Odisha news

ସଂଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ କେହି ପଦାକୁ ବାହାରି ପାରି‌ବେ ନାହିଁ : ଲାଗିଲା୧୨ ଘଣ୍ଟିଆ କଟକଣା, ଖିଲାପ କଲେଜରିମାନା

0

ଭୁବନେଶ୍ବର : ସଂଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ କେହି ପଦାକୁ ବାହାରି ପାରି‌ବେ ନାହିଁ। ଏହି ସମୟରେ କେବଳ ଜରୁରୀକାଳୀନ କାର୍ଯ୍ୟ ଓ ମାଲ୍ ପରିବହନ ଜାରି ରହିବ। ସେହିପରି ଔଷଧ ଦୋକାନକୁ ବାଦ୍‌ ଦେଇ ସହରରେ ଅନ୍ୟ ସବୁ ଦୋକାନ ବନ୍ଦ ରହିବ। ନିୟମ ଖିଲାପ କଲେ, ଜରିମାନା ଆଦାୟ କରାଯିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୁଲିସ କମିସନର୍‌ ସୁଧାଂଶୁ ଷଡ଼ଙ୍ଗୀ ଆଜି ଟ୍ବିଟ୍‌ କରି ଏହି ସୂଚନା ଦେଇଛନ୍ତି। ମେ’ ୧୭ ପର୍ଯ୍ୟନ୍ତ ଜନସାଧାରଣ ଏଥିରେ ସହଯୋଗ କରିବାକୁ ଶ୍ରୀ ଷଡ଼ଙ୍ଗୀ ଅନୁରୋଧ କରିଛନ୍ତି। ଅପରପକ୍ଷେ ଶ୍ରୀ ଷଡ଼ଙ୍ଗୀଙ୍କ ଏହି ଘୋଷଣା ପରେ ପୁଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ସଂଧ୍ୟା ୭ଟା‌ ପରେ ବିଭିନ୍ନ ଛକ ଜାଗାଗୁଡ଼ିକରେ ଚେକିଂ କରାଯାଇ ବିନା ଜରୁରୀ କାମରେ ଗାଡ଼ି ଧରି ବାହାରକୁ ଆସିଥିବା ଲୋକଙ୍କଠାରୁ ଜରିମାନା ଆଦାୟ କରାଯାଇଛି। ପ୍ରାୟ ୧୭୩ ଜଣ ପୁଲିସ ହାବୁଡ଼ରେ ପଡ଼ି ଜରିମାନା ଗଣିଛନ୍ତି।

ପୂର୍ବରୁ କେବଳ ଦିନରେ ଏହି ନିୟମ କଡ଼ାକଡ଼ି ହୋଇଥିଲା। ସକାଳୁ ସକାଳୁ ବିଭିନ୍ନ ଛକରେ ପୁଲିସ କର୍ମଚାରୀ ଛିଡ଼ା ହୋଇ ସମସ୍ତ ଗାଡ଼ିକୁ ତନ୍ନତନ୍ନ କରି ଯାଞ୍ଚ କରୁଥିଲେ। ଆବଶ୍ୟକ ପଡ଼ିଲେ ଗାଡ଼ି ଜବତ କରୁଥିଲେ। କିନ୍ତୁ ରାତିରେ କାହାର ଦେଖା ମିଳୁ ନଥିଲା। ସେଥିପାଇଁ ଅନେକ ଲୋକ ବିଭିନ୍ନ ଜାଗାକୁ ଯିବା ପାଇଁ ରାତିକୁ ଟାର୍ଗେଟ୍‌ କରୁଥିଲେ। ଅନେକ ସମୟରେ ରାତିରେ ପରିବାର ଧରି ଲୋକମାନେ ଯାଉଥିବା ଦେଖିବାକୁ ମିଳୁଥିଲା। ତେବେ ଆଜିଠାରୁ ଏହି କଟକଣା କଡ଼ାକଡ଼ି ହୋଇଛି। ସନ୍ଧ୍ୟା ୭ଟା ପରେ ପଦାକୁ ବାହାରିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ୍‌ କହିଛି। ଏଥିପାଇଁ ୩୦ ପ୍ଲାଟୁନ୍‌ରୁ ଅଧିକ ଫୋର୍ସ ସଜାଗ ରହିବେ ବୋଲି ଜଣାପଡ଼ିଛି। ସମସ୍ତ ଟ୍ରାଫିକ୍‌ରେ ସାରା ରାତି କଡ଼ା ପହରା ରହିବ। ବିଭିନ୍ନ ଗଳିକନ୍ଦିରେ ମଧ୍ୟ ପୁଲିସ ଭ୍ୟାନ୍‌ ବୁଲିବ। ‌ତେବେ କେବଳ ସ୍ବାସ୍ଥ୍ୟସେବା, ଗଣମାଧ୍ୟମ, ପୁଲିସ, ଅଗ୍ନିଶମ ପ୍ରଭୃତି ଜରୁରୀକାଳୀନ ସେବାରେ ଥିବା କର୍ମଚାରୀ ଯା’ଆସ କରିପାରିବେ। ଅନ୍ୟ ଯେଉଁମାନେ ସନ୍ଧ୍ୟା ୭ଟା ପରେ ବାହାରକୁ ଯିବାକୁ ଚାହୁଛନ୍ତି ବା ଜରୁରୀ କାମ ରହିଛି, ସେମାନେ ପୂର୍ବଭଳି ୧୦୦କୁ ଡାଏଲ କରିବେ।

Leave A Reply