Odisha news

ଆଇଆଇଟି ବମ୍ବେରେ ‘ଭାରତ ଇନୋଭେଟ୍ସ ଡିପ୍-ଟେକ୍ ପ୍ରି-ସମିଟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ , ‘ଡିପ୍-ଟେକ୍’ ଇନୋଭେସନକୁ ବିଶ୍ୱ ଦରବାରରେ ପହଞ୍ଚାଇବ ‘ଭାରତ ଇନୋଭେଟ୍ସ’ – ଧର୍ମେନ୍ଦ୍ର ପ୍ରଧାନ

0

• ଫ୍ରାନ୍ସରେ ଆୟୋଜିତ ହେବାକୁ ଥିବା ଆନ୍ତର୍ଜାତୀୟ ‘ଭାରତ ଇନୋଭେଟ୍ସ ୨୦୨୬’ ସମ୍ମିଳନୀ ପୂର୍ବରୁ ଏହି ଦୁଇ ଦିନିଆ ପ୍ରି-ସମିଟ୍ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବେ ଉଭା ହୋଇଛି
• ୩୦୦୦ରୁ ଅଧିକ ଆବେଦନରୁ ମନୋନୀତ ୧୩୭ଟି ଶ୍ରେଷ୍ଠ ଡିପ୍-ଟେକ୍ ଷ୍ଟାର୍ଟଅପ୍ ସମିଟରେ ସାମିଲ
• ଶିଳ୍ପ ଜଗତର ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଏବଂ ନିବେଶକମାନଙ୍କ ସହ ଗୋଲଟେବୁଲ ବୈଠକ ଅନୁଷ୍ଠିତ
• ଡିପ୍-ଟେକ୍ କ୍ଷେତ୍ରରେ ନବସୃଜନ, ଶିଳ୍ପ ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ସହଭାଗିତା ଏବଂ ଷ୍ଟାର୍ଟଅପ୍ ଗୁଡ଼ିକ ପାଇଁ ସ୍ଥାୟୀ ପୁଞ୍ଜିନିବେଶ ଉପରେ ଗୁରୁତ୍ୱାରୋପ
• ଷ୍ଟାର୍ଟଅପ୍ ପ୍ରଦର୍ଶନୀ ବୁଲିବା  ସହ ଉର୍ଜା, ସେମିକଣ୍ଡକ୍ଟର, ମହାକାଶ ଏବଂ ପ୍ରତିରକ୍ଷା, ଭଳି ବିଭିନ୍ନ କ୍ଷେତ୍ରର ନବସୃଜନକାରୀଙ୍କ ସହ ମତ ବିନିମୟ

ମୁମ୍ବାଇ, ୨୨ ମାର୍ଚ୍ଚ ୨୦୨୬ – ‘ଭାରତ ଇନୋଭେଟ୍ସ’ ଆମ ଦେଶର ‘ଡିପ୍-ଟେକ୍’ ଇନୋଭେସନକୁ ବିଶ୍ୱ ଦରବାରରେ ପହଞ୍ଚାଇବ ବୋଲି ରବିବାର ଆଇଆଇଟି ବମ୍ବେ ପରିସରରେ ଆୟୋଜିତ ‘ଭାରତ ଇନୋଭେଟ୍ସ ଡିପ୍-ଟେକ୍ ପ୍ରି-ସମିଟ୍ – ୨୦୨୬’ ର ଉଦ୍‌ଯାପନୀ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଫ୍ରାନ୍ସର ନିସ୍ ସହରରେ ଆୟୋଜିତ ହେବାକୁ ଥିବା ଆନ୍ତର୍ଜାତୀୟ ‘ଭାରତ ଇନୋଭେଟ୍ସ ୨୦୨୬’ ସମ୍ମିଳନୀ ପୂର୍ବରୁ ଏହି ଦୁଇ ଦିନିଆ ପ୍ରି-ସମିଟ୍ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବେ ଉଭା ହୋଇଛି । କାର୍ଯ୍ୟକ୍ରମ ଅବସରରେ ଶ୍ରୀ ପ୍ରଧାନ ଶିଳ୍ପ ଜଗତର ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଏବଂ ନିବେଶକମାନଙ୍କ ସହ ଏକ ଗୋଲଟେବୁଲ ବୈଠକରେ ଆଲୋଚନା କରିଥିଲେ । ଡିପ୍-ଟେକ୍ କ୍ଷେତ୍ରରେ ନବସୃଜନ, ଶିଳ୍ପ ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ସହଭାଗିତା ଏବଂ ଷ୍ଟାର୍ଟଅପ୍ ଗୁଡ଼ିକ ପାଇଁ ସ୍ଥାୟୀ ପୁଞ୍ଜିନିବେଶ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ଭାରତର ଗବେଷଣା-ଭିତ୍ତିକ ଉଦ୍ୟୋଗୀକରଣ ଏବଂ ନବସୃଜନ ଶକ୍ତିର ଉଚ୍ଚ ପ୍ରଶଂସା କରି ଶ୍ରୀ ପ୍ରଧାନ କହିଛନ୍ତି ଯେ, ଶିକ୍ଷା ମନ୍ତ୍ରଣାଳୟର ନେତୃତ୍ୱରେ ‘ଭାରତ ଇନୋଭେଟ୍ସ’ର ଲକ୍ଷ୍ୟ ହେଉଛି ଦେଶର କୋଣ ଅନୁକୋଣରେ ଥିବା ଗବେଷଣା ଏବଂ ବିକାଶ(ଆର୍ ଆଣ୍ଡ୍ ଡି) ଭିତ୍ତିକ ନବସୃଜନକୁ ବିଶ୍ୱ ଦରବାରକୁ ନେବା । ଏହା ମାଧ୍ୟମରେ ଭାରତର ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରଦର୍ଶନ କରାଯିବା ସହ ବିଶ୍ୱସ୍ତରୀୟ ସହଭାଗିତା ଏବଂ ନିବେଶର ସୁଯୋଗ ସୃଷ୍ଟି ହୋଇପାରିବ । “ଭାରତ ଇନୋଭେଟ୍ସ ୨୦୨୬ କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ବରଂ ଏହା ଭାରତର ପ୍ରତିଭାଶାଳୀ ଯୁବକମାନଙ୍କୁ ବିଶ୍ୱ ନେତୃତ୍ୱ ପାଇଁ ପ୍ରସ୍ତୁତ କରିବାର ଏକ ସଂକଳ୍ପ । ଆମର ଶିକ୍ଷାନୁଷ୍ଠାନଗୁଡ଼ିକ ଆଜି କେବଳ ପରୀକ୍ଷା ନୁହେଁ, ବରଂ ସମାଜରେ ପରିବର୍ତ୍ତନ ଆଣିବା ଭଳି ପ୍ରତିଭା ସୃଷ୍ଟି କରୁଛନ୍ତି । ୨୦୪୭ ସୁଦ୍ଧା ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବାରେ ଏହି ଡିପ୍-ଟେକ୍ ଉଦ୍ୟୋଗୀମାନଙ୍କର ପ୍ରମୁଖ ଭୂମିକା ରହିବ ।

ଶ୍ରୀ ପ୍ରଧାନ ସେଠାରେ ଆୟୋଜିତ ଷ୍ଟାର୍ଟଅପ୍ ପ୍ରଦର୍ଶନୀ ବୁଲି ଦେଖିବା ସହ ଉର୍ଜା, ଜଳବାୟୁ ସ୍ଥାୟୀତ୍ୱ, ସେମିକଣ୍ଡକ୍ଟର, ମହାକାଶ ଏବଂ ପ୍ରତିରକ୍ଷା, ସ୍ୱାସ୍ଥ୍ୟସେବା ଏବଂ ବାୟୋଟେକ୍ନୋଲୋଜି ଭଳି ବିଭିନ୍ନ କ୍ଷେତ୍ରର ନବସୃଜନକାରୀଙ୍କ ସହ ମତ ବିନିମୟ କରିଥିଲେ । ଭାରତର ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ବାସ୍ତବ ଦୁନିଆର ସମସ୍ୟା ସମାଧାନ ପାଇଁ ଥିବା ଗଭୀରତା ଦେଖି ସେ ସନ୍ତୋଷ ବ୍ୟକ୍ତ କରିଛନ୍ତି । ସୂଚନାଯୋଗ୍ୟ ଯେ, ଦେଶର ୩୦୦୦ ରୁ ଅଧିକ ଆବେଦନ ମଧ୍ୟରୁ ମନୋନୀତ ୧୩୭ଟି ଶ୍ରେଷ୍ଠ ଡିପ୍-ଟେକ୍ ଷ୍ଟାର୍ଟଅପ୍ ଏହି ପ୍ରି-ସମିଟ୍‌ରେ ସାମିଲ ହୋଇଛନ୍ତି।

Leave A Reply