Odisha news

୨୦୨୦-୨୧ ରାଜ୍ୟ ଅର୍ଥନୈତିକ ସର୍ଭେ ରିପୋର୍ଟର ଚିତ୍ର : ଆସନ୍ତୁ ଜାଣିବା ସର୍ଭେ ରିପୋର୍ଟ କଣ କହୁଛି

0

ହିମାଂଶୁ ଶେଖର ଆଚାର୍ଯ୍ୟ : କମିଛି ମୁଣ୍ଡପିଛା ଆୟ କମୁଛି ଅଭିବୃଦ୍ଧି ହାର । ଦାରିଦ୍ର୍ୟ ବି ପୂର୍ବ ଅପେକ୍ଷା କମିଛି । ରାଜ୍ୟ ଅର୍ଥନୀତି ଉପରେ ମହାମାରୀ କରୋନାର ପ୍ରତିକୂଳ ପ୍ରଭାବ ପଡିଛି । ଗତ ଶନିବାର ବିଧାନସଭାରେ ଉପସ୍ଥାପିତ ହୋଇଥିବା ୨୦୨୦-୨୧ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି । ବଜେଟ ଉପସ୍ଥାପନା ପୂର୍ବରୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗତକାଲି ଶନିବାର ବିଧାନସଭାରେ ୨୦୨୦-୨୧ର ରାଜ୍ୟ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ କରିଛନ୍ତି । ଏଥିରେ ରାଜ୍ୟରେ ଅଭିବୃଦ୍ଧି ହାର କମୁଛି ବୋଲି ଦର୍ଶାଯାଇଛି । ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୪.୯୨ ପ୍ରତିଶତକୁ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି । ୨୦୧୯-୨୦ରେ ଅଭିବୃଦ୍ଧି ହାର ୫.୨୧ପ୍ରତିଶତ ଥିଲା । ହେଲେ କୃଷି କ୍ଷେତ୍ରରେ ଅଭିବୃଦ୍ଧିହାର ୬.୫୪ପ୍ରତତିଶତ ଆକଳନ କରାଯାଇଥିବା ବେଳେ ଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି ହାର ୮.୮୩ ପ୍ରତିଶତ ଆକଳନ ହୋଇଛି ।

ସେହିପରି ଉକ୍ତ ରିପୋର୍ଟ ଅନୁସାରେ ଓଡିଶାର ମୁଣ୍ଡପିଛା ଆୟ କମିଛି । ଗତବର୍ଷ ତୁଳନାରେ ଓଡିଶାର ମୁଣ୍ଡପିଛା ଆୟ ୨୪୧୦ଟଙ୍କା କମିଛି । ୨୦୧୧-୧୨ରେ ଓଡିଶାର ମୁଣ୍ଡପିଛା ଆୟ ୪୮,୪୯୯ ଥିଲା । ୨୦୧୯-୨୦ରେ ୧ଲକ୍ଷ ୪ହଜାର ୫୬୬ ହୋଇଥିଲା । ରାଜ୍ୟର ମୁଣ୍ଡପିଛା ଆୟ ଗତବର୍ଷ ତୁଳନାରେ ୨.୩ ପ୍ରତିଶତ ହ୍ରାସ ପାଇଛି । ଏହି ଅବଧିରେ ସର୍ବଭାରତୀୟ ମୁଣ୍ଡପିଛା ଆୟ ୬୩ହଜାର ୪୬୨ଟଙ୍କାରୁ ୧ଲକ୍ଷ ୩୪ହଜାର ୨୨୬ ଟଙ୍କା ଥିଲା । ଅର୍ଥାତ ଏହି ଦଶନ୍ଧିରେ ଓଡିଶାର ମୁଣ୍ଡପିଛା ଆୟ ଭାରତର ମୁଣ୍ଡପିଛା ଆୟ ତୁଳନାରେ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ବିହାର, ଉତ୍ତରପ୍ରଦେଶ, ଝାଡଖଣ୍ଡ, ମେଘାଳୟ, ମଧ୍ୟପ୍ରଦେଶ ଓ ଛତିଶଗଡ ଠାରୁ ଓଡିଶାର ମୁଣ୍ଡପିଛା ଆୟ ଅଧିକ ରହିଛି । ହେଲେ ୨୦୨୦-୨୧ରେ ଦେଶର ଜିଏସ୍୍ଡିପି ଯୁକ୍ତ ୭.୭ପ୍ରତିଶତ ରହିବ । ହେଲେ ଓଡିଶାରେ ଜିଏସ୍ଡିପି ଯୁକ୍ତ ୪.୯୨ ରହିବ । ତେବେ ମୁଦ୍ରାସ୍ଫୀତି ହାର ୨୦୨୦ରେ ୮.୪୯ପ୍ରତିଶତକୁ ବୃଦ୍ଧି ପାଇଛି ।

ସର୍ଭେ ରିପୋର୍ଟରେ ଗ୍ରାମ୍ୟ ଭିତ୍ତିଭୂମି ବିକାଶ, ମସô୍ୟ ଓ ପଶୁ ସମ୍ପଦ ବିକାଶ, ଗୃହନିର୍ମାଣ, ଜଳସେଚନ ଏବଂ ଶ୍ରମ ଦିବସ ସୃଷ୍ଟି ଉପରେ ସରକାର ନେଇଥିବା ପଦକ୍ଷେପ ଉପରେ ଫୋକସ୍ କରାଯାଇଛି । ଫଳସ୍ୱରୂପ ଖାଦ୍ୟ ସାମଗ୍ରୀ ଉତ୍ପାଦନରେ ୨୦ ପ୍ରତିଶତ ବୃଦ୍ଧି ହୋଇଛି । ସେହିପରି ଏହି ସମୟ ମଧ୍ୟରେ ଓଡିଶାରେ ରତ୍ପାନି ବୃଦ୍ଧି ପାଇଛି । ସେହିପରି ୨୦୧୯-୨୦ରେ ମନେରଗାରେ ୧୧,୧୫,୭୨ଲକ୍ଷ ଶ୍ରମ ଦିବସ ସୃଷ୍ଟି ହୋଇଛି । ଏଥିଯୋଗୁଁ ୨୩.୨୭ଲକ୍ଷ ଗ୍ରାମାଞ୍ଚଳ ପରିବାର ଉପକୃତ ହୋଇଛନ୍ତି । ରାଜ୍ୟର ଦାରିଦ୍ର୍ୟ ହାର ୨୦୦୪-୦୫ରୁ ୨୦୧୧-୧୨ ମଧ୍ୟରେ ୨୪.୬ପ୍ରତିଶତ ହ୍ରାସ ପାଇଛି । ଏହି ସମୟରେ ଜାତୀୟ ସ୍ତରରେ ୧୫.୩ପ୍ରତିଶତ ହ୍ରାସ ପାଇଛି । ୨୦୧୯-୨୦ରେ ୩ଲକ୍ଷ ୯୪ ହଜାର ୨୧୨ ଘର ତିଆରି ହୋଇଛି । ତନ୍ମଧ୍ୟରୁ ୩ଲକ୍ଷ ୫୭ହଜାର ୯୧୪ ଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ବେଳେ ୧୫ହଜାର ୫୬୭ଟି ଘର ବିଜୁ ପକ୍କାଘର ଯୋଜନା, ୧୮୫୮ଟି ଖଣୀ ଅଞ୍ଚଳର ପକ୍କାଘର ଯୋଜନା, ୧୦ହଜାର ୯୮୩ଟି ଘର ଶ୍ରମିକ ପକ୍କାଘର ଯୋଜନାରେ ନିର୍ମିତ ହୋଇଛି ।ଏହାଦ୍ୱାର ଅର୍ଥନୀତି ଗତିଶୀଳ ହୋଇଛି ବୋଲି ସର୍ଭେ ରିପୋର୍ଟରେ କୁହାଯାଇଛି । ସବୁଠୁ ବଡକଥା ୨୦୦୪-୦୫ରୁ ୨୦୧୧-୧୨ମଧ୍ୟରେ ରାଜ୍ୟର ୨୪.୬ପ୍ରତିଶତ ଦାରିଦ୍ର୍ୟ ହ୍ରାସ ପାଇଛି । ଏହି ଅବଧିରେ ଜାତୀୟ ସ୍ତରରେ ହାର ଥିଲା ୧୫.୩ ପ୍ରତିଶତ । ରାଜ୍ୟ ସରକାରଙ୍କ ପ୍ରଭାବଶାଳୀ ପଦକ୍ଷେପ ଯୋଗୁଁ ଏହା ସମ୍ଭବ ହୋଇଛି ବୋଲି କୁହାଯାଇଛି ।

ଏସବୁ ସତ୍ତ୍ୱେ ଦିନକୁ ଦିନ ପେଟ୍ରୋଲ ଓ ଡିଜେଲ୍ ଦର ବଢିବାରେ ଲାଗିଛି । ୨୦୦୯ରେ ୪୪ଟଙ୍କା ଥିବା ପେଟ୍ରୋଲ ଦର ବଢି ବଢି ୧୦୦ଟଙ୍କାରେ ପହଞ୍ଚିଛି । ଅଶୋଧିତ ତୈଳ ଦର ଦରରେ ସେତେଟା ପରିବର୍ତ୍ତନ ହୋଇନଥିବା ବେଳେ ୧୧ବର୍ଷ ଭିତରେ ପେଟ୍ରୋଲ ଓ ଡିଜେଲର ଦାମ୍ ୨ଗୁଣା ଅର୍ଥାତ ୨୦୦ପ୍ରତିଶତ ବଢିଛି । ବିଶେଷକରି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ଦର ୯୦ଟଙ୍କା ୧୯ପଇସା ରହିଥିବା ବେଳେ ଡିଜେଲର ଲିଟରପିଛା ଦର ୮୦ଟଙ୍କା ୬୦ପଇସା ରହିଛି । ପେଟ୍ରୋଲିୟମ ପଦାର୍ଥର ଦର ବୃଦ୍ଧି ରାଜ୍ୟରେ ମୁଣ୍ଡବିନ୍ଧାର କାରଣ ପାଲଟିଛି । ରାଜ୍ୟରେ ୩୦ଜିଲ୍ଲାରେ ପେଟ୍ରୋଲର ଦର ୯୦ଟଙ୍କା ତଳେ ନାହିଁ । ମାଲକାନାଗିରିରେ ପେଟ୍ରୋଲ ସର୍ବାଧିକ ଦର ରହିଛି ୯୫ଟଙ୍କା ୫୬ ପଇସା । ସେହିଭଳି ରାଜ୍ୟରେ ଡିଜେଲର ସର୍ବାଧିକ ଦର ଲିଟର ପିଛା ୯୨ଟଙ୍କା ୩୪ପଇସା ରହିଛି । ୨୦୦୯ରୁ ୨୦୨୧ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ଦ୍ରୁତହାରରେ ବଢିବାରେ ଲାଗିଛି । ବଜେଟ ପରଠାରୁ ବର୍ତ୍ତମାନ ସୁଦ୍ଧା ପେଟ୍ରୋଲ ଲିଟର ପିଛା ୪.୩୧ଟଙ୍କା ମହଙ୍ଗା ହୋଇଥିବା ବେଳେ ଡିଜେଲ ଦର ୪.୯୦ଟଙ୍କା ବୃଦ୍ଧି ପାଇ ସାରିଛି । ସାଧାରଣ ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ତେଲ ଦର ସମ୍ପର୍କରେ ଯାହା ସବୁ କହିଥିଲେ ତାର ଓଲଟା ଦେଖିବାକୁ ମିଳୁଛି ।

ସେହିପରି ପିଆଜ ଦର ମଧ୍ୟ ବଢିବାରେ ଲାଗିଛି । ଆଗାମୀ ଦିନରେ ଏହି ଦର ଆହୁରି ବଢିବାର ସମ୍ଭାବନା ରହିଛି । ଅଦିନିଆ ବର୍ଷା ଏହାର କାରଣ ବୋଲି କୁହାଯାଉଛି । ମହାରାଷ୍ଟ୍ର ନାସିକ୍ରେ ମଣ୍ଡିରେ ପିଆଜ ପ୍ରତି କୁଇଣ୍ଟାଲ୍ ପ୍ରତି ଦର ୪୫୦୦ଟଙ୍କାକୁ ବୃଦ୍ଧି ପାଇଛି । ଫଳରେ ସେଠାରେ ପିଆଜ କେଜି ପିଛା ୪୫ ଟଙ୍କାରେ ବିକ୍ରି ହେଉଛି । ମଣ୍ଡିକୁ ଛାଡିଦେଲେ ଦେଶର ଅନ୍ୟ ସ୍ଥାନରେ ମଧ୍ୟ ପିଆଜ ଦର ୪୫ଟଙ୍କାରୁ ୬୦ ଟଙ୍କା ଛୁଇଁ ଥିବା ସୂଚନା ମିଳିଛି । ଏପର୍ଯ୍ୟନ୍ତ ପଶ୍ଚିମବଙ୍ଗ, ରାଜସ୍ଥାନ, ଗୁଜୁରାଟରେ ପିଆଜ ଫସଲ ଅମଳ ହୋଇ ନାହିଁ । ତେଣୁ ପିଆଜ ଦର ନିକଟରେ ହ୍ରାସ ପାଇବା ସମ୍ଭାବନା କ୍ଷୀଣ । ନିକଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରମଣ ଚଳିତ ବର୍ଷର ବଜେଟ ଉପସ୍ଥାପିତ କରିଛନ୍ତି । ଏଥିରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି । ସେ ଦୃଷ୍ଟିରୁ ଆମର ବ୍ୟବସାୟ, ଏମ୍ଏସ୍ଏମ୍ଇ, ଷ୍ଟାଟ୍ଅପକୁ ଆହୁରି ମଜଭୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି । ଏଥିସହିତ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସହଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି । ଏପରିକି ପଞ୍ଚ ଦଶ ଅର୍ଥ ଆୟୋଗ ଦ୍ୱାରା ସ୍ଥାନୀୟ ସଂସ୍ଥା ଗୁଡିକୁ ବଡଧରଣ ଆର୍ଥିକ ସହାୟତା ପ୍ରଦାନ ପାଇଁ ମଧ୍ୟ ସେ ଘୋଷଣା କରିଛନ୍ତି ।

ଏସବୁ ସତ୍ତ୍ୱେ ମେକ୍ ଇନ୍ ଓଡିଶା କନ୍କ୍ଲେଭ, ଶିଳ୍ପନୀତି ୨୦୧୫ , ଇଜି ଅଫ୍ ଡୁଇଙ୍ଗି ବିଜିନେସ୍, ନୂତନ କୃଷିନୀତି -୨୦୧୯, ୫-ଟି ଓ ମୋ ସରକାର ଭଳି ଅଭିନବ ପଦକ୍ଷେପ ଯୋଗୁଁ ଆର୍ଥିକ ସ୍ଥିତି ସୁଧୁରିବ ବୋଲି ରାଜ୍ୟ ସରକାର ଆଶା କରିଛନ୍ତି । କରୋନା ଯୋଗୁଁ ରାଜକୋଷ ଉପରେ ପ୍ରବଳ ଚାପ ପଡିଛି । ତେବେ ରାଜ୍ୟ ସରକାରଙ୍କ ଆର୍ଥିକ ପରିଚାଳନା ଯୋଗୁଁ ଓଡିଶା ଅନ୍ୟରାଜ୍ୟ ପାଇଁ ଉଦାହରଣ ପାଲଟିଥିବା ରିପୋର୍ଟରେ କୁହାଯାଇଛି ।

Govt
Leave A Reply