Odisha news

ଗଞ୍ଜାମ ଜିଲ୍ଲାରେ କରୋନା ନିୟନ୍ତ୍ରଣରେ ଅଛି : ଜିଲ୍ଲାପାଳ ଗଞ୍ଜାମ

0
ଛତ୍ରପୁର .୨୭/୭.: ଗଞ୍ଜାମ ଜିଲ୍ଲାରେ ଏହି କିଛି ଦିନ ହେଲା କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି  । ଏହାର ପ୍ରକୃତ କାରଣ ହେଲା ଜିଲ୍ଲାରେ ଘରକୁ ଘର ବୁଲି ନମୁନା ସଂଗ୍ରହ କରିବା ପ୍ରକ୍ରିୟା  ସ୍ବାସ୍ଥ୍ୟ ଟିମ୍ ଦ୍ବାରା ଚାଲିଛି ଯଦ୍ବାରା କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇପାରୁଛନ୍ତି ଏବଂ ସେମାନଙ୍କର ଚିକିତ୍ସା ଚାଲିଛି  । ଗଞ୍ଜାମ ଜିଲ୍ଲାକୁ ଅଧିକ ସଂଖ୍ୟକ ପ୍ରବାସୀ ଫେରିଛନ୍ତି  । ତେଣୁ ସଂକ୍ରମିତଙ୍କ ସଂଖ୍ୟା ନିଶ୍ଚିତ ବୃଦ୍ଧି ହେବ  ।  ଏଥିରେ ଜିଲ୍ଲାବାସୀ ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅବଗତ କରାଇଛନ୍ତି  । ଜଣକ ଶରୀରରେ ଲକ୍ଷଣ ପ୍ରକାଶ ପାଇବା ପୂର୍ବରୁ ସେମାନେ ଚିହ୍ନଟ ହୋଇପାରିଲେ ସେମାନଙ୍କ ଉପଯୁକ୍ତ ଚିକିତ୍ସା ହୋଇପାରିବ, ଯଦ୍ବାରା ସେମାନଙ୍କ ଅମୂଲ୍ୟ ଜୀବନ ସୁରକ୍ଷିତ ରହିବ  । ତେଣୁ ଲକ୍ଷଣ ନ ଲୁଚାଇ ପ୍ରଶାସନକୁ ଜଣାନ୍ତୁ   ।
ଜିଲ୍ଲାରେ ସଂକ୍ରମଣକୁ ରୋକିବା ଦିଗରେ ଜିଲ୍ଲା ପ୍ରଶାସନ ତରଫରୁ ଯେଉଁ ପଦକ୍ଷେପ ଗ୍ରହଣ କରାଯାଉଛି । ତାହାକୁ ଜନ ସାଧାରଣ ପାଳନ କରନ୍ତୁ  । ଜିଲ୍ଲାର ସମସ୍ତ ବ୍ୟବସାୟୀ ଦୋକାନୀ ମାନଙ୍କୁ ସତର୍କ ରହିବା ସକାଶେ ଜିଲ୍ଲାପାଳ ୫ ଟି ସୂତ୍ର ପାଳନ କରିବାକୁ ଅନୁରୋଧ କରିଛନ୍ତି  । ପ୍ରତ୍ୟେକ ଦୋକାନୀ ନିଜ ଦୋକାନ ସମ୍ମୁଖରେ ବାରିକେଡ୍ ନିର୍ମାଣ କରିବେ  ଏବଂ ସେଗୁଡିକର ଦୂରତ୍ବ ନିହାତି ଦୁଇ ମିଟର ରହିବ  । ଗ୍ରାହକ ମାନଙ୍କ ଛିଡାହେବା ନିମନ୍ତେ ଦୋକାନ ସମ୍ମୁଖରେ ଗୋଲାକାର ଚିହ୍ନ ଦେବେ, ଯଦ୍ବାରା ଜଣେ ଗ୍ରାହକଙ୍କ ଠାରୁ ଅନ୍ୟ ଜଣେ ଗ୍ରାହକଙ୍କ ଦୂରତ୍ବ ଦୁଇ ମିଟର ବଜାୟ ରହିବ  ।
ଦୋକାନ ସମ୍ମୁଖରେ  “ମାସ୍କ ନାହିଁ ତ ଜିନିଷ ନାହିଁ” ବୋର୍ଡ ଲଗାଇବେ  । ଦୋକାନୀ ନିଜେ ମାସ୍କ ପିନ୍ଧିବେ ଓ ମାସ୍କ ପିନ୍ଧି ନଥିବା ଗ୍ରାହକଙ୍କୁ କୌଣସି ପରିସ୍ଥିତିରେ ମଧ୍ୟ ସାମଗ୍ରୀ ବିକ୍ରି କରିପାରିବେ ନାହିଁ  । ଦୋକାନ ସମ୍ମୁଖରେ ସାନିଟାଇଜର୍ ଓ ହାତ ଧୋଇବା ସକାଶେ ପାଣି ରଖିବେ  । ଦୋକାନରୁ ସାମଗ୍ରୀ କିଣି ନେଉଥିବା ଗ୍ରାହକ ମାନଙ୍କର ନାମ ଓ ଫୋନ୍ ନମ୍ବର ସହିତ ଅନ୍ୟ ସବୁ ତଥ୍ୟ ଖାତାରେ ଟିପି ରଖନ୍ତୁ  । ଏହି ପଞ୍ଚସୂତ୍ରୀ ପାଳନ ନକଲେ ଜୋରିମାନା ଆଦାୟ ସହିତ  ସଂପୃକ୍ତ ଦୋକାନ ଏକମାସ ପର୍ଯ୍ୟନ୍ତ ବନ୍ଦ କରାଯିବ, ଏହାକୁ କଡାକଡି ଭାବେ ପାଳନ କରିବାକୁ ସମସ୍ତ ଦୋକାନୀ ମାନଙ୍କୁ ଜଣାଇ ଦିଆଯାଇଛି  ।
ଗ୍ରାମାଞ୍ଚଳରେ ଏକାଠି ବସି ତାସ୍ ଖେଳିବା, କ୍ରିକେଟ୍, ଭଲିବଲ୍, ଫୁଟବଲ୍ ଖେଳୁଥିବା ପ୍ରଶାସନର ନଜରକୁ ଆସିଛି  । ଯାହାଫଳରେ ସଂକ୍ରମଣ  ବୃଦ୍ଧିର ଯଥେଷ୍ଟ ଆଶଙ୍କା ରହିଛି  । ଏଭଳି କାର୍ଯ୍ୟରୁ ଦୂରରେ ରହିବାପାଇଁ ପ୍ରଶାସନ ପକ୍ଷରୁ ଜଣାଇ ଦିଆ ଯାଉଛି  । ଯେଉଁ ମାନେ ଏହି ନିୟମକୁ ମାନିବେ ନାହିଁ , ନିୟମକୁ ଉଲଂଘନ କରିବେ ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ ହେବା ସହିତ ସେମାନଙ୍କୁ ୧୪ ଦିନିଆ ସଂଗରୋଧରେ ରଖିବାପାଇଁ ସମସ୍ତ ତହସିଲଦାର ଓ ଥାନା ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି  । ଗହଳି ହିଁ କରୋନା ସଂକ୍ରମଣ ର ମୂଳ କାରଣ ଏଣୁ ଗହଳି କରନ୍ତୁ ନାହିଁ  । ସାମଗ୍ରୀ କିଣି ଘରକୁ ଫେରିଲା ବେଳେ ସତର୍କ ରହିବାକୁ ଜିଲ୍ଲାପାଳ ସମସ୍ତ ଜନ ସାଧାରଣଙ୍କୁ ଅନୁରୋଧ କରିଥିଲେ  । ସତର୍କତା ଅବଲମ୍ବନ ନ କଲେ ତାଙ୍କ ପରିବାର ମଧ୍ୟ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି  ।
 ଯଦି ଜନସାଧାରଣ ସାମାଜିକ ଦୂରତା ପାଳନ କରିବେ ନାହି ତେବେ ୩୧ ଜୁଲାଇ ପରେ ମଧ୍ୟ ଲକ୍ ଡାଉନ୍ କରିବାର ସମ୍ଭାବନା ରହିପାରେ  । ଦୟାକରି କରୋନାର ପ୍ରସାର ରୋକିବା ଦିଗରେ ଏବଂ ଲୋକମାନଙ୍କ ଅମୂଲ୍ୟ ଜୀବନ ବଞ୍ଚାଇବା ସକାଶେ ପ୍ରଶାସନର ପ୍ରଚଳିତ ନିୟମ ମାନିବାକୁ ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି  ।
Nalco

Leave A Reply