ଭଞ୍ଜନଗର,୯/୧୦ – ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ର ତାରା ସିଙ୍ଗ ରେଞ୍ଜ ଅନ୍ତର୍ଗତ କ୍ଷେତମୁଣ୍ଡାଳୀ ଗ୍ରାମର ଜଣେ ଯୁବ ଚାଷୀ ହାତୀ ଆକ୍ରମଣର ଶିକାର ହୋଇ ମୃତ୍ୟୁ ବରଣ କରି ଥିବା ଜଣାପଡିଛି। ଗ୍ରାମର ପବିତ୍ର ପାତ୍ର ନାମକ ଜଣେ ୪୮ ବର୍ଷୀୟ ଚାଷୀ ଗତକାଲି ରାତିରେ ନିଜ ଚାଷଜମିକୁ ଧାନ ଜଗିବାକୁ ଯାଇଥିବା ବେଳେ ହାତୀ ପଲ ହାବୁଡରେ ପଡି ଯାଇଥିଲେ। ଫଳରେ ହାତୀ ପଲ ପବିତ୍ର ଙ୍କୁ ଦଳିଚକଟି ଦେଇଥିଲେ। ଆଉ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।
ଆଉ ଘଟଣାସ୍ଥଳରେ ହାତୀ ପଲ ମୁହଁରୁ ଧାନ ଫସଲ ରକ୍ଷା କରିବାକୁ ଯାଇଥିବା କ୍ଷେତମୁଣ୍ଡାଳୀ ଗ୍ରାମର ୧୦/୧୫ ଜଣ ଚାଷୀ ଜୀବନ ବିକଳରେ ଦୈାଡି ପଳାଇବା ବେଳେ ଅନେକ ଚାଷୀ ଆହାତ ହୋଇଥିବା ଜଣାପଡିଛି। ଆଉ ଘଟଣାସ୍ଥଳରୁ ହାତୀ ପଲ ଘୁଞ୍ଚିବା ପରେ ଘଟଣାସ୍ଥଳରେ ଥିବା ଅନ୍ୟ ଚାଷୀଭାଇମାନେ ପବିତ୍ର ଙ୍କୁ ନେଇ ଭଞ୍ଜନଗର ମେଡିକାଲ କୁ ବିଳମ୍ବିତ ରାତିରେ ପହଞ୍ଚି ଥିଲେ। ହେଲେ ଏଠାରେ ଡାକ୍ତର ପବିତ୍ର ଙ୍କୁ ମୃତ ଘୋଷଣା କରିଥିଲେ। ପରେ ଏସଂପର୍କରେ ଖବର ପାଇ ଉଭୟ ତାରା ସିଙ୍ଗ ପୁଲିସ ଓ ବନ କର୍ମଚାରୀମାନେ ପହଞ୍ଚି ଥିଲେ। ପୁଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ରବିବାର ସକାଳୁ ଶବ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
ସୂଚନାଯୋଗ୍ୟ ଯେ ହାତୀ – ମଣିଷ ଲଢେଇ ରେ ଗତ ୩ ମାସ ମଧ୍ୟରେ ଏହି ବନଖଣ୍ଡରେ ୩ ଟି ଦନ୍ତା ହାତୀ ମୃତ୍ୟୁବରଣ କରିଥିବା ବେଳେ ଏବେ ହାତୀ ଆକ୍ରମଣରେ ଜଣେ ଚାଷୀ ମୃତ୍ୟୁବରଣ କରିଥିବା ଘଟଣା ଅଞ୍ଚଳରେ ଚହଳ ସୃଷ୍ଟି କରିଛି।ଏସଂପର୍କରେ ଖବର ପାଇ ଡିଏଫ୍ଓ ସୁଦର୍ଶନ ବେହେରା ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ହାତୀ ପଲ ହାବୁଡ଼ରେ ପଡି ଚାଷୀ ଜଣକ ଦୈାଡି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ତଳେ ପଡି ଯାଇଥିଲେ। ଫଳରେ ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ଘଟିଥିବା ଡିଏଫ୍ଓ ସୁଦର୍ଶନ ବେହେରା ସୂଚନା ଦେଇଛନ୍ତି। ସରକାରୀ ଗାଇଡ୍ ଲାଇନ୍ ପ୍ରକାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦିଆଯିବ ବୋଲି ସେ ସ୍ପଷ୍ଟ ସୂଚନା ଦେଇଛନ୍ତି।
