ମଙ୍ଗଳବାର ନନ୍ଦନକାନ ପଛ ପାଚେରୀ ନିକଟ ଜୁଝଗଡ ଟୁଙ୍ଗୁ ମୁଣ୍ଡିଆରେ ଚନ୍ଦକା ଜଙ୍ଗଲରୁ ଆସିଥିବା ୨୨ଟିକିଆ ହାତୀ ପଲ ଅଟକି ରହିଥିଲେ । ବୁଧବାର ସକାଳେ ହାତୀ ପଲ ଆସିବା କଥା ଜାଣିବା ପରେ ରଘୁନାଥପୁର ଗ୍ରାମର କିଛି ଚାଷୀ ନନ୍ଦନକାନନ କର୍ତ୍ତୃପକ୍ଷ ଙ୍କୁ ଖବର ଜଣାଇବା ସହିତ ବାଣ ଫୁଟାଇ ହାତୀକୁ ଘୋଉଡାଇଥିଲେ।ଅନ୍ୟପଟେ ନନ୍ଦନକାନନ କର୍ତୁପକ୍ଷ ନନ୍ଦନକାନନ ପରିସରକୁ ପ୍ରବେଶ କରିବା ଆଶଙ୍କାରେ କର୍ମଚାରୀମାନଙ୍କୁ ସଜାଗ କରି ରଖିଥିଲେ। କର୍ତୁପକ୍ଷଙ୍କ ନିର୍ଦ୍ଦଶକ୍ରମେ କର୍ମଚାରୀମାନେ ହମିରା ଟାଙ୍ଗି ନିକଟରେ ସତର୍କ ଦୃଷ୍ଟି ରଖିଥିଲା। ହାତୀ ପଲରେ କେତେ ହାତୀ ଅଛନ୍ତି ଜାଣିବା ପାଇଁ ଡ୍ରୋନ କ୍ୟାମେରାରେ ଦେଖିବାରୁ ଦନ୍ତା ସମେତ ବଡ ମାଈ ଓ ଛୁଆଙ୍କୁ ମିଶାଇ ମୋଟ ୨୨ଟି ହାତୀ ଥିବା ଜଣା ପଡିଥିଲେ। ଚନ୍ଦକା ଅଭୟାରଣ୍ୟର କର୍ମଚାରୀମାନେ ମଧ୍ୟ ହତୀ ପାଲଙ୍କ ଉପରେ ସତର୍କ ଦୃଷ୍ଟି ରଖିଥିଲେ।ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପଛପଟ ଗେଟ୍ ନିକଟରେ ଏମାନେ ଡେରା ପକାଇଛନ୍ତି। ଯାହାକୁ ନେଇ ସ୍ଥାନୀୟ ଲୋକେ ଛାନିଆ ହୋଇପଡ଼ିଛନ୍ତି। ହାତୀଗୁଡ଼ିକ ନନ୍ଦନକାନନ ପଛ ଗେଟ୍ ଦାରୁଠେଙ୍ଗ ଗାଁ ପାଖ ଅଞ୍ଚଳରେ ଚରାବୁଲା କରୁଛନ୍ତି। ଆଠଗଡ଼ ଜଙ୍ଗଲରୁ ଦୁଇଟି ଦଳରେ ଏହି ହାତୀ ଚାଲି ଆସିଛନ୍ତି।ସେପଟେ ସନ୍ଧ୍ୟାରେ ହାତୀଗୁଡ଼ିକ ଚନ୍ଦକା ଜଙ୍ଗଲ ଆଡ଼କୁ ମୁହାଁଇଥିବା ଜଣାପଡ଼ିଛି । ପ୍ରତିବର୍ଷ ଧାନ ଖାଇବା ଲୋଭରେ ଏହି ହାତୀ ପଲ ଏପରି ଆସିଥାଆନ୍ତି। ତେଣୁ ହାତୀଙ୍କୁ ଘଉଡ଼ାଇବା ପାଇଁ ସଜାଗ ଥିବା ବନ ବିଭାଗ ଟିମ୍ ଦାରୁଠେଙ୍ଗ ଦେଇ ଯାଇଥିବା ରାସ୍ତା ଉପରେ ସଜାଗ ରହିଛନ୍ତି। ହାତୀମାନେ କିପରି ସୁବିଧାରେ ରାସ୍ତା ପାର କାରିପାରିବେ ସେଥିନିମନ୍ତେ ଗାଡ଼ିଗୁଡ଼ିକୁ ଅଟକାଇ ରଖାଯାଉଛି। ହାତୀମାନେ ସ୍ୱତଃ ଜଙ୍ଗଲ ଆଡ଼କୁ ଫେରୁଥିବାରୁ ଲୋକଙ୍କୁ ଆତଙ୍କିତ ହେବାର ଆବଶ୍ୟକ ନାହିଁ ବୋଲି ବନ ବିଭାଗ ସୁତ୍ରରୁ କୁହାଯାଇଛି।
