ବାସୁଦେବପୁର : ବାସୁଦେବପୁର ବ୍ଲକର କିସ୍ମତକୃଷ୍ଣପୁର ଗ୍ରାମର (ବୁଧବାର)ଗତକାଲି ବିଳମ୍ବିତ ରାତ୍ରିରେ ଅକ୍ଷୟ କୁମାର ରାଉତଙ୍କ ଘର ନିଆଁ ଲାଗି ୪ ବଖରା ପୋଡି ଭସ୍ମିଭୂତ ହୋଇ ଯାଇଛି । ନିଆଁ କେମିତି ଲାଗିଲା ତାର ସଠିକ୍ କାରଣ ଜଣା ପଡିନାହିଁ । କିସ୍ମତକୃଷ୍ଣପୁର ଗ୍ରାମର ଅକ୍ଷୟ କୁମାର ରାଉତଙ୍କ ଘରେ ପରିବାର ଲୋକମାନେ ବୁଧବାର ରାତ୍ରିରେ ଖାଇ ପିଇ ଶୋଇ ପଡିଥିଲେ । ହଠାତ୍ ନିଆଁ ଲାଗିଥିବାର ଜାଣି ସପରିବାର ଉଠି ବାହାରକୁ ଚାଲିଯାଇଥିଲେ । ନିଆଁର ପ୍ରକୋପ ଏତେ ପ୍ରଖୋର ଥିଲା ଯେ ନିମିଷେକ ମଧ୍ୟରେ ଜଳି ଭସ୍ମିଭୂତ ହୋଇ ଯାଇଥିଲା । ଖବର ପାଇ ବାସୁଦେବପୁରରୁ ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡ ସମୟରେ ଘରର କୌଣସି ଆସବାପତ୍ର ବାହାରକୁ ଆଣିପାରିନଥିଲେ । ଆଖି ଆଗରେ ଚାହୁଁ ଚାହୁଁ ଧାନ,ଚାଉଳ,ବାଇକ୍,ନଗଦ ପ୍ରାୟ ଦେଢ ଲକ୍ଷ ଟଙ୍କା ଜଳି ଯାଇଥିଲା । ଭୟାନକ ଅଗ୍ନିକାଣ୍ଡ ଖବର ଶୁଣି ବିଳମ୍ବିତ ରାତ୍ରିରେ ବାସୁଦେବପୁର ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀ ଘଟଣା ସ୍ଥଳୀରେ ପହଞ୍ଚିଥିଲେ । ସକାଳେ ରାଜସ୍ୱ ନିରିକ୍ଷକ ଶରତ ଚନ୍ଦ୍ର ଦାଶ ପହଞ୍ଚି ଅଗ୍ନି ବିପନ୍ନ ପରିବାରକୁ ପଲିଥିନ୍ ପ୍ରଦାନ କରିବା ସହିତ ଆର୍ଥିକ ସହାୟତା ପାଇଁ ନଥିପତ୍ର ପ୍ରସ୍ତୁତ କରି ଅର୍ଥ ପ୍ରଦାନ ପାଇଁ ତହସିଲିଦାଙ୍କୁ ସୁପାରିଶ କରିିଛନ୍ତି ।