Odisha news

କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ରକୁ ଜୁଲାଇ ୩୧ ତାରିଖ ସୁଦ୍ଧା କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ – ପ୍ରାଣୀ ସମ୍ପଦ ମାଧ୍ୟମରେ ଚାଷୀମାନଙ୍କ ଆୟ ବୃଦ୍ଧି କରାଯାଇ ପାରିବ : ଅରୁଣ ସାହୁ

0

ଭୁବନେଶ୍ୱର :  କୋଭିଡ-୧୯ ପରିସ୍ଥିତିରେ ଚାଷୀଙ୍କ ଆୟ ବୃଦ୍ଧି ସହିତ ପୁଷ୍ଟିକର ଖାଦ୍ୟ ଯୋଗାଣ ଦିଗରେ ପ୍ରାଣୀ ସମ୍ପଦ ବିଭାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ସମସ୍ତ ଯୋଜନା ଓ ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଲୋକ ସେବା ଭବନଠାରେ ପ୍ରାଣୀ ସମ୍ପଦ ବିକାଶ କ୍ଷେତ୍ରରେ ବିଭିନ୍ନ ଯୋଜନାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ଅବସରରେ ଅଧିକରୁ ଅଧିକ ଚାଷୀମାନଙ୍କୁ ପ୍ରାଣୀ ସମ୍ପଦ କ୍ଷେତ୍ରକୁ ଆକୃଷ୍ଟ କରିବା ପାଇଁ ପ୍ରଚାର ପ୍ରସାର କାର୍ଯ୍ୟ ଉପରେ ମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରିଥିଲେ । ରାଜ୍ୟର ଥିବା ସମସ୍ତ କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ରକୁ ଜୁଲାଇ ୩୧ ତାରିଖ ସୁଦ୍ଧା କାର୍ଯ୍ୟକ୍ଷମ କରିବା ପାଇଁ ମନ୍ତ୍ରୀ ଡଃ ସାହୁ ନିର୍ଦ୍ଦେଶ ଦେଇଥିଲେ ।
କୋଭିଡ-୧୯ ପରିସ୍ଥିତରେ ରାଜ୍ୟରେ କୁକୁଡ଼ା ଚାଷକୁ ପ୍ରୋତ୍ସାହିତ କରିବା, ମାଂସ ଓ ଅଣ୍ଡା ଉତ୍ପାଦନ ବୃଦ୍ଧି କରି ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ସହିତ ଲୋକମାନଙ୍କ ରୋଜଗାରର ସୁଯୋଗ ସୃଷ୍ଟି କରିବା ପାଇଁ ବିଭିନ୍ନ ଯୋଜନା ଚାଲୁ କରାଯାଉଛି । ରାଜ୍ୟ ଯୋଜନା ଅନ୍ତର୍ଗତ ଏକ କାର୍ଯ୍ୟକ୍ରମରେ ୬୫୬ ଜଣ ଚାଷୀଙ୍କୁ ଅଣ୍ଡାଦିଆ କୁକୁଡ଼ା ଚାଷ କରିବା ନିମନ୍ତେ ପ୍ରୋତ୍ସାହନ ଯୋଗାଇ ଦିଆଯିବ । ଏହି ଯୋଜନାରେ ହିତାଧିକାରୀଙ୍କୁ ୪୦ ପ୍ରତିଶତ ରିହାତି ଦିଆଯିବାର ବ୍ୟବସ୍ଥା ରହିଛି । ଏହା ମାଧ୍ୟମରେ ରାଜ୍ୟରେ ଦୈନିକ ପ୍ରାୟ ୫ ଲକ୍ଷ ଅଧିକ ଅଣ୍ଡା ଉତ୍ପାଦନ ହୋଇ ପାରିବ । ସେହିପରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଡିପ୍ ଲିଟର ପଦ୍ଧତିରେ ଅଣ୍ଡାଦିଆ କୁକୁଡ଼ା ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି । ଏଥିରେ ୧୦୦୨ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଅନ୍ତର୍ଭୁକ୍ତ କରାଯିବ ଏବଂ ଏହା ମାଧ୍ୟମରେ ୧୦ ହଜାର ୨୦ଜଣ ହିତାଧିକାରୀ ଉପକୃତ ହେବେ । ଏଥିରେ ୫୦ ପ୍ରତିଶତ ସବ୍‌ସିଡିର ବ୍ୟବସ୍ଥା ରହିଥିବା ବେଳେ ଦିନକୁ ୧.୫ ଲକ୍ଷ ଅଧିକ ଅଣ୍ଡା ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି । ଅନ୍ୟ ଏକ ଯୋଜନାରେ ପ୍ରବାସୀ ଶ୍ରମିକ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ରୋଜଗାର ଯୋଗାଇ ଦେବା ନିମନ୍ତେ ବ୍ରଏଲର କୁକୁଡ଼ା ପାଳନର ଲକ୍ଷ୍ୟ ରଖାଯାଇଛି ।

Leave A Reply

Your email address will not be published.