ପ୍ରାଣଘାତୀ କରୋନା ଭୂତାଣୁ ସଂକ୍ରମଣ ବିରୁଦ୍ଧରେ ଦେଶ ଏବେ ଲଢେଇ ଜାରି ରଖିଥିବା ସମୟରେ ଏବଂ ସାମୁଦ୍ରିକ ଝଡ ଅମ୍ଫନର କମ୍ପନ ପରେ ଦେଶ ଆଉ ଏକ ଭୟଙ୍କର ବିପର୍ଯ୍ୟାୟର ସମ୍ମୁଖୀନ ହୋଇଛି, ତାହା ହେଉଛି ପଙ୍ଗପାଳ, ଆକ୍ରମଣ ବୋଲି କୁହାଯାଇପାରେ । କରୋନା ଓ ଅମ୍ଫନ ଉଭୟ ଜୀବନ, ଜୀବିକା ଓ ଭିତିଭୂମି ଉପରେ ତାଣ୍ଡବ ସୃଷ୍ଟି କରିଥିବା ବେଳେ ପଙ୍ଗପାଳ କୃଷିକ୍ଷେତ୍ର ବା ଖାଦ୍ୟର ଭଣ୍ଡାର ଉପରେ ବିପର୍ଯ୍ୟାୟର କାରଣ ହୋଇଛି । କରୋନା ଭୂତାଣୁରେ ଦୈନିକ ୬ ହଜାରରୁ ଉଦ୍ଧ୍ୱର୍ ଆକ୍ରାନ୍ତ ହେଉଥିବା ବେଳେ ଦୈନିକ ଶତାଧିକ ଲୋକ ପ୍ରାଣ ହରାଇଛନ୍ତି । ୧୯୯୯ ସୁପର ସାଇକ୍ଲୋନର ଦୁଇ ଦଶନ୍ଧି ପରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ପୂର୍ବ ଭାରତୀୟ ଅଂଚଳରେ ଧ୍ୱଂସର ତାଣ୍ଡବ ରଚିଥିବା ବେଳେ ଭିତିଭୂମୀକୁ ଦୋହଲାଇ ଦେଇଛି ।
କିନ୍ତୁ ଏବେ ପଶ୍ଚିମ-ଉତର ଭାରତର ପାଂଚଟି ରାଜ୍ୟ ତଥା ପଂଜାବ, ରାଜସ୍ଥାନ, ଗୁଜୁରାଟ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରେ ପଙ୍ଗପାଳ କୃଷିକ୍ଷେତ୍ରକୁ ଶ୍ରୀହୀନ କରିଦେବା ସହ ଖାଦ୍ୟ ଭଣ୍ଡାରରେ ଝଡ ସୃଷ୍ଟି କରି ଦେଶକୁ ଆଉ ଏକ ବଡ ବିପର୍ଯ୍ୟାୟ ସୃଷ୍ଟି କରିଛି । କୁହାଯାଏ ଯେ, ଗୋଟିଏ ମଧ୍ୟମ ଧରଣର ସହରର ବାସିନ୍ଦା ଗୋଟିଏ ଦିନରେ ଯେତିକି ଖାଦ୍ୟ ଖାଆନ୍ତି, ଗୋଟିଏ ପଙ୍ଗପାଳ ଦଳ ମଧ୍ୟ ଗୋଟିଏ ଦିନରେ ସେତିକି ଖାଦ୍ୟ ଖାଇଥାନ୍ତି । ପାକିସ୍ଥାନ ତଥା ରାଜସ୍ଥାନର ଥର ମରୁଭୂମି ପଟୁ ଆସିଥିବା ଏହି ପଙ୍ଗପାଳ ଦଳ ଗୋଟିଏ ପରେ ଗୋଟିଏ ରାଜ୍ୟ ଅତିକ୍ରମ କରି ଏବେ ମହାରାଷ୍ଟ୍ରରେ ପହଁଚିଛନ୍ତି । ଏଥିରୁ ଗୋଟିଏ ଦଳ ଏବେ ଓଡ଼ିଶା ମୁହାଁ ହୋଇଥିବା କୁହାଯାଇଛି ।
ଆହୁରି ମଧ୍ୟ କୁହାଯାଇଛି ଯେ, ପଙ୍ଗପାଳ ଦଳ ଗୋଟିଏ ଦିନରେ ଶହ ଶହ ହେକ୍ଟର ଜମିରେ ଫସଲ ଖାଇଯିବା ସହ ୧୫୦ କିଲୋମିଟର ପଥ ଅତିକ୍ରମ କରିଥାନ୍ତି । ଯଦି ଓଡ଼ିଶା ମୁହାଁ ପଙ୍ଗପାଳ ଦଳ ହୋଇଥାନ୍ତି, ତେବେ ରାଜ୍ୟରେ ପହଁଚିବା ଆଉ ବେଶୀ ଦୂର ନୁହେଁ ବୋଲି କୁହାଯାଇପାରେ । ଏବେ ରବି ଫସଲ ଅମଳ ସମୟ ହୋଇଥିବାରୁ ଚାଷୀ ଆତଙ୍କିତ ହୋଇଥିବା ବେଳେ ସରକାର ମଧ୍ୟ ଚିନ୍ତାରେ । ଉଲ୍ଲେଖ ଯୋଗ୍ୟ ଯେ, ମରୁଭୂମି ଅଂଚଳରୁ ସୃଷ୍ଟି ହୋଇଥିବା ପଙ୍ଗପାଳ କୃଷିକ୍ଷେତ୍ର ପ୍ରତି ସର୍ବଦା ଅନିଷ୍ଟକାରକ ହୋଇ ଆସିଛନ୍ତି । ୧୯୬୪ ମସିହାରୁ ୧୯୯୭ ମସିହା ମଧ୍ୟରେ ଆମ ଦେଶରେ ୧୩ଥର କୃଷିକ୍ଷେତ୍ର ପଙ୍ଗପାଳ ଦଳର ଶିକାର ହୋଇଛି । ୨୦୧୦ ମସିହା ପରେ କୃଷିକ୍ଷେତ୍ର ପଙ୍ଗପାଳ ଦଳର ଆକ୍ରମଣର ଶିକାର ହୋଇନଥିଲା କିମ୍ବା ବ୍ୟାପକ ମାତ୍ରାରେ ପଙ୍ଗପାଳ ବଂଶ ବିସ୍ତାର କରିଥିବା କୌଣସି ରିପୋର୍ଟ ନାହିଁ । ଗୋଟିଏ ଗୋଟିଏ ପଙ୍ଗପାଳ ଦଳରେ ୩ ଲକ୍ଷରୁ ଉଦ୍ଧ୍ୱର୍ ରହିଥାନ୍ତି ।
ପଙ୍ଗପାଳ ଦଳ ଉଡିବା ସମୟରେ ସୂର୍ଯ୍ୟଙ୍କ ଆଲୋକ ପୃଥିବୀ ପୃଷ୍ଠରେ ପଡେ ନାହିଁ । ଜଳବାୟୁ ଉପରେ ପଙ୍ଗପାଳର ବଂଶ ବିସ୍ତାର ହୋଇଥାଏ । ଗତ ବର୍ଷ ଦେଶରେ ଅତ୍ୟଧିକ ବର୍ଷା ହେତୁ ମରୁଭୂମି ଅଂଚଳରେ ପଙ୍ଗପାଳର ବଂଶ ବିସ୍ତାରରେ ସହାୟକ ହୋଇଛି ବୋଲି କୁହାଯାଉଛି । ସେହିପରି ପଙ୍ଗପାଳ ଆକାଶରେ ଉଡିବା ଆରମ୍ଭ କରିବା ପରେ ଏହାକୁ ନିୟନ୍ତ୍ରଣ କରିବା କିମ୍ବା ମାରିବା ଆଦୌ ସହଜ ହୋଇନଥାଏ । ବଂଶ ବିସ୍ତାର ସମୟରେ ଏହା ଭୂପତିତ ଥିବା କୀଟନାଶକ ଔଷଧ ସିଂଚନ ଦ୍ୱାରା ଏହାକୁ ନିୟନ୍ତ୍ରଣ କରାଯାଇପାରିଥାଏ । ଏବେ ପଙ୍ଗପାଳ ଦଳକୁ ନିୟନ୍ତ୍ରଣ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ପକ୍ଷରୁ ୮୯ଟି ଅଗ୍ନିଶମ ବାହିନୀ ଦ୍ୱାରା କୀଟନାଶକ ଔଷଧ ସିଂଚନ କାର୍ଯ୍ୟରେ ନିୟୋଜିତ ଥିବାବେଳେ ୧୨୦ଟି ସର୍ଭେଯାନ, ସ୍ପ୍ରେ ଉପକରଣ ସହ ଶତାଧିକ କଂଟ୍ରୋଲ ଭେକିଲ, ଶହଶହ ଟ୍ରାକ୍ଟରକୁ ନିୟୋଜିତ କରାଯାଇଥିବା ସତ୍ୱେ ଏହା ଫଳପ୍ରଦ ହୋଇପାରିନାହିଁ । ଏବେ ପଙ୍ଗପାଳ ଦଳ ଓଡ଼ିଶା ମୁହାଁ ହୋଇଥିବାରୁ ଚାଷୀକୂଳ ଆତଙ୍କିତ ହେବା ସ୍ୱାଭାବିକ ।
ତେବେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ସତର୍କତା ପାଇଁ ଏକ ମାର୍ଗଦର୍ଶିକା ଜାରି କରାଯିବା ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ । ରାଜ୍ୟ ସରକାର ମଧ୍ୟ ପଙ୍ଗପାଳକୁ ପ୍ରତିହିତ କରିବା ପାଇଁ ତତ୍ପରତା ପ୍ରକାଶ କରିଛନ୍ତି । ତେବେ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ମାର୍ଗଦର୍ଶିକା ଅନୁଯାୟୀ ନିମ୍ବ ମଂଜିର ଦ୍ରବଣ ପଙ୍ଗପାଳ କବଳରୁ ଫସଲକୁ ସୁରକ୍ଷିତ ରଖିପାରିବ । ରାଜ୍ୟ ସରକାର ଯଥେଷ୍ଟ ପରିମାଣାର ନିମ୍ବ ମଂଜି ଦ୍ରବଣ ମହଜୁଦ ରଖିବା ଏବେ ସବୁଠାରୁ ଜରୁରୀ । ଏ କ୍ଷେତ୍ରରେ ସାମାନ୍ୟ ଅବହେଳା କେବଳ ଚାଷ ଓ ଚାଷୀଙ୍କୁ କ୍ଷତି ପହଂଚାଇବ ନାହିଁ । ଦେଶରେ ଖାଦ୍ୟ ସଂକଟ ସୃଷ୍ଟି କରିବା ସମ୍ଭାବନାକୁ ମଧ୍ୟ ଏଡାଇ ଦିଆଯାଇନପାରେ । ବନ୍ୟା, ବାତ୍ୟା, ମରୁଡି ଜନିତ କ୍ଷତିଠାରୁ ପଙ୍ଗପାଳ ଦ୍ୱାରା କ୍ଷତି ଅତି ଭୟଙ୍କର । ପଙ୍ଗପାଳ ଗଛର ପତ୍ର, ଫୁଲ ଫଳ ଖାଇ ଦେଉଥିବାରୁ ଅମଳ ଆଶା ଶୂନ । ସରକାର କେବଳ ତତ୍ପରତା ପ୍ରକାଶ କଲେ ହେବନାହିଁ, ପଙ୍ଗପାଳ ମୁକାବିଲା ପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ।