ବାରିପଦା : ବାରିପଦା ଷ୍ଟାଡିୟମ ପଡିଆରେ ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ତଥା ଜିଲ୍ଲା ପ୍ରଶାସନ ଓ ମୟୂରଭଞ୍ଜ ଏଥଲେଟିକ୍ ଏସୋସିଏସନର ମିଳିତ ସହଯୋଗରେ ଚଳିତ ମାସ ଏକ ତାରିଖରୁ ଆରମ୍ଭ ହୋଇଥିବା ଗ୍ରୀଷ୍ମକାଳୀନ ଫୁଟବଲ ପ୍ରଶିକ୍ଷଣ ଶିବିର ଆଜି ଉଦ୍ୟାପିତ ହୋଇଯାଇଛି । ୨୨ଦିନ ଧରି ଅନୁଷ୍ଠିତ ଏହି ଶିବିରରେ ବିଭିନ୍ନ ବିଦ୍ୟାଳୟର ମୋଟ ୧୪୦ଜଣ ଛାତ୍ରଛାତ୍ରୀ ପ୍ରଶିକ୍ଷଣ ନେଉଥିବାବେଳେ ଫୁଟବଲ ପ୍ରତି ବେଶ ଆକୃଷ୍ଟ ହେବାର ଲକ୍ଷ୍ୟ କରାଯାଇଥିଲା । ଆନ୍ତର୍ଜାତୀୟ ଖ୍ୟାତି ସମ୍ପର୍ଣ୍ଣ ଖେଳାଳି ଜବାମଣି ସୋରେନ, ଦିଗୀ ମାଝୀ, ଲକ୍ଷ୍ମୀମଣୀ ସିଂ, ରୁପାଲୀ ପଲେଇ ଓ ଚନ୍ଦ୍ରବଦନୀ ମହାନ୍ତ ପ୍ରମୁଖ କୋଚ ଭାବେ ଯୋଗ ଦେଇ କୁନି କୁନି ଖେଳାଳି ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବାରିପଦା ଉପଜିଲ୍ଲାପାଳ ଈଶ୍ୱର ଚନ୍ଦ୍ର ନାଏକ କୁନିକୁନି ଖେଳାଳି ମାନଙ୍କ ଭିତରେ ଥିବା ପ୍ରତିଭାର ଉପଯୁକ୍ତ ବିକାଶ ହୋଇପାରିଲେ ମୟୁରଭଞ୍ଜ ଫୁଟବଲର ପୂ୍ୱର୍ ଗୌରବ ପୁଣି ଥରେ ଫେରି ଆସିବ ବୋଲି ଆଶା ପୋଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୟୂରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ବରିଷ୍ଠ ସଦସ୍ୟ ମଣ୍ଟୁ ଦା ଓ ଜିଲ୍ଲା କ୍ରୀଡା ଅଧିକାରୀ ଅବନୀ ମୋହନ ମହାନ୍ତି ପ୍ରମୁଖ ଉପସ୍ଥିତ ରହି କୁନି ପ୍ରତିଭା ମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ସମସ୍ତ ଅଭିଭାବକ ମାନଙ୍କୁ ମଧ୍ୟ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ବରିଷ୍ଠ ଫୁଟବଲ ଖେଳାଳି ପରେଶ ଚନ୍ଦ୍ର ଦାସ ଓ ନନ୍ଦଲାଲ ମହାପାତ୍ର ତଥା ଯୋଗ ପ୍ରଶିକ୍ଷକ ଜ୍ୟୋତି ପ୍ରକାଶ ଦାସଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଅବସରପ୍ରାପ୍ତ ପ୍ରଶିକ୍ଷକ କୁମାର ରଞ୍ଜନ ପଣ୍ଡା ସଭାକାର୍ଯ୍ୟ ପରି·ଳନା କରିଥିଲେ ।