ଯଦୁମଣି ପାଣିଗ୍ରାହୀ : ସାରା ରାଜ୍ୟରେ ସାଧାରଣ ସ୍ୱାସ୍ଥ୍ୟ ସେବା ପୂର୍ବରୁ ସନ୍ତୋଷ ଜନକ ନଥିବା ବେଳେ ଗତ ମାର୍ଚ୍ଚ ମାସରେ ଦେଖା ଦେଇଥିବା କୋରୋନା ମହାମାରୀର ସଂକ୍ରମଣ ଯୋଗୁଁ ଏହା ବିଗିଡିବାରେ ଲାଗିଛି । ଗତ ପ୍ରାୟ ୮ ମାସରୁ ଅଧିକ ସମୟ ଧରି ସରକାରଙ୍କ ଲକ୍ଷ୍ୟ କେବଳ କୋରୋନା ମହାମାରୀକୁ ପ୍ରତିହତ କରିବା ଦିଗରେ କେନ୍ଦ୍ରୀଭୂତ ହେବା ଯୋର୍ଗୁ ସାଧାରଣ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହେବାରେ ଲାଗିଛି । ମହାମାରୀ କୋରୋନା ବିରୋଧରେ ଲଢେଇ ଅବ୍ୟାହତ ରହିଥିଲେ ସୁଦ୍ଧା ସାଧାରଣ ସ୍ୱାସ୍ଥ୍ୟସେବା ଅପରିବର୍ତ୍ତିତ ରହିବ ବୋଲି ସରକାର ଘୋଷଣା କରିଥିବା ବେଳେ ପ୍ରକୃତପକ୍ଷେ ଆଜିଯାଏଁ ସାଧାରଣ ସ୍ୱାସ୍ଥ୍ୟସେବା ସ୍ୱାଭାବିକ ହୋଇପାରିନାହିଁ ।
ସମଗ୍ର ରାଜ୍ୟରେ ସରକାରୀ ଡାକ୍ତରଖାନା ଗୁଡିକରେ ଲୋକେ ଆବଶ୍ୟକ ସ୍ୱାସ୍ଥ୍ୟସେବା ପାଇ ପାରୁ ନଥିବାର ଚିତ୍ର ଦୈନିକ ସମ୍ବାଦପତ୍ର ଓ ଟିଭିରେ ଦେଖିବାକୁ ମିଳୁଛି । ଏହା ଅତ୍ୟନ୍ତ ପରିତାପର ବିଷୟ ବୋଲି କୁହାଯାଇପାରେ । କାରଣ ସରକାର ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ସାଧାରଣ ଲୋକଙ୍କୁ ମାଗଣାରେ ଆବଶ୍ୟକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ସଙ୍କଳ୍ପବଦ୍ଧ ହୋଇଥିବା ଓ ଏଥିଲାଗି ବାର୍ଷିକ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସାଧାରଣ ଲୋକେ ଏଥିରୁ କୌଣସି ସୁଫଳ ପାଇ ପାରୁନାହାନ୍ତି । ଏହା ହିଁ ହେଉଛି ବିଡମ୍ବନାର ବିଷୟ । ଗତ ମାର୍ଚ୍ଚ ପରେ ପରେ କୋରୋନା ସଂକ୍ରମଣ ଯେତେବେଳେ ଦ୍ରୁତଗତିରେ ବୃଦ୍ଧି ପାଉଥିଲା ଓ ସରକାର ଯେତେବେଳେ ଲକଡାଉନ ଓ ସଟଡାଉନ ଜାରି କରିଥିଲେ ସେତେବେଳେ ରାଜ୍ୟରେ ଅନ୍ୟାନ୍ୟ ଅନେକ ରୋଗର ଆକ୍ରାନ୍ତ ରୋଗୀ କିଭଳି ଦୁର୍ଦ୍ଦଶା ଭୋଗ କରିଥିଲେ ସେକଥା କାହାକୁ ଅଛପା ନାହିଁ ।
ହୃଦଘାତରେ ଶିକାର ହୋଇଥିବା କିମ୍ବା କର୍କଟ,ରକ୍ତଚାପ,ମଧୁମେହ ଓ ପକ୍ଷାଘାତ ଭଳି ରୋଗରେ ଶିକାର ହୋଇଥିବା ଅନେକ ରେଗୀଙ୍କୁ ଚିକିତ୍ସାସେବା ଯୋଗାଇବାରେ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି । ରୋଗୀଙ୍କୁ ଧରି ସେମାନଙ୍କ ପରିବାର ଲୋକେ ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା ଦୌଡୁ ଦୌଡୁ ରୋଗୀର ମୃତୁ୍ୟ ହୋଇଯାଇଛି । କେଉଁଠି କୋରୋନା ଭୟରେ ରୋଗୀ ପାଖକୁ ଡାକ୍ତର ଆସିବାକୁ କୁଣ୍ଠାବୋଧ କରିଛି ତ କେଉଁଠି ରୋଗୀକୁ ନ ଦେଖି ଅନ୍ୟତ୍ର ରେଫର କରି ଦିଆଯାଇଛି । ଏମିତି ବି ହୋଇଛି କୋରୋନା ଭୟରେ ଆମ୍ବୁଲାନ୍ସ ଡ୍ରାଇଭର ବି ରୋଗୀକୁ ଡାକ୍ତରଖାନା ନେବାକୁ ଅରାଜି ହୋଇଛି । ଏକଥା ଉଣାଅଧିକେ ପ୍ରତ୍ୟେକ ଲୋକ ଅନୁଭବ କରିଥିବେ ବୋଲି ଆଶା କରାଯାଏ । ବିଶେଷକରି ଆସନ୍ନପ୍ରସବା ମହିଳା, ଶିଶୁ, ବୃଦ୍ଧ/ବୃଦ୍ଧା ଓ ଗୁରୁତର ରୋଗୀ ମାନେ ନାନା ଭାବେ ନିର୍ଯ୍ୟାତିତ ହୋଇଛନ୍ତି । ଆଜି ଯଦିଓ କୋରୋନା ସଂକ୍ରମଣ ହ୍ରାସ ପାଇଛି ମାତ୍ର ସାଧାରଣ ସ୍ୱାସ୍ଥ୍ୟସେବା ସ୍ୱାଭାବିକ ଅବସ୍ଥାକୁ ଆସି ପାରିନାହିଁ ।
ଆଜି ବି ଗାଁ ଗଣ୍ଡାର ସାଧାରଣ ଗରିବ ଲୋକଟେ ନିକଟସ୍ଥ ଡାକ୍ତରଖାନାରୁ ଆବଶ୍ୟକ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛି । ଏଥିପ୍ରତି କାହାର ନିଘା ନାହିଁ । ସରକାରଙ୍କ ଠାରୁ ପୁଣି ସାଧାରଣ ଲୋକଙ୍କ ଯାଏଁ ଡାକ୍ତର ଓ ନର୍ସ ମାନଙ୍କୁ କୋରୋନା ଯୋଦ୍ଧା ଭାବେ ଶ୍ରଦ୍ଧା ଓ ସମ୍ମାନ ପ୍ରଦର୍ଶନ କରୁଥିବାର ଯଥାର୍ଥତା ରହିଛି ସତ ହେଲେ କିଛି ଡାକ୍ତର ଓ ନର୍ସ ଅଛନ୍ତି ଯେଉଁମାନେ ସାଧାରଣ ଚିକିତ୍ସା ସେବା ଯୋଗାଇ ଦେବାରେ ଆବଶ୍ୟକ ନିଷ୍ଠା ଓ ଆନ୍ତରିକତା ଦେଖାଇ ପାରୁନାହାନ୍ତି ।
ଆମ ରାଜ୍ୟରେ ଅଧିକାଂଶ ଗରିବ ଓ ଆର୍ଥିକ ଅସ୍ୱଚ୍ଛଳ ଲୋକ ଆବଶ୍ୟକ ଚିକିତ୍ସା ସେବା ପାଇବାକୁ ସଦା ସର୍ବଦା ସରକାରୀ ଡାକ୍ତରଖାନାକୁ ଭରସା କରିଥିବା ବେଳେ ସେଠାରୁ ନିରାଶ ହେଲେ ଭାଗ୍ୟ ଓ ଭଗବାନଙ୍କ ଉପରେ ଭରସା କରିବାକୁ ବାଧ୍ୟ ହୋଇଥାଏ । ତେବେ ସରକାରୀ ଡାକ୍ତରଖାନାରେ ଡାକ୍ତର ଅଭାବ ସମସ୍ୟା, ଡାକ୍ତର ଓ ନର୍ସ ଥିଲେ ବି ସେବା ପ୍ରଦାନରେ ଅବହେଳା, ସେବା ପ୍ରଦାନ ଲାଗି ଯଥାର୍ଥ ଓøଷଧ, ଯନ୍ତ୍ରପାତି, ଆବଶ୍ୟକ ଶଯ୍ୟା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀର ଅଭାବ ଆଦି କାରଣ ଯୋଗୁଁ ସାଧାରଣ ଲୋକଙ୍କୁ ଅନେକ ସମୟରେ ନିରାଶ ହେବାକୁ ପଡୁଛି । ଯାହାର ସୁଯୋଗ ନେଇ ଆଜି ରାଜ୍ୟରେ ଛତୁ ଫୁଟିଲା ଭଳି ଘରୋଇ ଡାକ୍ତରଖାନା ମାନ ଗଢି ଉଠୁଛି ।
ସରକାରୀ ଡାକ୍ତର ଖାନାରୁ ନିରାଶ ହୋଇଥିବା ରୋଗୀଟେ ଧାର କରଜ କରି କିମ୍ବା ଜମିବାଡି ବନ୍ଧା ପକେଇ ନିଜ ଜୀବନ ବଞ୍ଚାଇବାକୁ ଘରୋଇ ଡାକ୍ତରଖାନାକୁ ବିକଳରେ ଦୌଡି ଯାଇଥାଏ ସିନା ହେଲେ ସେଠାରେ ସେ ଯେଉଁ ଆର୍ଥିକ ଓ ମାନସିକ ନିର୍ଯ୍ୟାତନା ଭୋଗ କରେ ତାହା ତା’ର ରୋଗ ଯନ୍ତ୍ରଣା ଠୁଁ ଅଧିକ ଯନ୍ତ୍ରଣା ଦାୟକ ସାବ୍ୟସ୍ତ ହୋଇଥାଏ । ଯୋଗୁଁ ଗ୍ରାମାଞ୍ଚଳର ଲୋକଙ୍କୁ ସାଧାରଣ ଚିକିତ୍ସା ସେବା ଯୋଗାଇ ଦେବା ସରକାରଙ୍କ ପ୍ରମୁଖ କର୍ତ୍ତବ୍ୟ ହୋଇଥିବା ବେଳେ ସରକାରୀ ସ୍ତରରେ ଏହା ଉପରେ ଆଦୌ ଗୁରୁ୍ତ୍ୱ ଦିଆଯାଉ ନଥିବା ପରିଲକ୍ଷିତ ହୋଇଛି । ଫଳରେ ସ୍ୱାସ୍ଥ୍ୟସେବା ପାଇବା ନେଇ ସାଧାରଣ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କୋରୋନା ସଂକ୍ରମଣ ଯୋଗୁଁ ସାଧାରଣ ଚିକିତ୍ସା ସେବା ପ୍ରତି ସରକାର ଗୁରୁତ୍ୱର ସହିତ ଧ୍ୟାନ ଦେଉନଥିବା ବେଳେ କୋରୋନାକୁ ବାଦ୍ ଦେଲେ ଅନ୍ୟାନ୍ୟ ରୋଗରେ ଅନେକ ଲୋକ ଦୈନିକ ମଧ୍ୟ ପ୍ରାଣ ହରାଉଛନ୍ତି ।
ସରକାର କୋରୋନା ଚିକିତ୍ସା ଲାଗି ଜିଲ୍ଲା ଓ ବ୍ଲକ ସ୍ତରରେ ଥିବା ସରକାରୀ ଡାକ୍ତରଖାନା ଗୁଡିକରେ ଅନେକ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ଖୋଲିଥିବା ବେଳେ ଡାକ୍ତର ମାନଙ୍କୁ ମଧ୍ୟ ଏହି କାର୍ଯ୍ୟରେ ନିୟୋଜିତ କରିଥିଲେ । ଯାହାଫଳରେ ଅନ୍ୟ ରୋଗୀ ମାନେ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହୋଇଥିଲେ । ଏବେ ଉକ୍ତ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ଗୁଡିକ ମଧ୍ୟରୁ ଅନେକ ପ୍ରାୟତଃ ବନ୍ଦ ହୋଇ ଯାଇଥିବା ବେଳେ ସାଧାରଣ ସ୍ୱାସ୍ଥ୍ୟ ସେବା ପ୍ରଦାନ କ୍ଷେତ୍ରରେ ସୁଧାର ଆସି ପାରିନାହିଁ । ଆଜି ବି ଏହି ଅବସ୍ଥା ଅପରିବର୍ତ୍ତିତ ରହିଛି । ଶିଶୁ ଓ ମାତୃ ମୃତୁ୍ୟହାର ହ୍ରାସ କରିବା ଉପରେ ସରକାର ଗୁରୁତ୍ୱ ଦେଉଥିବା ବେଳେ କୋରୋନା ବେଳେ ବହୁ ଆସନ୍ନ ପ୍ରସବାଙ୍କୁ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେବାକୁ ପଡିଥିଲା । ଯେଉଁମାନେ ଆର୍ଥିକ ଶୋଷଣର ଶିକାର ହୋଇଛନ୍ତ୍ିି । ଆଜି ବି ସେହି ଅବସ୍ଥା ବଳବତ୍ତର ରହିଛି ।
ସେହିପରି ଆଜି ବି ଅନ୍ୟାନ୍ୟ ରୋଗୀ ଯଥା-କର୍କଟ, ମଧୁମେହ, ରକ୍ତଚାପ, ହୃଦଘାତ ଓ ପକ୍ଷାଘାତରେ ଶିକାର ରୋଗୀମାନଙ୍କୁ ପ୍ରାୟତଃ କଟକ ଓ ଭୁବନେଶ୍ୱରର ବିଭିନ୍ନ ଘରୋଇ ଡାକ୍ତରଖାନା ଉପରେ ନିର୍ଭର କରିବାକୁ ପଡୁଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରାଇବା ଲକ୍ଷ୍ୟରେ ଅନେକ ଯୋଜନା ମାନ ପ୍ରଣୟନ କରିଛନ୍ତି । ହେଲେ ପରିତାପର ବିଷୟ ଏହି ଯେ, ଯୋଜନାର ସୁଫଳ ଲୋକମାନେ ଠିକଣା ସମୟରେ ପାଇ ପାରୁନାହାନ୍ତି । ଗ୍ରାମାଞ୍ଚଳର ଲୋକେ ସଦାସର୍ବଦା ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇ ପରିବାର ପ୍ରତିପୋଷଣ କରିବାକୁ ଅସମର୍ଥ ହେଉଥିବା ବେଳେ ସ୍ୱାସ୍ଥ୍ୟ ସେବା ପାଇବାକୁ ସେ ପଇସା ଆଣିବ କୁଆଡୁ? ସରକାର କେବଳ ଯୋଜନା ପରେ ଯୋଜନା କରି ଦେଲେ ଚଳିବ ନାହିଁ ଏହାର ସଫଳ ରୂପାୟନ ନେଇ ଧ୍ୟାନ ଦେବାକୁ ପଡିବ । ସ୍ୱାସ୍ଥ୍ୟସେବାକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ପଡିବ । ଆଉ ଏଥିଲାଗି ନିଷ୍ଠାପର ଉଦ୍ୟମ କରାଯିବା ନିହାତି ଆବଶ୍ୟକ ।