Odisha news

ଓଡ଼ିଶାରେ ଉର୍କଷ ହେଉଛି ଏକ ପରମ୍ପରା: ରାଜ୍ୟପାଳ

0

ଭୁବନେଶ୍ୱର , ୦୨ ଜୁଲାଇ – ସମସ୍ତଙ୍କୁ ସ୍ୱୀକାର କରିବା ଓ ସଭିଙ୍କୁ ପ୍ରେମ କରିବା ହେଉଛି ସକଳ ଚିନ୍ତନ ଓ ଅନ୍ୱେଷଣର ଶୀର୍ଷ ସ୍ତର । ଏହି ସ୍ତରକୁ ପଥ ଉଭୟ ଆନନ୍ଦମୟ ଓ ଆହ୍ୱାନ ପୂର୍ଣ୍ଣ । ନିଷ୍ଠା, କର୍ମକୁଶଳତା ଓ ଆନ୍ତରିକତା ମାଧ୍ୟମରେ ଏହା ସୁଗମ ହୋଇଥାଏ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି ।
ଗୁରୁବାର ରାଜଭବନର ଅଭିଷେକ ହଲ୍‌ରେ ଆୟୋଜିତ ମାସିକ ଓଡ଼ିଆ ପତ୍ରିକା ‘କାଦମ୍ବିନୀ’ର ବିଂଶ ସ୍ୱନକ୍ଷତ୍ର ଉତ୍ସବରେ ଯୋଗ ଦେଇ ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ ଓଡ଼ିଶାରେ ଉର୍କଷ ହେଉଛି ଏକ ପରମ୍ପରା ଯେଉଁଥିପାଇଁ ଏହି ରାଜ୍ୟର ଅନ୍ୟନାମ ଉତ୍କଳ । ‘କାଦମ୍ବିନୀ’ ପତ୍ରିକା ଜଗତରେ ଉତ୍କର୍ଷର ଏକ ପ୍ରତୀକ । ଗତ ୨୦ ବର୍ଷର ଗୌରବମୟ ଯାତ୍ରାର ଅଭିଜ୍ଞତା ଓ ଉପଲବ୍ଧିକୁ ଆଧାର କରି ଭବିଷ୍ୟତର ଆହ୍ୱାନ ଓ ଆବଶ୍ୟକତା ଅନୁସାରେ ‘କାଦମ୍ବିନୀ’ ନିଜକୁ ବିବର୍ତିତ କରିବ ବୋଲି ରାଜ୍ୟପାଳ ଆଶା ପ୍ରକାଶ କରିଥିଲେ ।
‘କାଦମ୍ବିନୀ’ର ପ୍ରତିଷ୍ଠାତା ତଥା ସାଂସଦ ଅଚ୍ୟୁତ ସାମନ୍ତ ପତ୍ରିକାର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସଂପର୍କରେ ଉଲ୍ଲେଖ କରି ଏହା ଅନେକାଂଶରେ ପୂରଣ ହୋଇଥିବା ପ୍ରକାଶ କରିଥିଲେ । ବିଶିଷ୍ଟ କବି ତଥା ପୂର୍ବତନ ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ ‘କାଦମ୍ବିନୀ’ ସହ ନିଜ ସଂପର୍କର ଅବତାରଣ କରି ପତ୍ରିକାର ବିପୁଳ ଲୋକପ୍ରିୟତା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ବୋଲି କହିଥିଲେ ।
ରାଜ୍ୟପାଳଙ୍କ ସଚିବ ପ୍ରମୋଦ କୁମାର ମେହେର୍ଦା ପରିବର୍ତିତ ପରିବେଶ ପାଇଁ ପତ୍ରିକା ନିଜକୁ ପ୍ରସ୍ତୁତ କରିବା ହେଉଛି ସମୟର ଆବଶ୍ୟକତା ଏବଂ ‘କାଦମ୍ବିନୀ’ର ଯାତ୍ରା ବେଶ ଉତ୍ସାହଜନକ ବୋଲି କହିଥିଲେ । ସମ୍ପାଦିକା ଇତି ସାମନ୍ତ ‘କାଦମ୍ବିନୀ’ର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ ।

Leave A Reply