Odisha news

ଏକଦନ୍ତ ଓ ବିନାୟକ କାହିଁକି ଗଣେଶ ଓ ମୂଷିକ କାହିଁକି ଗଣେଶଙ୍କର ବାହନ : ଆସନ୍ତୁ ଜାଣିବା

ଗଣେଶ କାହିଁକି ଏକଦନ୍ତ ଓ ବିନାୟକ : ଦନ୍ତ ଶବ୍ଦର ଆଉ ଗୋଟିଏ ଅର୍ଥ ଅଛି ଦମନକାରୀ, କାରଣ ଦମନାର୍ଥକ ଦମ୍ ଧାତୁରୁ ଦନ୍ତ ଶବ୍ଦ ସୃଷ୍ଟି ହୋଇଛି । ସେଥିପାଇଁ ଯାହାଙ୍କୁ ଦମନ କରିବା କଷ୍ଟସାଧ୍ୟ ତାଙ୍କୁ ଦୁର୍ଦ୍ଦାନ୍ତ କୁହାଯାଏ । ସେହି ଅର୍ଥରେ ଏକଦନ୍ତ ଶବ୍ଦର ଅର୍ଥ ହେଲା ଏକମାତ୍ର ଦମନକାରୀ । ଶତ୍ରୁମାନଙ୍କୁ ଦମନ କରିବାର କ୍ଷମତା ଯାହାର ନାହିଁ ସେ କିପରି ଗଣର ରକ୍ଷା କରିପାରିବ? ଗଣେଶଙ୍କର ଆଉ ଏକ ନାମ ହେଉଛି ବିନାୟକ । ବିଶେଷ ଭାବେ ନିୟନ୍ତ୍ରଣ ବା ବିନାୟନା କରିବାର କ୍ଷମତା ଯାହାର ଅଛି ସେ ବିନାୟକ । ପୁନଶ୍ଚ ବି-ପୂର୍ବକ ନୀ-ଧାତୁରୁ ବିନାୟକ ଶବ୍ଦ ସୃଷ୍ଟି ହୋଇଛି । ନୀ ଅର୍ଥ ନେଇଯିବା । ଯେ ଅନୁଗତ, ଅନୁଗାମୀ ବା ଆଶି୍ରତମାନଙ୍କୁ ବିଶେଷ ଭାବେ ସତ୍ ବା ଆଦର୍ଶ ବା ଇଷ୍ଟ ବା ଧର୍ମ ପଥରେ ନେଇଯାଆନ୍ତି ସେ ହିଁ ବିନାୟକ ।

ଅନ୍ୟ ଏକ କାହାଣୀରେ ବର୍ଣ୍ଣିତ ଅଛି, ମହାପୁରୁଷ ବ୍ୟାସଦେବ ମହାଭାରତର ବୟାନ କରନ୍ତି । ଗଣେଶ ତାଙ୍କ ରାଜି ଅନୁଯାୟୀ ଲେଖନୀରେ ଲେଖି ଚାଲିଛନ୍ତି ମହାଭାରତ । ଉଭୟଙ୍କ ଭିତରେ ସର୍ତ୍ତ ପରସ୍ପର ମାନି ନେଇଛନ୍ତି । ଲେଖା ମଝିରେ ଭାଙ୍ଗିଗଲା ଗଣେଶଙ୍କ ଲେଖନୀ । ଲେଖା ବନ୍ଦ ହେବ ନାହିଁ ବୋଲି ସର୍ତ୍ତ ଥିଲା । କିଂକର୍ତ୍ତବ୍ୟବିମୂଢ଼ ହୋଇ ଗଣେଶ ତାଙ୍କର ଗୋଟେ ଦାନ୍ତ ଭାଙ୍ଗିଦେଇ ଲେଖି ଚାଲିଲେ ବ୍ୟାସଦେବଙ୍କଠୁ ମହାଭାରତ ଶୁଣି ଶୁଣି ।

ମୂଷିକ କାହିଁକି ଗଣେଶଙ୍କର ବାହନ : ମୂଷା ହେଉଛି ଗଣେଶଙ୍କ ବାହନ । ପୁରାଣରେ ଅଛି ଇନ୍ଦୁର ନାମକ ଅସୁରକୁ ଦମନ କରି ଗଣେଶ ତାଙ୍କୁ ନିଜର ବାହନ କରିଥିଲେ । ଇନ୍ଦୁର ଅର୍ଥ ମୂଷା । କିନ୍ତୁ ପ୍ରକୃତ ଅର୍ଥ ସେଇଆ ନୁହେଁ । ଜଣେ ଘୋଡ଼ା ପିଠିରେ ବସି ଯାତାୟତ କରିପାରେ । କିନ୍ତୁ କେହି କେବେ ମୂଷା ପିଠିରେ ବସି ଗମନାଗମନ କରିପାରିବ ନାହିଁ । ତେଣୁ ଏ ପ୍ରତୀକାତ୍ମକ ବର୍ଣ୍ଣନାର ଭିନ୍ନ ଅର୍ଥ ରହିଛି । ମୂଷାର କାମ ହେଉଛି ଜିନିଷପତ୍ର କଟାକଟି କରିବା, ଅନ୍ୟର କ୍ଷତି କରିବା । ମୂଷା ପାଖରେ ପଞ୍ଚବିକାର ଅର୍ଥାତ୍ କାମ, କ୍ରୋଧ, ଲୋଭ, ମୋହ ଓ ଅହଙ୍କାର ଭରପୂର ହୋଇ ରହିଥାଏ । ଖଳ ପ୍ରକୃତିର ଲୋକଙ୍କ ପ୍ରତୀକ ରୂପେ ମୂଷାଙ୍କୁ ଗଣେଶଙ୍କ ବାହନ ରୂପେ କଳ୍ପନା କରାଯାଇଛି । ଗଣେଶ ସମାଜର ଖଳପ୍ରକୃତିର ଲୋକଙ୍କୁ ନିଜ ପାଖରେ ରଖି ତାଙ୍କ ଦୁଷ୍ଟ ସ୍ୱଭାବର ନିୟନ୍ତ୍ରଣ କରନ୍ତି, ଯେପରି ସେମାନେ ସମାଜରେ ଅନ୍ୟ କାହାର କ୍ଷତି କରିପାରିବେ ନାହିଁ । ତେଣୁ ସେ ମୂଷିକବାହନ । ଅନ୍ୟ ଏକ ଅର୍ଥରେ ଯେତେବଡ଼ ଖଳ, ପାପୀ ଅବା ଅପରାଧୀ ହୋଇଥିଲେ ମଧ୍ୟ ଗଣେଶଙ୍କ ଶରଣାପନ୍ନ ହେଲେ ତାର ଜୀବନଧାରା ବଦଳିଯାଏ ।

Comments are closed.