Odisha news

ବକ୍ତା ବନାମ ଶ୍ରୋତା

0

ଯଦୁମଣି ପାଣିଗ୍ରାହୀ : ସାଧାରଣତଃ ସଭାସମିତି, ଉତ୍ସବ ଅନୁଷ୍ଠାନରେ ମଞ୍ଚ ଉପରେ ଭାଷଣ ଦେଉଥିବା ବ୍ୟକ୍ତିଙ୍କୁ ବକ୍ତା ଓ ସେମାନଙ୍କର ଭାଷଣ ଶୁଣୁଥିବା ଲୋଙ୍କୁ ଶ୍ରୋତା ଭାବେ ଅଭିହିତ କରାଯାଇଥାଏ । ଏହି ସଭା ସାହିତ୍ୟ, ସଂସ୍କୃତି ଓ ଆଧ୍ୟାତ୍ମିକ ସଂକ୍ରାନ୍ତୀୟ ଅଥବା ରାଜନୈତିକ ହୋଇପାରେ ମାତ୍ର ଏଠାକୁ ନିମନ୍ତ୍ରିତ ହୋଇ ଆସିଥିବା ଅତିଥି ମାନେ କିଛି କହିଥାନ୍ତି ଓ ଡକାହକା ହୋଇ ଆସିଥିବା ଲୋକେ ଏମାନଙ୍କ କଥା ଶୁଣିଥାନ୍ତି । ଅତି ସରଳ ଭାବରେ କହିଲେ କହୁଥିବା ଲୋକଟି ହେଉଛି ବକ୍ତା ଓ ଶୁଣୁଥିବା ଲୋକଟି ହେଉଛି ଶ୍ରୋତା । ତେବେ କହିବା ହେଉଛି ଏକ କଳା । ବାକଚାତୁରୀ ସମସ୍ତଙ୍କ ଠାରେ ନଥାଏ ।

ତେଣୁ ସାଧାରଣ ଭାବେ କିଛି କହିବା ଓ ସଭାସମିତିରେ ବକ୍ତବ୍ୟ ଦେବାରେ ତଫାତ ରହିଛି । ବିଶେଷକରି ସଭାସମିତି ଓ ଉତ୍ସବ ଅନୁଷ୍ଠାନକୁ ବକ୍ତବ୍ୟ ଦେବାକୁ ଆମନ୍ତ୍ରଣ କରାଯାଇଥିବା ଲୋକେ ପ୍ରାୟତଃ ଗୁଣୀଜ୍ଞାନୀ ତଥା ବୁଦ୍ଧିଜୀବୀ ଶ୍ରେଣୀୟ । ଏମାନଙ୍କର ବିଭିନ୍ନ ପ୍ରସଙ୍ଗ ଉପରେ କହିବାର ଦକ୍ଷତା ସାଙ୍ଗକୁ ଭାଷା, ଶୈଳୀ ଓ ଭାବଭଙ୍ଗୀରେ ମଧ୍ୟ ସ୍ୱତନ୍ତ୍ରତା ରହିଥାଏ । ଏମାନଙ୍କ ବକ୍ତବ୍ୟ ଶ୍ରୋତାଙ୍କ ମନକୁ ପାଉଥିବା ଓ ହୃଦୟକୁ ଛୁଉଁଥିବା ଦରକାର । ସେଇଥିପାଇଁ ଖାସକରି ଭଲ ଭଲ ବକ୍ତା ମାନଙ୍କୁ ସଭାସମିତିକୁ ଡକାଯାଇଥାଏ । ଆଉ ଶ୍ରୋତାମାନେ ବି ନିର୍ବୁଦ୍ଧିଆ କି ଅଜ୍ଞାନୀ ନୁହନ୍ତି । ଭଲ ବକ୍ତାଙ୍କ ନାଁ ଶୁଣିଲେ ସେମାନେ ସଭାସମିତିରେ ଭିଡ ଜମାନ୍ତି ଓ ଅତ୍ୟନ୍ତ ଧୈର୍ଯ୍ୟ ସହକାରେ ବସି ସେମାନଙ୍କର ବକ୍ତବ୍ୟ ଶୁଣିଥାନ୍ତି ।

ତେବେ ବେଳେ ବେଳେ ଏଥିରେ ସାମାନ୍ୟ ବ୍ୟତିକ୍ରମ ପରିଲକ୍ଷିତ ହୋଇଥାଏ । ତାହା ହେଉଛି ଖୁବ ଉଚ୍ଚଶିକ୍ଷିତ ଓ ଗୁଣଜ୍ଞାନରେ ଅଧିକାରୀ ଲୋକଟେ ଯେ ସଭାରେ ଭଲ କହିପାରିବ ବା ସେ କହୁଥିବା କଥା ସମ୍ପୂର୍ଣ୍ଣ ନୂଆ ଓ ଶ୍ରୋତାଙ୍କୁ ପୂର୍ବରୁ ଜଣା ନଥିବ ଏହା ଭାବିବା ଠିକ୍ ନୁହେଁ । ସେହିପରି ଆଉ ଏକ ବ୍ୟତିକ୍ରମ ହେଉଛି ସଭାସମିତିରେ ଶ୍ରୋତାଭାବେ ଯୋଗ ଦେଇଥିବା ଲୋକମାନେ ବି ମୂର୍ଖ ଓ ଅପଣ୍ଡିତ ନଥାନ୍ତି ଯେ, ଯିଏ, ଯାହା ଓ ଯେଉଁକଥା କହିଲେ ମୁଣ୍ଡଟୁଙ୍ଗାରି ହଁ ସମ୍ମତ ଦେବେ । ମୋଟ ଉପରେ ବକ୍ତାଟିଏ କହିଲା ବେଳେ ନିର୍ଦ୍ଦିଷ୍ଟ ପ୍ରସଙ୍ଗ ଓ ନିର୍ଦ୍ଧାରିତ ସମୟ ଏହି ଦୁଇଟି କଥାକୁ ଧ୍ୟାନ ଦେବା ଉଚିତ୍ ।

ଏହାଛଡା ଶ୍ରୋତାଙ୍କ ମନସ୍ତତ୍ତ୍ୱକୁ ବି ହୃଦୟଙ୍ଗମ କରିବାକୁ ପଡିବ । ସେ କହୁଥିବା କଥା ଶ୍ରୋତାଙ୍କୁ ଭଲ ଲାଗୁଛି କି ନାହିଁ କିମ୍ବା ସେମାନେ ଅନ୍ୟକିଛି ଆଶା କରୁଛନ୍ତି । ସେଥିପାଇଁ ବୋଧହୁଏ ଅନେକ ବକ୍ତା ନିର୍ଦ୍ଦିଷ୍ଟ ପ୍ରସଙ୍ଗ ଓ ନିର୍ଦ୍ଧାରିତ ସମୟକୁ ଏଡେଇ ଯାଇ ଅନର୍ଗଳ କହି ଚାଲିଥିବା ବେଳେ ସଭାସ୍ଥଳରେ ଶ୍ରୋତାଙ୍କ ନିରବତା ବିରାଜମାନ କରିଥାଏ ତ ଆଉ ଅନେକ ବକ୍ତାଙ୍କ କ୍ଷେତ୍ରରେ ବକ୍ତାଙ୍କ ଏମିତି ଆଚରଣ ଶ୍ରୋତାଙ୍କୁ ନୈରାଶ୍ୟ ଓ ବିରକ୍ତିରେ ବୁଡେଇ ଦେଇଥାଏ ।

ଆଜିକାଲି କହିବା ଲାଗି ସମସ୍ତଙ୍କ ମନରେ ପ୍ରବଳ ଆଗ୍ରହ । ତେଣୁ ସଭାସମିତି ଓ ଉତ୍ସବ ଅନୁଷ୍ଠାନରେ ଦି’ପଦ କହିବାକୁ ଲାଗି ଯାଉଛି ତିବ୍ର ପ୍ରତିଯୋଗିତା । ଶୁଣିବାର ଆଗ୍ରହ ଯେମିତି ସମସ୍ତଙ୍କ ମଧ୍ୟରେ କମି ଯାଉଛି । କହିବା ଲୋକଟି ଅନ୍ୟ କାହା କଥା ଶୁଣିବାର ମାନସିକତା ରଖୁନି । ଏକଥା କେବଳ ସଭାସମତି ପାଇଁ ପ୍ରଯୁଜ୍ୟ ନୁହେଁ ବରଂ ସମାଜର ବିଭିନ୍ନ କ୍ଷେତ୍ରରେ ପରିଲକ୍ଷିତ ହେଉଛି । ଆମ ସମାଜରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ କହିବାର ସୁଯୋଗ ଉଣ୍ଡୁ ଥାଆନ୍ତି ।

ଆଉ ସୁଯୋଗ ପାଇବା ମାତ୍ରକେ ଏହାର ସଦ୍ ବିନିଯୋଗ କରିଥାନ୍ତି । ଏମାନେ ସର୍ବଦା ଅନ୍ୟକୁ କହିବାର ସୁଯୋଗ ନ ଦେଇ କେବଳ ନିଜ କଥା ବଖାଣିବାରେ ଲାଗିଥାନ୍ତି । ଏମାନଙ୍କ କଥା ଅନ୍ୟକୁ ଭଲ ଲାଗୁଛି କି ବିରକ୍ତ ଲାଗୁଛି ତାହା ବୁଝିବାକୁ ଏମାନେ ପ୍ରସ୍ତୁତ ନଥାନ୍ତି । ଆଉ ଅନ୍ୟମାନଙ୍କ କଥା ଶୁଣିବା ବେଳକୁ ଏମାନଙ୍କୁ ବେଳ ନଥାଏ । ଯେଉଁଥିପାଇଁ କେବଳ ରାଜନୈତିକ ସଭାସମିତିକୁ ବାଦ୍ ଦେଲେ ସାହିତ୍ୟ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ସଭା ମାନଙ୍କରେ ଶ୍ରୋତାଙ୍କ ମରୁଡି ଦେଖିବାକୁ ମିଳିଥାଏ । ସାହିତ୍ୟ ସଭାରେ ବକ୍ତାଟିଏ ନିଜ ଭାଷଣ ଦେଇ ସାରି ବ୍ୟସ୍ତତାର ବାହାନା କରି ଖସି ଯାଉଥିବା ବେଳେ କବିତା ପାଠୋତ୍ସବରେ ନିଜ କବିତାଟି ପଢି ଦେଇ କବି ଜଣଙ୍କ କୌଶଳରେ ଖସି ପଳାଇ ଯିବାକୁ ସକ୍ଷମ ହୋଇଥାଏ । ପ୍ରବଚନ ସଭା, ପାଲା ଓ ଦାସକାଠିଆ କଥା କିଏ ପଚାରେ ।

ଏସବୁ ପରିବେଷଣ ହେଉଥିବା ସ୍ଥାନ ଗୁଡିକ ଜନଶୂନ୍ୟ । ଗାଁ ଭାଗବତ ଟୁଙ୍ଗୀ ପରି ଏସବୁ ଧୀରେ ଧୀରେ ହଜିଯିବାକୁ ବସିଛି । କିଛି ଶୁଣିବାର ଆଗ୍ରହ ଆଉ କାହା ଭିତରେ ନାହିଁ । ସମସ୍ତଙ୍କ ଭିତରେ ନିଜ ବିଦ୍ୟା ବୁଦ୍ଧିକୁ ନେଇ ଅହମିକା ବା ବଡ ପଣ । ଆମ ଭିତରେ ଥିବା ଏହି ଅହଙ୍କାର ଆମକୁ ଅନ୍ୟ କାହା କଥା ଶୁଣିବାରେ ପ୍ରତିବନ୍ଧକ ସୃଷ୍ଟି କରିଥାଏ ।

କିଛି ବକ୍ତବ୍ୟ ଦେଇ ଅନ୍ୟର ମନ ଜିଣିବା ଯେମିତି ଏକ ସାଧନା ଠିକ ସେମତି ଅନ୍ୟର କଥା ଶୁଣିବା ମଧ୍ୟ ଏକ ସାଧନା । କୌଣସି ପ୍ରତିକ୍ରିୟା ପ୍ରକାଶ ନକରି ଧୈର୍ଯ୍ୟ ସହକାରେ ଅନ୍ୟର କଥା ଶୁଣିବାରେ ଏତେ କୁଣ୍ଠାବୋଧ କାହିଁକି । ସମସ୍ତେ ଯଦି ବକ୍ତା ହେବାକୁ ନିଜ ନିଜ ଭିତରେ ଏମିତି ପ୍ରତିଦ୍ୱନ୍ଦିତା କରିବେ ତାହାଲେ ଶ୍ରୋତା ଆସିବେ କୁଆଡୁ । ତେଣୁ ଆସନ୍ତୁ ନିଜ ମନ ଭିତରେ ସବୁ ଅହମିକାକୁ ଚାପିଦେଇ ଅନ୍ୟକୁ ଶୁଣିବା ଆଉ ସେଥିରେ ଯଦି କିଛି ଶିକ୍ଷିବା ଭଳି କଥା ଥାଏ ତାହାଲେ ନିସଙ୍କୋଚରେ ଶିଖିନେବା ।

Nalco
Leave A Reply