ଭୁବନେଶ୍ୱର: କୃଷି କ୍ଷେତ୍ରରେ ଯାନ୍ତ୍ରିକୀକରଣକୁ ବଢ଼ାଇବା ଏବଂ ଚାଷୀମାନଙ୍କ ଆୟ ବୃଦ୍ଧି କରିବା ଲକ୍ଷ୍ୟ ନେଇ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଫିକିର ମିଳିତ ସହଯୋଗରେ ଭୁବନେଶ୍ୱର ବରମୁଣ୍ଡା ଖେଳ ପଡ଼ିଆରେ ଆୟୋଜନ କରାଯାଇଥିବା ତିନି ଦିନିଆ “କୃଷି ଓଡ଼ିଶା ୨୦୨୩’ ଆଜି ଉଦ୍ଯାପିତ ହୋଇଛି । କୃଷିରେ ଉଦୀୟମାନ ପ୍ରଯୁକ୍ତିବିଦ୍ୟା ଉପରେ ପର୍ଯ୍ୟବେସିତ ଏହି କାର୍ଯ୍ୟକ୍ରମରେ ସାରା ରାଜ୍ୟରୁ ୨୦ ହଜାରରୁ ଅଧିକ ଚାଷୀ, ଚାଷୀ ଉଦ୍ୟୋଗୀଙ୍କ ସମାଗମ ହୋଇଥିଲା ।
ଉଦଯାପନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି ଯେ ମାନବ ସଭ୍ୟତା କୃଷିରୁ ଆରମ୍ଭ ହୋଇଥିଲା । ମାନବ ସଭ୍ୟତାର ମୂଳ ଢାଂଚା କୃଷି ଉପରେ ପର୍ଯ୍ୟବେସିତ ରହିଛି । ଏକ ସୁନ୍ଦର ସମାଜ ଗଢ଼ିବା ଲାଗି ଆମକୁ ଚାଷୀଭାଇମାନଙ୍କଠାରୁ ବହୁତ କିଛି ଶିଖିବାର ଅଛି । ଜଣେ ଚାଷୀ ମାଟିରେ ଚାଷ କରି ଫୁଲ ଫୁଟାଇବାର ଯାଦୁକରୀ କାମ କରିପାରେ । ଆଜିର ଚାଷୀକୂଳ କିନ୍ତୁ ବିଭିନ୍ନ ଆହ୍ୱାନକୁ ସାମ୍ନା କରୁଛି । ତାହାର ମୁକାବିଲା ଲାଗି ସବୁ କ୍ଷେତ୍ରରେ ଏକ ମିଳିତ ଉଦ୍ୟମର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।
ରାଜ୍ୟ ସରକାର ଘୋଷଣା କରୁଥିବା ଯୋଜନା ଗୁଡ଼ିକର ଲାଭ ହାସଲ କରିବା ଏବଂ ଚାଷ କାମରେ ନୂଆ ନୂଆ ପ୍ରଯୁକ୍ତି, ଯନ୍ତ୍ରପାତି ଓ ଜ୍ଞାନକୌଶଳ ବ୍ୟବହାର କରିବାକୁ ସେ ଚାଷୀମାନଙ୍କୁ ଆହ୍ୱାନ ଦେଇଛନ୍ତି । ଚାଷୀମାନଙ୍କ ଆୟର ସୁରକ୍ଷା ଲାଗି ରାଜ୍ୟ ସରକାର ଘୋଷଣା କରିଥିବା କାଳିଆ ଯୋଜନାକୁ ସେ ପ୍ରଶଂସା କରିଛନ୍ତି ।
ଏହି ଅବସରରେ ଗଭର୍ଣ୍ଣର ପ୍ରଫେସର ଗଣେଶୀ ଲାଲ ଭାରତର ପ୍ରଥମ କୃଷି କ୍ଷେତ୍ରର ଏଆଇ ଚାଟ୍ ବଟ୍ “ଆମ କୃଷଏଆଇ’କୁ ଉନ୍ମୋଚନ କରିଛନ୍ତି । ବର୍ତମାନ ୧୦ ହଜାର ଚାଷୀଙ୍କୁ ନେଇ ଏହାର ପରୀକ୍ଷଣ ଜାରି ରହିବ । ଆସନ୍ତା ଦୁଇ ମାସ ଭିତରେ ତାହାକୁ ପୂର୍ଣ୍ଣ କ୍ଷମତାର ସହ ଲାଗୁ କରାଯିବ । ଆମ କୃଷଏଆଇ ଚାଟ୍ବଟ୍ ଜରିଆରେ ଚାଷୀମାନେ ଚାଷ ପ୍ରଣାଳୀ, ସରକାରୀ ଯୋଜନା ଏବଂ ୪୦ରୁ ଅଧିକ ବ୍ୟାଙ୍କ ଓ ସମବାୟ ବ୍ୟାଙ୍କର ଋଣ ଉତ୍ପାଦ ବିଷୟରେ ଜାଣିପାରିବେ ।
ଏହି ଅବସରରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଯେ କୃଷି ହେଉଛି ଏକମାତ୍ର କ୍ଷେତ୍ର ଯାହା କରୋନା ମହାମାରୀ ସମୟରେ ପ୍ରଭାବିତ ହୋଇନଥିଲା । ବହୁ ବର୍ଷ ପୁର୍ବେ କ୍ଷୁଧା ଓ ଭୋକ ପାଇଁ ପରିଚିତ ଥିବା ଓଡ଼ିଶା ଏବେ ଅନେକ ଫସଲରେ ସ୍ୱାବଲମ୍ବୀ ହୋଇପାରିଛି । ମାଛ, ମାଂସ, ଅଣ୍ଡା ଓ ଦୁଗ୍ଧରେ ଆମେ ସ୍ୱାବଲମ୍ବୀର ନିକଟବର୍ତୀ ହୋଇପାରିଛୁ । ଚାଷ ଖର୍ଚ୍ଚକୁ କମ୍ କରିବା ଲାଗି ସରକାର ଗୁରୁତ୍ୱ ଦେଉଛନ୍ତି । ସେହି ଲକ୍ଷ୍ୟ ହାସଲ କରିବା ଲାଗି କୃଷିର ଯାନ୍ତ୍ରିକୀକରଣ ଆବଶ୍ୟକ ବୋଲି ଶ୍ରୀ ସ୍ୱାଇଁ କହିବା ସହ ଚାଷ କାମରେ ନୂତନ ଯନ୍ତ୍ରପାତି ଓ ପ୍ରଯୁକ୍ତିର ବ୍ୟବହାର କରିବା ଲାଗି ସେ ଚାଷୀମାନଙ୍କୁ ଆହ୍ୱାନ ଦେଇଛନ୍ତି ।
ମହିଳା ଓ ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍ କହିଛନ୍ତି ଯେ, “ସତୁରି ପ୍ରତିଶତ ଲୋକମାନଙ୍କ ପାଇଁ ଚାଷ ହେଉଛି ଜୀବିକା । କୃଷି ଓ କୃଷକମାନଙ୍କ ବିକାଶ ପ୍ରତି ସରକାର ଗୁରୁତ୍ୱ ଦେଉଛନ୍ତି । କାଳିଆ, ବଳରାମ ଯୋଜନା, ପୁଷ୍ଟିଶସ୍ୟ ଏବଂ କୃଷି କାର୍ଯ୍ୟର ବାଣିଜ୍ୟକରଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି ବୋଲି ସେ କହିଛନ୍ତି ।
କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ, କୃଷି ଯାନ୍ତ୍ରିକୀକରଣ, ଫସଲ ବିବିଧକରଣ, ଆନୁଷଙ୍ଗିକ କ୍ଷେତ୍ରର ବିକାଶ ଏବଂ ଉଦ୍ୟମିତା ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ ।
ମତ୍ସ୍ୟ ଚାଷ ଓ ପଶୁପାଳନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ କହିଥିଲେ ଯେ ପ୍ରାଣୀ ସମ୍ପଦ ଓ ଦୁଗ୍ଧ ଉତ୍ପାଦନରେ ଆମେ ଉଲ୍ଲେଖନୀୟ ସଫଳତା ହାସଲ କରିଛୁ । କେଜ୍ କଲ୍ଚର, ତିଲାପିଆ ମାଛ ଏବଂ ବାୟୋ ଫ୍ଲକ୍ ଭଳି ପ୍ରଯୁକ୍ତିକୁ ବିକାଶ କରାଯାଇଛି ଯାହା ଦ୍ୱାରା ଚାଷୀମାନେ ଉପକୃତ ହେଉଛନ୍ତି ।
ଫିକି ଜାତୀୟ କୃଷି କମିଟିର ଅଧ୍ୟକ୍ଷ ତଥା ଟାଫେ ଲିମିଟେଡ୍ର ଗ୍ରୁପ୍ ସଭାପତି ଶ୍ରୀ ଟିଆର୍ କେଶବନ୍ ଇନ୍ପୁଟ୍ ଖର୍ଚ୍ଚ କମ୍ କରିବା ଉପରେ ଗୁରୁତ୍ୱ ଦେବା ସହ ଜଳ ବ୍ୟବହାରରେ ଉନ୍ନତି ଆଣିବାକୁ କହିଥିଲେ । ଜଳକୁ ନେଇ ଚାଷ କିଭଳି ଅଧିକ ନିରନ୍ତର ହୋଇପାରିବ ତାହା ଉପରେ ଗୁରୁତ୍ୱ ଦେବାକୁ ସେ ଚାଷୀମାନଙ୍କୁ ଆହ୍ୱାନ ଦେଇଥିଲେ ।
ଏହି ଅବସରରେ ମତ୍ସ୍ୟଚାଷ ନିର୍ଦେଶକ ଶ୍ରୀ ସ୍ମୃତି ରଂଜନ ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କୃଷି ନିର୍ଦେଶକ ଶ୍ରୀ ପ୍ରେମ୍ ଚନ୍ଦ୍ର ଚୌଧାରୀ ଏବଂ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦେଶକ ଡକ୍ଟର ୟେଦୁଲା ବିଜୟ ମଧ୍ୟ ମଂଚାସୀନ ଥିଲେ ।
ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଲାଲ କୃଷି କ୍ଷେତ୍ର ଲାଗି ଭାରତର ପ୍ରଥମ ଚାଟ୍ବଟ୍ ଆମ କୃଷଏଆଇର ଶୁଭାରମ୍ଭ କରିଥିଲେ ଯାହା ବର୍ତମାନ ୧୦ ହଜାର ଚାଷୀଙ୍କୁ ନେଇ ପରୀକ୍ଷଣ କରାଯିବ ଏବଂ ଆଗାମୀ ଦୁଇ ମାସରେ ତାହାକୁ ପୂର୍ଣ୍ଣକାଳୀନ କାର୍ଯ୍ୟକାରୀ କରିବାର ଯୋଜନା ରହିଛି । ଆମ କୃଷଏଆଇ ଚାଟ୍ବଟ୍ ଜରିଆରେ ଚାଷୀମାନେ ଶ୍ରେଷ୍ଠ ପ୍ରଥା, ସରକାରୀ ସ୍କିମ୍ ଏବଂ ୪୦ଟି ବାଣିଜ୍ୟିକ ବ୍ୟାଙ୍କ ଓ ସମବାୟ ବ୍ୟାଙ୍କର ଋଣ ବିଷୟରେ ଜାଣିପାରିବେ ।
କୃଷି କ୍ଷେତ୍ରର ଯାନ୍ତ୍ରିକୀକରଣ ଏବଂ ଚାଷୀଙ୍କ ଆୟରେ ଉନ୍ନତି ଆଣିବା ଲାଗି ଆୟୋଜନ କରାଯାଇଥିବା ଏହି ତିିନି ଦିନିଆ କୃଷି ଓଡ଼ିଶା କାର୍ଯ୍ୟକ୍ରମର ବିଷୟବସ୍ତୁ ଥିଲା କୃଷି କ୍ଷେତ୍ରରେ ଉଦୀୟମାନ ପ୍ରଯୁକ୍ତିବିଦ୍ୟା ।
