ଗଞ୍ଜାମ : ମହିଳାଙ୍କୁ ବିଳମ୍ବିତ ରାତିରେ ଘରେ ପଶି ହତ୍ୟା କରାଯାଇଥିବା ଘଟଣାର ପର୍ଦ୍ଦାଫାସ କରିଛି କୋଦଳା ପୋଲିସ । ସୂଚନା ଅନୁସାରେ ଗତ ୧ ଏପ୍ରିଲ ୨୦୧୯ ରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଫାଣ୍ଡି ଅର୍ନ୍ତଗତ ବୁରୁଝରୀ ଗ୍ରାମରେ ବିଜୟଲକ୍ଷ୍ମୀ ନାୟକଙ୍କୁ ଘରେ ପଶି କେହି ଦୁର୍ବୃତ ନିର୍ମମ ଭାବେ ହତ୍ୟା କରି ଫେରାର ହୋଇଯାଇଥିଲା । ମହିଳା ଜଣକ ଏକାକୀ ଶୋଇଥିଲେ ଏବଂ ସ୍ୱାମୀ ବାହାର ଦେଶକୁ କାମଧନ୍ଦା କରିବାକୁ ଯାଇଥିଲେ । ମହିଳାଙ୍କ ପୁଅ ଓ ଝିଅ ନିକଟସ୍ଥ ଗ୍ରାମ ବେଲପଡ଼ାକୁ ଯାତ୍ରା ଦେଖିବାକୁ ଯାଇ ବନ୍ଧୁ ସମ୍ପର୍କୀୟଙ୍କ ଘରେ ରାତି ରହି ଯାଇଥିଲେ । ଘରେ ଏକାକୀ ଥିବା ବେଳେ ଏହାର ସୁଯୋଗ ନେଇ ତାଙ୍କୁ ଘରେ ପଶି ହତ୍ୟା କରାଯାଇଥିଲା । ତେବେ ଦୀର୍ଘ ୧୦ ମାସ ପରେ ଏହି ହତ୍ୟାକାଣ୍ଡ ଉପରୁ ପରଦା ହଟାଇଛି କୋଦଳା ଓ ବେଗୁନିଆପଡ଼ା ପୋଲିସ । ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ଦିପ୍ତିରଞ୍ଜନ ବେହେରା ଓ କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତିଙ୍କ ମିଳିତ ଉଦ୍ୟମରେ ଏହି ହତ୍ୟାକାଣ୍ଡର ତଦନ୍ତ ହୋଇଥିବା ଜଣାପଡ଼ିଛି । ସେହି ଗ୍ରାମର ବିନାୟକ ସାହୁଙ୍କୁ ପୋଲିସ ଗିରଫ କରିଛି । ଏଥି ସହିତ ମହିଳାଙ୍କୁ ହତ୍ୟା ଉଦେ୍ଦଶ୍ୟରେ ବ୍ୟବହୃତ କରାଯାଇଥିବା କାଠଫାଳିଆ ରକ୍ତ ଭିଜା ରୁମାଲୁ ପୋଲିସ ଜବତ କରିଛି । ଏହା ଏକ ଅନୈତିକ ସମ୍ପର୍କରୁ ହତ୍ୟା ଘଟଣା ଘଟିଛି ବୋଲି ଜଣା ପଡ଼ିଛି । ମହିଳାଙ୍କ ସହ ଅଭିଯୁକ୍ତଙ୍କ ଅନୈତିକ ସମ୍ପର୍କ ସ୍ଥାପନ ପରେ ସେହି ସମ୍ପର୍କରେ ପାଟି ତୁଣ୍ଡ ସୃଷ୍ଟି ହୋଇଥିଲା । ଗତ ୩୧ ମାର୍ଚ୍ଚ ୨୦୧୯ରେ ଅଭିଯୁକ୍ତ ମହିଳାଙ୍କ ଘରେ ରାତି ପ୍ରାୟ ୧୦.୩୦ ମି. ରେ ପଶି ପାଟି ତୁଣ୍ଡ କରି ମହାଳାଙ୍କ ପିନ୍ଧା ଲୁଗାରେ ତଣ୍ଟି ଚିପି ପରେ କାଠ ଫାଳିଆ ଓ ହେମଦସ୍ତାରେ ମୁଣ୍ଡକୁ ଆଘାତ କରି ମାରିଥିବା ନେଇ ଅଭିଯୁକ୍ତ କହିଛି । ଅଭିଯୁକ୍ତ ବିନାୟକ ସାହୁ, ପିତା- ପୂର୍ଣର୍ଚନ୍ଦ୍ର ସାହୁ ଏବଂ ତାର ବୟସ ୨୬ ବର୍ଷ ଯିଏକି ବ୍ରହ୍ମପୁରରେ ଏମ୍.ଏ.ସି ପାଠ ପଢ଼ି ମୁମ୍ବାଇର ଏକ ଘରୋଇ କମ୍ପାନୀରେ ଚାକିରି କରୁଥିବା ଜଣାପଡ଼ିଛି । ପୋଲିସ ତଦନ୍ତ କରି ଅଭିଯୁକ୍ତଙ୍କ ଧରିବା ପରେ ତାକୁ କୋର୍ଟ ଚାଲାଣ କରାଯାଇଛି । ଆବଶ୍ୟକ ହେଲେ ତାକୁ ରିମାଣ୍ଡରେ ଆଣି ଅଧିକ ପଚରା ଉଚରା କରାଯିବ ବୋଲି ସୂଚନା ମିଳିଛି । ଗୁରୁବାର କୋଦଳା ଥାନାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ପୁରୁଷୋତ୍ତମପୁର ଏସ୍.ଡ଼ି.ପି.ଓ ମିସ୍ ସିମା ସ୍ୱାଇଁ ଘଟଣା ଖୁଲାସା କରିଛନ୍ତି ।