Odisha news

ଆନ୍ତର୍ଜାତୀୟ ମାନବ ଏକତା ଦିବସର ଅନୁଚିନ୍ତା : ଡିସେମ୍ବର ୨୦ ତାରିଖ ଆନ୍ତର୍ଜାତୀୟ ମାନବ ଏକତା ଦିବସ ଉପଲକ୍ଷେ………….

0

ହିମାଂଶୁ ଶେଖର  ଆଚାର୍ଯ୍ୟ : ମଣିଷ ଦୁନିଆରେ ବଞ୍ଚିରହିବା ପାଇଁ କେତେକ ମୈାଳିକ ଆବଶ୍ୟକତା ପୂରଣ ହେବା ଦରକାର । ତନ୍ମଧ୍ୟରୁ ଖାଦ୍ୟ, ବସ୍ତ୍ର, ବାସଗୃହର ଆବଶ୍ୟକତା ଯଥେଷ୍ଟ ରହିଛି । ଏଥିସହିତ ଶିକ୍ଷା ଓ ସ୍ୱାସ୍ଥ୍ୟର ସୁବିଧା   ମଧ୍ୟ ପୂରଣ ହେବା ଜରୁରୀ   ।ଏସବୁର ଅଭାବରେ  ମାନବର ଶାରୀରିକ ତଥା ମାନସିକ ଦକ୍ଷତା ଉପରେ ପ୍ରତିକୂଳ ପ୍ରଭାବ ପଡିଥାଏ । ଫଳସ୍ୱରୂପ ତାର କର୍ଯ୍ୟଦକ୍ଷତା ହ୍ରାସ ସହ ମୁଣ୍ଡପିଛା ଆୟ ମଧ୍ୟ ହ୍ରାସ ପାଇଥାଏ ।  କଥାରେ କୁହାଯାଏ- ‘ପେଟକୁ ଦାନା, ପିଠିକି କନା, ମୁଣ୍ଡ ଗୁଞ୍ଜିବାକୁ ବାସ, ରୋଗକୁ ଓଷ, ପଢିବାକୁ ଦିଅକ୍ଷର ପାଠ’ ।  ତେଣୁ ଜଣେ ମାନବ ଏହି ସବୁ ଆବଶ୍ୟକତାରୁ ଯେପରି ବଞ୍ଚିତ ନହୁଏ ସେଥିପାଇଁ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିବା ପାଇଁ ମିଳିତ ଜାତିସଂଘର ଆହ୍ୱାନ କ୍ରମେ  ପ୍ରତିବର୍ଷ ଡିସେମ୍ବର ୨୦ ତାରିଖକୁ ଆନ୍ତର୍ଜାତୀୟ ମାନବ ଏକତା ଦିବସ ରୂପେ ପାଳନ କରାଯାଉଅଛି । ଏହାର ଉଦେ୍ଦଶ୍ୟ ହେଲା ବିଶ୍ୱରେ ଦାରଦ୍ର୍ୟ ଦୁରୀକରଣ, ବେକାରୀ ନିରାକରଣ, ନିରୋଗ ଜୀବନଯାପନ ସହ ମାନବ ସମାଜରେ ଏକତାର ବାତାବରଣ ସୃଷ୍ଟି କରିବା  ।

ଦାରିଦ୍ର୍ୟ ମାନବର ଏକ ଦୁଃଖଦ ଅବସ୍ଥା । ଏହା ସାମଜିକ ବିକାଶର ବାଧକ । ଏହି ଦାରିଦ୍ର୍ୟ ଯୋଗୁଁ ଜଣେ ମାନବ ବଞ୍ଚିବାର ମୈାଳିକ ଆବଶ୍ୟକତା ପୂରଣ କରିବାରେ ଅସମର୍ଥ ହୋଇଥାଏ । ପରିସଂଖ୍ୟାନରୁ ଜଣାଯାଏ, ସାରା ବିଶ୍ୱରେ ଏବେବି ୧.୩ ବିଲିୟନ ବା ୨୨ ପ୍ରତିଶତ ଲୋକ ଚରମ ଦାରିଦ୍ର୍ୟରେ ରହିଛନ୍ତି ।  ଚରମ ଦାରିଦ୍ର୍ୟ ରହିଥିବା ଦେଶ ମଧ୍ୟରେ ନାଇଜେରିଆରେ ୮୬.୯ ପ୍ରତିଶତ, କଙ୍ଗୋରେ ୬୦.୯ ପ୍ରତିଶତ  ଲୋକ ଉକôଟ ଦାରିଦ୍ର୍ୟରେ ରହିଥିବାର ଜଣାଯାଏ । ସେହିପରି କମ୍ ଦାରିଦ୍ର୍ୟ ଥିବା ଦେଶ ମାନଙ୍କ ମଧ୍ୟରେ କତ୍ତାର, ମକାଓ,  ସିଙ୍ଗାପୁର ଓ ଯୁକ୍ତରାଷ୍ଟ୍ର ଆମେରିକା ଭଳି ଦେଶମାନେ ରହିଛନ୍ତି । ସେହିପରି  ମୋଟ ଜାତୀୟ ଉତ୍ପାଦକୁ ହିସାବକୁ ନେଲେ ଆମ ଦେଶ ଭାରତର ସ୍ଥାନ ୧୨୪ ରେ ରହିଛି ।  ସମ୍ପ୍ରତି ମହାମାରୀ କରୋନା ଯୋଗୁଁ ସାରା ବିଶ୍ୱର ଅର୍ଥନୀତି ଧ୍ୱସ୍ତ ବିଧ୍ୱସ୍ତ । ଶିଳ୍ପ ଜଗତ କୋମାରେ । କୃଷି କ୍ଷେତ୍ରରେ ଅଗ୍ରଗତି ସନ୍ତୋଷ ଜନକ ନୁହେଁ । ଅନ୍ୟାନ୍ୟ ଆନୁସଙ୍ଗିକ କ୍ଷେତ୍ରରେ ମଧ୍ୟ ସ୍ଥାଣୁତା  । ଫଳରେ ବିଶ୍ୱ ସମେତ ଆମ ଦେଶରେ ନିଯୁକ୍ତି କ୍ଷେତ୍ରରେ ପ୍ରତିକୂଳ ପ୍ରଭାବ ପକାଇଛି । ଏଥିପାଇଁ ଦାରିଦ୍ର୍ୟ ହାର ମଧ୍ୟ ବଢିଛି । ଆମ ଦେଶ କଥା ବିଚାରକୁ ନେଲେ ୨୦୧୧-୧୨ ମସିହା ସୁଦ୍ଧା ଆମ ରାଜ୍ୟରେ ଦାରିଦ୍ର୍ୟ ହାର  ୨୯.୬ ବୋଲି କଳନା କରାଯାଇଛି ।

ବେକାରୀ ଓ ଦାରିଦ୍ର୍ୟର ଉଭୟ ପରସ୍ପର ପରିପୂରକ । ବେକାରୀ ଦାରିଦ୍ର୍ୟ ସୃଷ୍ଟି କରିଥିବାରୁ ଉଭୟ ସହଚର । ସାରା ବିଶ୍ୱରେ ବେକାରୀ ସମସ୍ୟା ଉକôଟ ରୂପ ଧାରଣ କରିଛି । ସମଗ୍ର ବିଶ୍ୱରେ ଏହି ସଂଖ୍ୟା ୧୮୮ ମିଲିୟନ ଥିବା ବେଳେ ଅନ୍ୟାନ୍ୟ ଶ୍ର୍ରେଣୀର ଅର୍ଦ୍ଧ ବେକାରୀ ଓ ଆନୁସଙ୍ଗିକ ଶ୍ରମଶକ୍ତିକୁ ବିଚାରକୁ ନେଲେ ସମୁଦାୟ ୪୭୦ ମିଲିୟନ ଲୋକ ବେକାରୀ ଶ୍ରେଣୀଭୁକ୍ତ । ଆମ ଦେଶରେ ମଧ୍ୟ ଏହି ସମସ୍ୟା ଉକôଟ ରୂପ ଧାରଣ କରିଛି । ଆମ ଦେଶରେ ପ୍ରାୟ ୨୧ ମିଲିୟନ ଲୋକ ବେକାର ଅଛନ୍ତି । ଅର୍ଥନୈତିକ ଓ ରାଜନୈତିକ କାରଣ ଏଥିପାଇଁ ଦାୟୀ ବୋଲି କୁହାଯାଇପାରେ । ଅନ୍ୟପକ୍ଷରେ ବେକାରୀ ଓ ଦାରିଦ୍ର୍ୟ ଗୋଟିଏ ଅନ୍ୟଟିକୁ ଜନ୍ମ ଦେଇଥାଏ । କୁହାଯାଏ କର୍ମ ନିୟୋଜନ କାର୍ଯ୍ୟକ୍ରମ ଦାରିଦ୍ର୍ୟ ଦୂରୀକରଣ କରିଥାଏ ଏବଂ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥାଏ ।

ଦ୍ରାରିଦ୍ର୍ୟ ହିଁ କ୍ଷୁଧାର ପ୍ରମୁଖ କାରଣ  । ନିକଟରେ ବିଶ୍ୱ ଖାଦ୍ୟ ଦିବସ ପାଳିତ ହୋଇଯାଇଛି । ବିଶ୍ୱର ୧୦୭ଟି ଦେଶକୁ ନେଇ କରାଯାଇଥିବା କ୍ଷୁଧା ସୂଚକାଙ୍କ ତାଲିକାରେ ଭାରତ ୯୪ ତମ ସ୍ଥାନରେ ରହିଛି । ଏପରିକି ପଡୋଶୀ ବାଂଲାଦେଶ, ପାକିସ୍ଥାନ, ଶ୍ରୀଲଙ୍କା ଓ ନେପାଳଠାରୁ ବି ପଛରେ ରହିଛି ଆମ ଦେଶ । ଭାରତରେ ଏଭଳି ନୈରାଶ୍ୟ ପ୍ରଦର୍ଶନ ପାଇଁ ତ୍ରୁଟି ପୂର୍ଣ୍ଣ ବ୍ୟବସ୍ଥା ଓ ଉପଯୁକ୍ତ ତଦାରଖ ଅଭାବକୁ ଦାୟୀ କରାଯାଇଛି  । ଏପରିକି ଭାରତର ଜନସଂଖ୍ୟାର ୧୪ ପ୍ରତିଶତ ଲୋକ କୁପୋଷଣର ଶିକାର ହେଉଛନ୍ତି ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି । ଏହା ସହିତ ଭାରତରେ ଶିଶୁ ସ୍ୱାସ୍ଥ୍ୟ ମଧ୍ୟ ନୈରାଶ୍ୟ ଜନକ ରହିଛି ।ସେହିଭଳି ଭାରତରେ ୫ବର୍ଷର କମ୍ ବର୍ଷର ଶିଶୁ ମୃତୁ୍ୟ ହାର ୩.୭ ପ୍ରତିଶତ ରହିଛି । ଏହାହିଁ ଚରମ ଦାରିଦ୍ର୍ୟର ପ୍ରତିଫଳନ । ଆମ ରାଜ୍ୟ ୨୦୧୯-୨୦ ପାଇଁ ଜାତୀୟ ଖାଦ୍ୟ ସୁରକ୍ଷା ସୂଚୀର ୧୩ ସ୍ଥାନରେ ରହିଛି । ପୂର୍ବରୁ ଓଡିଶା ୨୬ ନମ୍ବର ସ୍ଥାନରେ ଥିଲା ।

ସ୍ୱାସ୍ଥ୍ୟ ହିଁ ସମ୍ପଦ । ଏହା କେବଳ ବ୍ୟକ୍ତିଗତ ସମ୍ପଦ ନୁହେଁ, ରାଷ୍ଟ୍ରୀୟ ସମ୍ପଦ ମଧ୍ୟ । ଶ୍ରମିକମାନଙ୍କର ସ୍ୱାସ୍ଥ୍ୟ ରାଷ୍ଟ୍ରର ଉତ୍ପାଦନଶୀଳତା ନିଦ୍ଧାରଣ କରିଥାଏ । ସ୍ୱାସ୍ଥ୍ୟ ମାନବ ସମ୍ବଳ ବୃଦ୍ଧିରେ ସହାୟତା ପ୍ରଦାନ କରେ । ତେଣୁ ସ୍ୱାସ୍ଥ୍ୟର ସହାୟତା ଯୋଗାଣ ଅର୍ଥନୈତିକ ବିକାଶ ପାଇଁ ଏକ ପ୍ରମୁଖ ଆବଶ୍ୟକତା  । ଏଥିପାଇଁ ଡାକ୍ତରଖାନା, ନର୍ସ, ଔଷଧ, ଯନ୍ତ୍ରପାତି ଇତ୍ୟାଦିର ଆବଶ୍ୟକତା ରହିଛି । ବିଶ୍ୱରେ ସ୍ୱାସ୍ଥ୍ୟ ସେବାରେ ଆଗୁଆଥିବା ଦେଶମାନଙ୍କ ମଧ୍ୟରେ କାନାଡା, ଡେନମାର୍କ, ସୁଂଡେନ୍, ଜର୍ମାନୀ, ଗ୍ରେଟବି୍ରଟେନ, ଜାପାନ ଓ ଆମେରିକା ପ୍ରଭୃତ୍ତି ଦେଶ ରହିଛି । ଆମ ଦେଶ କଥା ଚିନ୍ତାକଲେ ସ୍ୱାଧୀନତା ସମୟରେ ଭାରତର ସ୍ୱାସ୍ଥ୍ୟ ସେବା ନିମ୍ନରେ ଥିଲା । ସ୍ୱାଧୀନତାର ୭୪ ବର୍ଷର ପରେ ବି  ଆମ ଦେଶରେ ସ୍ୱାସ୍ଥ୍ୟ ସୁବିଧା ପର୍ଯ୍ୟାପ୍ତ ହୋଇପାରି ନାହିଁ । ବିଶେଷ କରି ସହରାଞ୍ଚଳ ଓ ଗ୍ରାମାଞ୍ଚଳ ମଧ୍ୟରେ ସ୍ୱାସ୍ଥ୍ୟ ସୁବିଧାରେ ଫରକ ରହିଛି  । ସେହିପରି ସରକାରୀ ଡାକ୍ତରଖାନା ଓ ଘରୋଇ ଡାକ୍ତରଖାନା ମଧ୍ୟରେ ସୁବିଧା ସୁଯୋଗରେ ମଧ୍ୟ ଯଥେଷ୍ଟ ତାରତମ୍ୟ ପରିଲକ୍ଷିତ ହୋଇଥାଏ ।

ସମ୍ପ୍ରତି ମହାମାରୀ କରୋନା ସାରା ବିଶ୍ୱରେ ତାଣ୍ଡବ ରଚିସାରିଛି । ବିଶ୍ୱର ପ୍ରାୟ ପ୍ରଭାବିତ ୨୧୨ଟିରୁ ଉଦ୍ଧ୍ୱର୍ ଦେଶରେ ଅଦ୍ୟାବଧି ୭କୋଟିରୁ ଉଦ୍ଧ୍ୱର୍ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୧୬ଲକ୍ଷରୁ ଉଦ୍ଧ୍ୱର୍ ଲୋକ ଏହି ରୋଗରେ ମୃତୁ୍ୟବରଣ କରିସାରିଲେଣି । ଏହି ସମୟରେ ସାରା ବିଶ୍ୱରେ ଯେଉଁ ଏକତା ଭାବ ପରିଲକ୍ଷିତ ହୋଇଛି ତାହା ପ୍ରଶଂସାଯୋଗ୍ୟ । ଏହିପରି ଏକତା ଭାବ ଯେ କୈାଣସି ଦୁର୍ଦ୍ଦିନରେ ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ  ବଜାୟ ରହିଲେ ତାହା ଆନ୍ତର୍ଜାତୀୟ ସ୍ତରରେ ଶାନ୍ତି, ସଂହତି ଓ ଭାଇଚାରା ସୃଷ୍ଟି କରିବାରେ ସହାୟକ ହେବ । ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ଶ୍ରେଷ୍ଠ ଜୀବ । ତେଣୁ ମଣିଷ ପାଖରୁ ସବୁ ବେଳେ ଶ୍ରେଷ୍ଠତ୍ୱ ଆଶା କରିବା ସ୍ୱାଭାବିକ ।  ମଣିଷ ମଣିଷ ଭିତରେ ଦିବ୍ୟ ଜ୍ଞାନ ଉଦୟ ହେଲେ ବିଶ୍ୱ ସ୍ତରରେ ଏକତା ଭାବ ବଜାୟ ରହିବ ।ଏହାହିଁ ଆନ୍ତର୍ଜାତୀୟ ମାନବ ଏକତା ଦିବସର ଅନୁଚିନ୍ତା ।

Leave A Reply