ଖୋର୍ଦ୍ଧା : କରୋନା ମୁକାବିଲା ପାଇଁ ସରକାର ସନ୍ଧ୍ୟା ୭ଟାରୁ ସକାଳ ୭ଯାଏଁ ସଟଡାଉନ ଘୋଷଣା କରିଛନ୍ତି । ତେବେ ଏହା ଲୁଟେରାଙ୍କୁ ବେଶ ସୁହାଇଛି । ଶୁକ୍ରବାର ରାତିରେ ଆଦର୍ଶଥାନା ଅନ୍ତର୍ଗତ ଲୋକେଶ୍ୱରପୁର ଛକରେ ଦୁଇ ସୁନା ବ୍ୟବସାୟୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି କେତେଜଣ ଦୁବୃର୍ତ ୨୨ଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ ମୂଲ୍ୟର ସୁନା ଓ ରୁପା ସମେତ ନଗଦ ୫୦ହଜାର ଟଙ୍କା ଲୁଟିନେଇଥିବା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତିକରି ପୁଲିସ ୧୯୬/୨୦ରେ ଏକ ମାମଲା ରୁଜୁ କରି ଦୁଇଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।
ଅଭିଯୋଗରେ ଦର୍ଶାଯାଇଛି ଯେ, ପାନବରଜସ୍ଥିତ ସେକ୍ ରସିଦ ଓ ସେକ୍ ରୋହିଦ୍ ଙ୍କର ସ୍ଥାନୀୟ ନୂଆବସଷ୍ଟାଣ୍ଡଠାରେ ଏକ ସୁନା ଅଳଙ୍କାର ଦୋକାନ ରହିଛି । କରୋନା ଯୋଗୁ ସନ୍ଧ୍ୟା ୭ଟାପରେ ସଟଡାଉନ ରହିଥିବାରୁ ଦୁଇଭାଇ ସବୁଦିନ ପରି ଦୋକାନ ବନ୍ଦ କରି ଘରକୁ ବାହାରିଥିଲେ । ସଟଡାଉନ ରହିଥିବାରୁ ଲୁଟପାଟ ଆଶଙ୍କା କରି ଦୋକାନରେ ଥିବା ୪୫୦ଗ୍ରାମ୍ ର ସୁନାଅଳଙ୍କାର, ୫କେଜି ରୂପା ଓ ନଗଦ ୫୦ହଜାର ଟଙ୍କା ଏକ ବ୍ୟାଗରେ ଧରିଥିଲେ ।
ତେବେ ସ୍ଥାନୀୟ ପଲା ଲୋକେଶ୍ୱରପୁର ଛକରେ ଶୂନ ଶାନ ରାସ୍ତାର ସୁଯୋଗ ନେଇ ୨ଟି କଳା ପଲସର ଗାଡିରେ ୬ଜଣ ଯୁବକ ମାରଣାସ୍ତ୍ର ଧରି ସେମାନଙ୍କୁ ଅଟକାଇଥିଲେ । ଅତର୍କିିତଭାବେ ମାରଣାସ୍ତ୍ରରେ ସେମାନଙ୍କୁ ଆକ୍ରମଣ କରି ଅଳଙ୍କାର ଓ ଟଙ୍କା ଲୁଟ କରି ଫେରାର ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ଦୁଇଭାଇଙ୍କୁ ସ୍ଥାନୀୟ ଲୋକେ ଖୋର୍ଦ୍ଧା ମେଡିକାଲରେ ଭର୍ତି କରିଥିଲେ । ତେବେ ସେକ୍ ରସିଦଙ୍କ ଅଭିଯୋଗ ଉପରେ ପୁଲିସ ଏକ ମାମଲା ରୁଜୁ କରି ଦୁଇଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ସୂଚନା ଦେଇଛି ।