ଡ଼ ପ୍ରତିଭା ମହାରଥୀ : ମୂଷା ହେଉଛି ଗଣେଶଙ୍କ ବାହନ । ପୁରାଣରେ ଅଛି ଇନ୍ଦୁର ନାମକ ଅସୁରକୁ ଦମନ କରି ଗଣେଶ ତାଙ୍କୁ ନିଜର ବାହନ କରିଥିଲେ । ଇନ୍ଦୁର ଅର୍ଥ ମୂଷା । କିନ୍ତୁ ପ୍ରକୃତ ଅର୍ଥ ସେଇଆ ନୁହେଁ । ଜଣେ ଘୋଡ଼ା ପିଠିରେ ବସି ଯାତାୟତ କରିପାରେ । କିନ୍ତୁ କେହି କେବେ ମୂଷା ପିଠିରେ ବସି ଗମନାଗମନ କରିପାରିବ ନାହିଁ ।
ତେଣୁ ଏ ପ୍ରତୀକାତ୍ମକ ବର୍ଣ୍ଣନାର ଭିନ୍ନ ଅର୍ଥ ରହିଛି । ମୂଷାର କାମ ହେଉଛି ଜିନିଷପତ୍ର କଟାକଟି କରିବା, ଅନ୍ୟର କ୍ଷତି କରିବା । ମୂଷା ପାଖରେ ପଞ୍ଚବିକାର ଅର୍ଥାତ୍ କାମ, କ୍ରୋଧ, ଲୋଭ, ମୋହ ଓ ଅହଙ୍କାର ଭରପୂର ହୋଇ ରହିଥାଏ । ଖଳ ପ୍ରକୃତିର ଲୋକଙ୍କ ପ୍ରତୀକ ରୂପେ ମୂଷାଙ୍କୁ ଗଣେଶଙ୍କ ବାହନ ରୂପେ କଳ୍ପନା କରାଯାଇଛି ।
ଗଣେଶ ସମାଜର ଖଳପ୍ରକୃତିର ଲୋକଙ୍କୁ ନିଜ ପାଖରେ ରଖି ତାଙ୍କ ଦୁଷ୍ଟ ସ୍ୱଭାବର ନିୟନ୍ତ୍ରଣ କରନ୍ତି, ଯେପରି ସେମାନେ ସମାଜରେ ଅନ୍ୟ କାହାର କ୍ଷତି କରିପାରିବେ ନାହିଁ । ତେଣୁ ସେ ମୂଷିକବାହନ । ଅନ୍ୟ ଏକ ଅର୍ଥରେ ଯେତେବଡ଼ ଖଳ, ପାପୀ ଅବା ଅପରାଧୀ ହୋଇଥିଲେ ମଧ୍ୟ ଗଣେଶଙ୍କ ଶରଣାପନ୍ନ ହେଲେ ତାର ଜୀବନଧାରା ବଦଳିଯାଏ । ଶ୍ରୀଗଣେଶ ବିଘ୍ନ ବିନାଶକ, ସିଦ୍ଧିଦାତା ଅଟନ୍ତି । ପ୍ରତ୍ୟେକ ଦିନ ତାଙ୍କ ଆରାଧନା କଲେ ସୁଖ, ଶାନ୍ତି, ଆନନ୍ଦ ମିଳିଥାଏ ।