ଯଦୁମଣି ପାଣିଗ୍ରାହୀ : ସଂସାରରେ ଅନ୍ୟାନ୍ୟ ଇତର ଜୀବଜନ୍ତୁଙ୍କ ଅପେକ୍ଷା ମାନବ ଶିଶୁ ବୋଧେ ବେଶୀ ଅସହାୟ ମନେହୁଏ । ଆଉ ଶୈଶବରେ ମାନବ ଶିଶୁର ଏହି ଅସହାୟତାକୁ ବେଶ ଭଲ ଭାବେ ହୃଦୟଙ୍ଗମ କରିହୁଏ । ଜନ୍ମ ହେବାର ଦିନ କେଇଟା ମଧ୍ୟରେ ପଶୁପକ୍ଷୀ ଓ କୀଟପତଙ୍ଗ ମାନେ ଚଳପ୍ରଚଳ, ଖାଦ୍ୟ ଗ୍ରହଣ, ଖାଦ୍ୟ ସଂଗ୍ରହ ଆଦି ନିଜର ଦୈନନ୍ଦିନର କାର୍ଯ୍ୟ କରିବାକୁ ସମର୍ଥ ହେଉଥିବା ବେଳେ ମାନବ ଶିଶୁ କ୍ଷେତ୍ରରେ ଏହା ବୋଧେ ବର୍ଷ ବର୍ଷର ପ୍ରତୀକ୍ଷା । ତେବେ ମାନବ ଶିଶୁଟି ଚଲାବୁଲା କରିବା, କଥା କହିବା ଓ ଅନ୍ୟାନ୍ୟ କାର୍ଯ୍ୟ କରିବାରେ ତାର ପିତାମାତା ଓ ପ୍ରିୟ ପରିଜନଙ୍କ ସହାୟତା ଅପେକ୍ଷା ନିଜସ୍ୱ ପ୍ରଚେଷ୍ଟା ବା ଅଭ୍ୟାସ ଅଧିକ ଫଳପ୍ରଦ ସାବ୍ୟସ୍ତ ହୋଇଥାଏ । ଅବଶ୍ୟ ଏହା ଏକ ପ୍ରାକୃତିକ ପ୍ରବୃତ୍ତି । ମଧୁ ବର୍ଣ୍ଣବୋଧରେ ପିଲା ବେଳେ ପଢିଥିବା ସେହି ଦୁଇ ପଦ କଥା ଆଜି ବି ମନେ ପଡେ । ଅଭ୍ୟାସ ବଳେ ଶିଶୁ ଯଥା, କହି ଶିଖଇ କ୍ରମେ କଥା । ଥରକୁ ଥର ପଡି ତଳେ, ଉଠଇ ଅଭ୍ୟାସର ବଳେ । ଏହି କ୍ରମରେ ମଣିଷର ଦୈନନ୍ଦିନ ଜୀବନରେ ଅନେକ ଅଭ୍ୟାସଗତ କାର୍ଯ୍ୟ ରହିଛି । ଯାହା ତାକୁ ନିୟମିତ ଭାବେ ସଂପନ୍ନ କରିବାକୁ ପଡିଥାଏ । ବୃତ୍ତିଗତ ଭାବେ ଯିଏ ଯାହା କରୁନା କାହିଁକି ସକାଳୁ ସଅଳ ଉଠିବା, ଖବରକାଗଜ ପଢିବା, ଠାକୁର ପୂଜା କରିବା, ପୁରାଣ ଶାସ୍ତ୍ର ଏବଂ ବିଭିନ୍ନ ପୁସ୍ତକ ଅଧ୍ୟୟନ କରିବା, ଲେଖାଲେଖି କରିବା ଓ ପରିବାର ଲାଗି ଦ୍ରବ୍ୟାଦି କ୍ରୟ କରିବାକୁ ବଜାରହାଟ ଯିବା ଆଦି କେତୋଟି ପ୍ରମୁଖ କାର୍ଯ୍ୟ ଅଧିକାଂଶ ଲୋକ ନିତ୍ୟ ନିୟମିତ ଭାବେ ସଂପନ୍ନ କରିଥାନ୍ତି ।
ଏହା ହେଉଛି ତା’ର ଚଳଣି । ସେହିପରି ସତ କହିବା, ସମୟାନୁବର୍ତ୍ତୀ ହେବା, କର୍ତ୍ତବ୍ୟରେ ନିଷ୍ଠା ରକ୍ଷା କରିବା, ପିତାମାତାଙ୍କ ସେବା ସହିତ ଅନ୍ୟମାନଙ୍କ ପ୍ରତି ସେବା ମନୋଭାବ ପୋଷଣ କରିବା, କାର୍ଯ୍ୟରେ ସାଧୁତା, ସଚ୍ଚୋଟତା ତଥା ନିରପେକ୍ଷତା ଅବଲମ୍ବନ କରିବା, ଅନ୍ୟକୁ ଶ୍ରଦ୍ଧା କରିବା, ସହନଶୀଳ ଓ ପରୋପକାରୀ ହେବା ଭଳି ଆଚରଣକୁ ମଧ୍ୟ ଅନେକ ଲୋକ ଧାରାବାହିକ ବା ଅଭ୍ୟାସଗତ ଭାବେ ପାଳନ କରିଥାନ୍ତି । ବ୍ୟକ୍ତିଗତ ଜୀବନରେ ଏତାଦୃଶ ଶୃଙ୍ଖଳିତ ଚଳଣି ଆଉ ସଂଯମ ଆଚରଣକୁ ଅଭ୍ୟାସରେ ପରିଣତ କରି ପାରିଥିବା ମଣିଷମାନେ ହିଁ ଯଥାର୍ଥରେ ଜୀବନର ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ସମର୍ଥ ହୋଇଥାନ୍ତି । ଛାତ୍ରଟିଏ ହେଉ କି ଶିକ୍ଷକଟିଏ ହୁଅନ୍ତୁ ଅଥବା ବ୍ୟବସାୟୀ, କୃଷକ, ଶ୍ରମିକ, ପଦସ୍ଥ ଅଧିକାରୀ, ଅଧସ୍ତନ କର୍ମଚାରୀ, ରାଜନେତା ଓ ଗୃହିଣୀଙ୍କ ଯାଏଁ ସମସ୍ତେ ନିଜ ନିଜର କର୍ତ୍ତବ୍ୟକୁ ଅଭ୍ୟାସରେ ପରିଣତ କରିପାରିଲେ ସାମାଜିକ ସହାବସ୍ଥାନ ଅତ୍ୟନ୍ତ ସହଜ ଓ ସୁଗମ ହୋଇପାରିବ । ଏତଦଭିନ୍ନ ରାଷ୍ଟ୍ରକୁ ସମ୍ମାନ କରିବା, ରାଷ୍ଟ୍ରପ୍ରତି ନିଜର କର୍ତ୍ତବ୍ୟ ନିଷ୍ଠାର ସହ ସଂପନ୍ନ କରିବା, ଦେଶ ଓ ଜାତିର ହିତକୁ ଅଗ୍ରାଧିକାର ଦେବା, ସରକାରୀ ନୀତିନିୟମକୁ ଆନ୍ତରିକତାର ସହ ପାଳନ କରିବା ଭଳି କାର୍ଯ୍ୟକୁ ମଧ୍ୟ ପ୍ରତ୍ୟେକ ନାଗରିକ ଅଭ୍ୟାସରେ ପରିଣତ କରିବାର ଆବଶ୍ୟକତା ରହିଛି ।
କୌଣସି ମନ୍ଦ ବା ଖରାପ କାର୍ଯ୍ୟକୁ ଯେତେବେଳେ ମଣିଷ ନିୟମିତ ଭାବେ ପାଳନ କରିଥାଏ ସେତେବେଳେ ତାହାକୁ ବଦ ଅଭ୍ୟାସ ବୋଲି କୁହାଯାଏ । ଏଇ ଯେମିତି ଅଭ୍ୟାସଗତ ଭାବେ ମିଛ କହିବା, ଅପରାଧ କରିବା, ଲାଞ୍ଚ ନେବା, ଚୋରି କରିବା, ଅନ୍ୟକୁ ଠକିବା କିମ୍ବା ଅନ୍ୟ ସହ ପ୍ରତାରଣା କରିବା ଓ ଅନ୍ୟକୁ ଅସୁବିଧାରେ ପକାଇବା ଭଳି କାର୍ଯ୍ୟ ଅନେକ କରିଥାନ୍ତି । ଅନ୍ୟପକ୍ଷେ ପ୍ରତ୍ୟେହ ବିଳମ୍ବରେ ଶଯ୍ୟାତ୍ୟାଗ କରିବା, ଆଳାପ ଆଲୋଚନାରେ ଅଯଥା ସମୟ ଅତିବାହିତ କରିବା, ଚାହା କିମ୍ବା ପାନ ଦୋକାନରେ ଗୁଲିଖଟି ଜମାଇବା, ମୋବାଇଲରେ ଦୀର୍ଘ ସମୟ ଗପସପ ହେବା, ଅନ୍ୟ ବିଷୟରେ ଆଲୋଚନା ବା ସମାଲୋଚନା କରିବା, ଅଯଥାରେ ଅବାଟରେ ଅର୍ଥ ଅପବ୍ୟୟ କରିବା, ବିଭିନ୍ନ ନିଶା ଦ୍ରବ୍ୟାଦି ସେବନ କରିବା ଆଦି ଅନେକ ବଦ ଅଭ୍ୟାସ ଲୋକେ ବଶବର୍ତ୍ତୀ ହୋଇଥିବାର ଦେଖାଯାଏ । ଛାତ୍ରଟିଏ ଶିକ୍ଷକଙ୍କ ପାଖରେ, ଗୃହିଣୀ ଗୃହକର୍ତ୍ତାଙ୍କ ପାଖରେ, ପିଲାମାନେ ପିତାମାତାଙ୍କ ପାଖରେ, କୌଣସି ବିଭାଗର ପଦାଧିକାରୀ କିମ୍ବା ରାଜନେତା ଲୋକଙ୍କ ପାଖରେ ଏବଂ ଅପରାଧୀ ପୋଲିସ ପାଖରେ ନିୟମିତ ମିଛ କହିବାର ଦେଖାଯାଇଥାଏ ।
ଏସବୁ ବି ବଦ ଅଭ୍ୟାସ ବୋଲି ଧରିନେବାକୁ ପଡିବ । ଅନେକ ସମୟରେ ସରକାରଙ୍କ କାର୍ଯ୍ୟଧାରାକୁ ସମାଲୋଚନା କରିବା, ସରକାରୀ ନୀତି ନିୟମକୁ ନ ମାନିବା, ବିପତ୍ତି କିମ୍ବା ବିପର୍ଯ୍ୟୟ ବେଳେ ସରକାରଙ୍କୁ ଅସହଯୋଗ କରିବା ତଥା ଅନ୍ୟର କ୍ଷତି ହେବା ଭଳି କାମକୁ କିଛି ଲୋକ ଅଭ୍ୟାସରେ ପରିଣତ କରିଥିବା ଦେଖିବାକୁ ମିଳିଥାଏ । ରାସ୍ତାର ନିୟମକୁ ନ ମାନିବା, ସରକାରୀ ରାଜସ୍ୱ ଫାଙ୍କିବା, ଟ୍ରେନରେ ମାଗଣା ଯାତ୍ରା କରିବା, ପଶୁପକ୍ଷୀଙ୍କ ପ୍ରତି କ୍ରୁର ଆଚରଣ ପ୍ରଦର୍ଶନ କରିବା, ବୃକ୍ଷାଦି ନଷ୍ଟ କରିବା, ଖାଦ୍ୟ ପଦାର୍ଥ ଅଯଥାରେ ନଷ୍ଟ କରିବା, ପାନୀୟ ଜଳ, ବିଜୁଳିଶକ୍ତି, ଖଣିଜ ତୈଳ ଓ ପରିବେଶକୁ ନଷ୍ଟ କରିବା ଆଦି କାର୍ଯ୍ୟକୁ ଆଜିକାଲି ଅନେକ ଲୋକ ମଧ୍ୟ ଅଭ୍ୟାସଗତ ଭାବେ କରୁଛନ୍ତି । ଯାହାକୁ ଆମେ ବଦ ଅଭ୍ୟାସ ବୋଲି କରିପାରିବା । ସଂପ୍ରତି କରୋନା ଜନିତ ପରିସ୍ଥିତିର ମୁକାବିଲା ଲାଗି ସମସ୍ତେ ପରିଷ୍କାର ପରିଚ୍ଛନ ରହିବା, ମାସ୍କ ବ୍ୟବହାର କରିବା ଓ ସାମାଜିକ ଦୂରତା ରକ୍ଷା କରିବା ସହ ଅଯଥାରେ ବୁଲାବୁଲି ନ କରି ଘରେ ରହିବାକୁ ସରକାର ପରାମର୍ଶ ଦେଉଥିବା ବେଳେ ଅନେକ ଏଭଳି ପରାମର୍ଶକୁ ଜାଣିଶୁଣି ବେଖାତିର କରୁଥିବା ଦେଖାଯାଉଛି । ଲୋକଙ୍କର ଏଭଳି ବଦ ଅଭ୍ୟାସ ଆଜି ସମାଜରେ ବଡ କ୍ଷତି ଘଟାଉଥିବା ପରିଲକ୍ଷିତ ହେଉଛି ।
ଆଜିକାଲି ଲୋକେ ବଦ ଅଭ୍ୟାସ ଗୁଡିକୁ ଅଭ୍ୟାସରେ ପରିଣତ କରିଦେଲେଣି । ଲୋକଙ୍କର ଏଭଳି ବଦ ଅଭ୍ୟାସ ବ୍ୟକ୍ତି, ପରିବାର ସହିତ ସମାଜ ପ୍ରତି ଅନେକ ସମୟରେ ବିପଦ ସୃଷ୍ଟି କରିଥାଏ । ଏଭଳି ବଦ ଅଭ୍ୟାସରେ ବଶବର୍ତ୍ତୀ ଲୋକେ ପ୍ରଥମେ ନିଜର କ୍ଷତି ଘଟାଉଛନ୍ତି । ନିୟମିତ ନିଶା ସେବନ କରୁଥିବା ଲୋକେ ସ୍ୱାସ୍ଥ୍ୟଜନିତ ସମସ୍ୟା ଭୋଗ କରୁଥିବା ବେଳେ ଆର୍ଥିକ ଭାବେ ସର୍ବସ୍ୱାନ୍ତ ହେଉଛନ୍ତି । ସେମାନଙ୍କ ପାରିବାରିକ ଜୀବନରେ ଅଶାନ୍ତି ଓ ବିଶୃଙ୍ଖଳା ଦେଖାଦେଉଛି । ସମାଜରେ ଅପରାଧ ବଢୁଛି । ସେହପରି ରାସ୍ତାର ନିୟମ ନ ମାନି ଗାଡି ଚଳାଉଥିବା ଲୋକେ ନିଜେ ବିପଦରେ ପଡୁଛନ୍ତି ଓ ଅନ୍ୟକୁ ବିପଦରେ ପକାଉଛନ୍ତି । ଅଯଥାରେ ତଣ୍ଡ ବି ଗଣୁଛନ୍ତି । ଆଜିକାଲି ବିନା କାଗଜପତ୍ରରେ ଗାଡି ଚଳାଇବା ଓ ହେଲମେଟ ନ ପିନ୍ଧିବା, କାନରେ ମୋବାଇଲ ଦେଇ ଏବଂ ନିଶା ସେବନ କରି ଗାଡି ଚଳାଇବା ଲୋକଙ୍କର ବଦ ଅଭ୍ୟାସରେ ପରିଣତ ହୋଇଗଲାଣି । ଅନେକ ସମୟରେ ସରକାରୀ ନୀତିନିୟମକୁ ନମାନି ଲୋକେ ଉଭୟ ଜେଲ ଓ ଜୋରିମାନା ବି ଭୋଗୁଛନ୍ତି । ତଥାପି ଚେତା ପଶୁନି । କାମଦାମ ନ କରି ଅଯଥାରେ ହାଟବଜାରରେ ବୁଲି ଗୁଲିଖଟି କରିବାରେ କାହାର କି ଲାଭ ହେବ କହିଲେ ।
ଆଜିକାଲି ବିଶେଷକରି ଯୁବବର୍ଗ ନିଜର ମୂଲ୍ୟବାନ ସମୟକୁ ଅଯଥାରେ ନଷ୍ଟ କରୁଥିବା ଦେଖାଯାଉଛି । ବର୍ତ୍ତମାନ ସର୍ବତ୍ର କରୋନା ଜନିତ ଲକ୍ଡାଉନ ଓ ସଟ୍ଡାଉନ ବଳବତ୍ତର ରହୁଥିବା ବେଳେ ଅନେକ ଲୋକ ନୀତି ନିୟମକୁ ଫାଙ୍କି ହଜାର ହଜାର ଟଙ୍କା ଜୋରିମାନା ଦେଉଛନ୍ତି । ଏସବୁ ସତ୍ତ୍ୱେ ଲୋକେ ହେଜୁନାହାନ୍ତି । ମଣିଷ ତା’ର ଦୈନିକ ଜୀବନଚର୍ଯ୍ୟାରେ ଭଲ କାମକୁ ଅଭ୍ୟାସରେ ପରିଣତ କରିପାରିଲେ ତା’ ଜୀବନ ସୁଖ ଓ ଶାନ୍ତିରେ ପୂରି ଉଠିବ । ନିଜର ମଙ୍ଗଳ ସହିତ ସମାଜର ମଙ୍ଗଳ ହୋଇପାରିବ । ତାହା ନକରି ମଣିଷ କେବଳ ଯଦି ଅନେକ ଗୁଡିଏ ବଦ ଅଭ୍ୟାସରେ ବଶବର୍ତ୍ତୀ ହେବ ତେବେ ତା’ର ନିଜର କ୍ଷତି ହେବା ସହ ସମାଜରେ ମଧ୍ୟ ଅନେକ କ୍ଷତି ଘଟିବ । ଆଜି ସମୟ ଆସିଛି ଲୋକେ ଏହାର ଗୁରୁତ୍ୱ ବୁଝି ଜୀବନର ପ୍ରତିଟି ମୁହୂର୍ତ୍ତକୁ କେବଳ ଭଲକାମରେ ବିନିଯୋଗ କରନ୍ତୁ ।