭାବେ ଦର୍ଶାଯାଇଛି ଯେ ଦଳିତ ଓ ଓବିସି (ଅନ୍ୟାନ୍ୟ ପଛୁଆ ବର୍ଗ) ସମାନ ଜାତି ନୁହଁନ୍ତି । ସୁପ୍ରିମକୋର୍ଟ ଦ୍ୱାରା ଗଠିତ ପୀଠ ପୁଣି ସୂଚାଇଛନ୍ତି ଯେ ଶୋହଳ ବର୍ଷର ପୁରୁଣା ରାୟରେ ଏଭଳି ସୁଧାର ଅଣାଯିବାର ଆବଶ୍ୟକତା ରହିଛି, ଯଦ୍ୱାରା କି ସମାଜର ତଳ ସମ୍ପ୍ରଦାୟର ଲୋକ ସ୍ଥାନ ସଂରକ୍ଷଣର ସୁବିଧା ପାଇପାରିବେ । ସୁପ୍ରିମକୋର୍ଟ ଏହି ନିର୍ଣ୍ଣୟ ପଂଜାବ ସରକାର ବନାମ ଦେବେନ୍ଦ୍ର ସିଂ ମାମଲାରେ ଶୁଣାଇଛନ୍ତି । ବିଶେଷକରି ପଂଜାବ ଓ ହରିୟାନା ହାଇକୋର୍ଟ ଦଳିତ ଜାତିଙ୍କ ପାଇଁ ଉଦ୍ଦିଷ୍ଟ ସ୍ଥାନ ସଂରକ୍ଷଣରେ ପଚାଶ ପ୍ରତିଶତ ସ୍ଥାନ ଉପଜାତିଙ୍କ ପାଇଁ ନିର୍ଦ୍ଧାରଣ କରି ସରକାରଙ୍କ ଅନୁସୂଚୀକୁ ଅକାମୀ କରିଦେଇଥିଲେ । ଏହି ମହତ୍ୱପୂର୍ଣ୍ଣ ରାୟ ଫଳରେ ରାଜ୍ୟ ବିଧାନସଭା ଅନୁସୂଚୀତ ଜାତି ତଥା ଶ୍ରେଣୀ ମଧ୍ୟରେ ଥିବା ଉପଜାତିଙ୍କୁ ସ୍ୱତନ୍ତ୍ର ସ୍ଥାନ ସଂରକ୍ଷଣର ସୁବିଧା ଦେବା ଲାଗି ଆଇନ ତିଆରି କରିପାରିବେ ।

ଭାରତରେ ବିଭିନ୍ନ ଅଧ୍ୟୟନରୁ ସ୍ପଷ୍ଟଭାବେ ଜଣାପଡିଛି ଯେ, ଆମ ଦେଶରେ ଅନେକ ଜାତି ଓ ଉପଜାତି ସବୁ ଅଛନ୍ତି ଯାହାଙ୍କୁ ସ୍ଥାନ ସଂରକ୍ଷଣର ସୁବିଧା ଅପହଂଚ ହୋଇରହିଛି । ଅପରପଟେ ମୁଷ୍ଟିମେୟ ଜାତି ଏମିତି ଅଛନ୍ତି ଯେଉଁମାନେ ସ୍ଥାନ ସଂରକ୍ଷଣରୁ ପ୍ରଚୁର ଫାଇଦା ନେଉଛନ୍ତି । ଆହୁରି ଅନେକ ଏପରି ଅଛନ୍ତି ଯେଉଁମାନେ କି ପ୍ରାଥମିକ ଶିକ୍ଷାରୁ ବଂଚିତ । ଏହି ବଂଚିତ ବ୍ୟକ୍ତିଙ୍କୁ ଆଗକୁ ଆଣିବା ଲାଗି ଅନେକ ରାଜ୍ୟ ନିଜ ନିଜର ହିସାବରେ ବେଶ୍ ତତ୍ପର ଓ ସକ୍ରିୟ । ଏପରି ସ୍ଥିତିରେ ମହାବଂଚିତ ଓ ମହାଦଳିତଙ୍କ ପାଖରେ ସ୍ଥାନ ସଂରକ୍ଷଣର ସୁବିଧା ପହଁଚାଇବାରେ ସୁପ୍ରିମକୋର୍ଟ ବାଟ ଖୋଲିପାରନ୍ତି ବୋଲି ଆଶା ଉଦ୍ରେକ ହୋଇଛି କହିଲେ ଅତୁ୍ୟକ୍ତି ହେବନାହିଁ ।

Leave A Reply