ହାଟଡ଼ିହି : ରାଜ୍ୟରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚାଲିଥିବା ମଧ୍ୟାହ୍ନ ଭୋଜନକୁ ନେଇ ଶିକ୍ଷକମାନେ ହରଡଘଣାରେ ପଡିଛନ୍ତି । ମଧ୍ୟାହ୍ନ ଭୋଜନ ସାମଗ୍ରୀର ଅତ୍ୟଧିକ ଦରବୃଦ୍ଧି ହେତୁ ଶିକ୍ଷକମାନେ ମଧ୍ୟାହ୍ନ ଭୋଜନ ପରିଚାଳନା କରିବାରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏପରିକି କେନ୍ଦୁଝର ଜିଲ୍ଲାରେ ଚାଲୁଥିବା ଡିଏମଏଫ ଯୋଜନାରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ଅଣ୍ଡା ଦେବାକୁ ନେଇ ନାନା ସମସ୍ୟା ଦେଖାଦେଇଛି । ଜିଲ୍ଲା ପ୍ରଶାସନ ଅଣ୍ଡା ପ୍ରତି ୫ଟଙ୍କା ୩୦ ଓ ଜାଳେଣୀ ପାଇଁ ୧୫ପଇସା ଯୋଗାଇ ଦେଉଥିବାବେଳେ ଏବେ ଅଣ୍ଡାର ବଜାର ଦର ୬ଟଙ୍କା ୫୦ ଓ ଗ୍ୟାସର ଦରବୃଦ୍ଧି ଶିକ୍ଷକ ମାନଙ୍କୁ ଚିନ୍ତାରେ ପକାଇଛି । ସେହିପରି ପ୍ରଥମରୁ ୫ମ ପର୍ଯ୍ୟନ୍ତ ୪ଟଙ୍କା ୯୩ପଇସା ଓ ୬ଷ୍ଠରୁ ୮ମ ପର୍ଯ୍ୟନ୍ତ ୭ଟଙ୍କା ୩୬ପଇସା ଯୋଗାଇ ଦେଉଥିବାବେଳେ ଏବେ ବଜାରରେ ଡାଲି କିଲୋ ୯୦ଟଙ୍କା, ଆଳୁ କିଲୋ ୩୦ଟଙ୍କା, ପିଆଜ ୫୦ଟଙ୍କା, ରସୁଣ ୧୫୦ଟଙ୍କା, ଅଦା ୧୩୦ଟଙ୍କା, ବାଇଗଣ ୪୦ଟଙ୍କା, ଭଣ୍ଡା ୨୦ଟଙ୍କା, ବୋଇତାଳୁ ୨୦ଟଙ୍କା, ବିଲାତି ୩୦ଟଙ୍କା, ସୋରିଷତେଲ ୧୧୫ ହୋଇଥିବାରୁ ଶିକ୍ଷକମାନେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରି ଉଚ୍ଚମାନର ଖାଦ୍ୟ ଦେବାରେ ବିଫଳ ହେଉଛନ୍ତି । ଅଣ୍ଡା ପାଇଁ ପକେଟରୁ ଖର୍ଚ୍ଚ କରୁଥିବାବେଳେ ଯଦି କୌଣସି ଦିନ ଅଣ୍ଡା ସିଝା ନଦେଉଛନ୍ତି ତେବେ ବିଭାଗୀୟ ଅଧିକାରୀ ମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଛାଉ ନାହାନ୍ତି । ଏବେ ମନ୍ତ୍ରୀ, ବିଧାୟକ, ସଚିବ ଓ ବରିଷ୍ଠ ଅଧିକାରୀ ମାନେ ପିଲା ମାନଙ୍କ ସହିତ ମଧ୍ୟାହ୍ନ ଭୋଜନ ଖାଉଥିବାବେଳେ ଏହାର ମାନ ପରୀକ୍ଷଣ ପାଇଁ ଅଧିକାରୀ ମାନଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି । କିନ୍ତୁ ଏତେ କମ୍ ପଇସାରେ କିପରି ଖାଦ୍ୟର ମାନ ଠିକ୍ ହେବ ତାହାକୁ ନେଇ ଶିକ୍ଷକମାନେ ପ୍ରଶ୍ନ ଉଠାଇଛନ୍ତି । ମାର ମାର ଭଣ୍ଡାରିଆକୁ ମାର ନୀତିରେ ସବୁବେଳେ ଶିକ୍ଷକ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବାରୁ ଶିକ୍ଷକମାନେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତିରୁ ଓହରି ଯିବାକୁ ନେଇ ବାରମ୍ବାର ଦାବି କରୁଛନ୍ତି । କିନ୍ତୁ ପ୍ରଶାସନ ମଧ୍ୟାହ୍ନ ଭୋଜନର ଦରବୃଦ୍ଧି ନକରି ପିଲା ମାନଙ୍କୁ ଉତ୍ତମ ଖାଦ୍ୟ ପ୍ରସ୍ତୁତ କରିବାକୁ କହିବା କେତେଦୁର ଠିକ୍ ତାହାକୁ ନେଇ ପ୍ରଶ୍ନ ଉଠିଛି ।