Odisha news

ସ୍ମୃତିରେ ପଣ୍ଡିତ ପ୍ରାଣକୃଷ୍ଣ ପଢିହାରୀ : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପଣ୍ଡିତ ପ୍ରାଣକୃଷ୍ଣ ପଢିହାରୀଙ୍କ ୬୨ତମ ଶା୍ରଦ୍ଧ ବାର୍ଷିକୀ ଉପଲକ୍ଷେ …….

0

ହିମାଂଶୁ ଶେଖର ଆଚାର୍ଯ୍ୟ : ସ୍ୱାଧୀନତା ହେଉଛି ପ୍ରତ୍ୟେକ ବ୍ୟକ୍ତି, ଦେଶ ଓ ଜାତିର ଜନ୍ମଗତ ଅଧିକାର । ସେହି ଅଧିକାର ଯେଉଁଠି କ୍ଷୁର୍ଣ୍ଣ ହୋଇଛି ବା ଲୁଣ୍ଠିତ ହୋଇଛି ସେଠି ସଂଗ୍ରାମ ବା ଆନେ୍ଦାଳନ ମୁଣ୍ଡ ଟେକିଛି । ଆମ ଦେଶର ସ୍ୱାଧୀନତା ସଂଗ୍ରାମର ଇତିହାସ ପର୍ଯ୍ୟାଲୋଚନା କଲେ ଅନେକ ବିଦ୍ରୋହ, ସଂଗ୍ରାମ ତଥା ଲୁହ ଆଉ ଲହୁର କଥା ସାମ୍ନାକୁ ଆସେ । ସେହି ଆନେ୍ଦାଳନରେ ସାମିଲ ହୋଇଥିବା ମହାନ୍ ଦେଶପ୍ରେମୀ ସ୍ୱାଧୀନତା ସଂଗ୍ରାମୀମାନଙ୍କର ଦେଶପ୍ରେମ, କର୍ତ୍ତବ୍ୟନିଷ୍ଠା, ଧର୍ଯ୍ୟ ଏବଂ ଚରମତ୍ୟାଗର ପଟ୍ଟାନ୍ତର ନାହିଁ । ଦେଶପାଇଁ ଓ ଜାତିପାଇଁ ଏହିପରି ସମର୍ପିତ ବ୍ୟକ୍ତିତ୍ୱ ହେଉଛନ୍ତି ପ୍ରାଣକୃଷ୍ଣ ପଢିହାରୀ, ପରବର୍ତ୍ତୀ ପର୍ଯ୍ୟାୟରେ ଯିଏ ନିଜର ଆଦର୍ଶ, ତ୍ୟାଗ ଓ ପ୍ରତିଷ୍ଠା ବଳରେ ପଣ୍ଡିତ ପ୍ରାଣକୃଷ୍ଣ ପଢିହାରୀ ଭାବେ ସମସ୍ତଙ୍କ ପାଖରେ ସୁପରିଚିତ ହୋଇପାରିଥିଲେ ।

ସଂଗ୍ରାମୀ ପ୍ରାଣକୃଷ୍ଣ ପଢିହାରୀ ଜଗତସିଂହପୁରର ଜୟବଡ ଗ୍ରାମରେ ୧୮୮୩ ମସିହା ଜାନୁଆରୀ ୨୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା କାଳିନ୍ଦୀ ଚରଣ ପଢିହାରୀ ଓ ମାତାଙ୍କ ନାମ ଥିଲା ପଟଦେବୀ । ପ୍ରାଥମିକ ଶିକ୍ଷା ଶେଷପରେ ପ୍ରାଣକୃଷ୍ଣ କଟକ ଏଲିମେଣ୍ଟାରୀ ଟ୍ରେନିଂ ସ୍କୁଲରେ ନାମ ଲେଖାଇଲେ । ଜଣେ ମେଧାବୀ ଛାତ୍ର ହିସାବରେ ତାଙ୍କର ସୁନାମ ଥିଲା । ସେହି ସମୟରେ ଉକ୍ରଳଗୌରବ ମଧୁସୂଦନ ଦାସ ସେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଥିଲେ । ପ୍ରାଣକୃଷ୍ଣଙ୍କ ପାଠପଢାରେ ସନ୍ତୁଷ୍ଟ ହୋଇ ସେ ତାଙ୍କୁ ମେଧାବୃତ୍ତି ପ୍ରଦାନ କରିଥିଲେ । ଖାଲି ସେତିକି ନୁହେଁ ସେତିକିବେଳେ ମଧୁସୂଦନଙ୍କ ସହ କବିବର ରାଧାନାଥଙ୍କ ସଂସ୍ପର୍ଶରେ ଆସିଥିଲେ ସେ । ଏ ଦୁଇଜଣ ବିଶିଷ୍ଟ ବରପୁତ୍ରମାନଙ୍କ ବ୍ୟକ୍ତିତ୍ୱର ଚୁମ୍ବକରେ ସେ ହେଲେ ଆକର୍ଷିତ ଏବଂ ଏଇଠି ତାଙ୍କର ସୃଜନଶୀଳତାର ଭିତ୍ତି ସ୍ଥାପନ ହୋଇଥିଲା ।

୧୯୨୧ ମସିହାର କଥା । ସେତେବେଳେ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ଆହ୍ୱାନରେ ସାରା ଭାରତରେ ଅସହଯୋଗ ଆନେ୍ଦାଳନ ଆରମ୍ଭ ହୋଇଯାଇଥାଏ । ସେହି ସମୟରେ ସଂଗ୍ରାମୀ ଭାଗୀରଥି ମହାପାତ୍ର, ଗୋପବନ୍ଧୁ ଚୌଧୁରୀ, ଜାତୀୟ କବି ବୀର କିଶୋର ସରକାରୀ ଚାକିରୀ ଛାଡି ଚାଲି ଆସିଥାଆନ୍ତି । ସେହି ସମୟରେ ପ୍ରାଣକୃଷ୍ଣ ସ୍ଥାନୀୟ ନେତୃବର୍ଗଙ୍କ ସହ ମିଶି କଂଗ୍ରେସ ସଭାସମିତିରେ ଯୋଗଦେଲେ । ଏସବୁ କଥା ଇଂରେଜ ସରକାରଙ୍କ ଦୃଷ୍ଟିକୁ ଆସିଲା ଓ ତାଙ୍କୁ ଯାଜପୁର ବଦଳି କରଗଲା । ସ୍ୱାଧୀନଚେତା ପ୍ରାଣକୃଷ୍ଣ ଦବିଯିବାର ଲୋକ ନଥିଲେ । ଏଭଳି ଘଟଣାର ପ୍ରତିବାଦରେ ୧୯୨୧ ମସିହା ଜୁଲାଇ ୧୭ ତାରିଖରେ ସେ ଚାକିରୀରୁ ଇସ୍ତଫା ଦେଇ କଂଗ୍ରେସ ଆନେ୍ଦାଳନରେ ପ୍ରତ୍ୟକ୍ଷ ଭାବେ ଯୋଗଦେଲେ । ସରକାରୀ ଚାକିରୀ ନଛାଡିବା ପାଇଁ ତାଙ୍କୁ ବହୁ ବନ୍ଧୁ ପରାମର୍ଶ ଦେଇଥିଲେ । ମାତ୍ର ସ୍ୱଦେଶପ୍ରେମୀ ପ୍ରାଣକୃଷ୍ଣ ତାଙ୍କ ନିଷ୍ପତିରେ ଅଟଳ ରହିଲେ । ଏହି ପରିସ୍ଥିତିରେ ତାଙ୍କ ସ୍ତ୍ରୀ ଗୁଣମଣି ଦେବୀ ତାଙ୍କୁ ପ୍ରେରଣା ଦେଇ କହିଥିଲେ – “ଆମର ଏମିତି ଗୋଲାମି ଦରକାର ନାହିଁ । ମୁଁ ପିଲା ଓ ଘର ଖବର ବୁଝିବି” । ଏହାପରେ ପ୍ରାଣକୃଷ୍ଣ ପଢିହାରୀଙ୍କ ଘର ସତକୁ ସତ ଏକ ଆଶ୍ରମ ପାଲଟିଗଲା । ଏହିଠାରେ ଭାଗୀରଥି ମହାପାତ୍ର, ଗୋପବନ୍ଧୁ ଚୌଧୁରୀ ଓ ଅନ୍ୟ ସ୍ୱାଧୀନତା ସଂଗ୍ରାମୀମାନେ ଏକଜୁଟ ହୋଇ ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତ ନେଉଥିଲେ । ଏପରିକି ଅଧିକାଂଶ ସମୟ ରମାଦେବୀ ଓ ଗୋପବନ୍ଧୁ ଚୌଧୁରୀ ତାଙ୍କ ଘରେ ରହୁଥିଲେ । ସମସ୍ତଙ୍କୁ ଆତିଥେୟତା ପ୍ରଦାନ କରିବାରେ ଲାଗିପଡୁଥିଲେ ଗୁଣମଣି ଦେବୀ ଜଣେ ଆଦର୍ଶ ପତିର ଆଦର୍ଶ ପତ୍ନୀ ଭାବେ ।

ସ୍ୱାଧୀନତା ସଂଗ୍ରାମ ସହ “ଅଳକାଶ୍ରମ”ର ସମ୍ପର୍କ ଆମ ସମସ୍ତଙ୍କୁ ଜଣା । ଏହି ଆଶ୍ରମ ଇତିହାସ ପୃଷ୍ଠାରେ ସ୍ୱତନ୍ତ୍ର ସ୍ଥାନ ପାଇଛି । ୧୯୨୨ ମସିହା ଶ୍ରୀପଞ୍ଚମୀ ଦିନ ଉକ୍ରଳମଣି ଗୋପବନ୍ଧୁ ଦାସଙ୍କ ଦ୍ୱାରା ଶୁଭ ଉଦ୍ଘାଟିତ ହୋଇଥିଲା । ଜଗତସିଂହପୁର ଠାରେ ମାଛଗାଁ ମୁଖ୍ୟ କେନାଲର ଦକ୍ଷିଣ ପାଶ୍ୱର୍ ଓ ବର୍ତ୍ତମାନ ମୃତ ଅଳକାନଈର ଉତ୍ତର ପାଶ୍ୱର୍ରେ ଥିବା ସୋମନାଥ ହାଟକୁ ଲାଗି ପ୍ରଶସ୍ତ ଓ ବିସ୍ତୃତ ଆମ୍ବତୋଟାରେ ଆରମ୍ଭ ହୋଇଥିଲା ଏହି ଅନୁଷ୍ଠାନ । ଏଥିପାଇଁ ଜମି ଦାନ କରିଥିଲେ ଚାଟ୍ରା ଗ୍ରାମର ଭାଗୀରଥି ମହାପାତ୍ର ଓ ବଂଶୀଧର ପଟ୍ଟନାୟକ । ଗୋପବନ୍ଧୁ ଚୌଧୁରୀ ହୋଇଥିଲେ ଅଳକାଶ୍ରମର ତତ୍ତ୍ୱାବଧାରକ । ତାଙ୍କୁ ସମସ୍ତ ପ୍ରକାର ସହଯୋଗ କରିଥିଲେ ପଣ୍ଡିତ ପ୍ରାଣକୃଷ୍ଣ । ସେହି ସମୟରେ କଟକ କାଠଯୋଡି ନଈବାଲିରେ ଗାନ୍ଧିଜୀ ଗୋଟିଏ ସଭା କରୁଥାନ୍ତି । ସ୍ୱାଧୀନତା ଆନେ୍ଦାଳନ ଚାଲୁରଖିବା ପାଇଁ କିପରି ପାଣ୍ଠି ସଂଗ୍ରହ କରାଯିବ ସେ ବିଷୟରେ ଆଲୋଚନା କରାଗଲା । ଏକଥା ଶୁଣି ପଢିହାରୀ ଗାନ୍ଧିଜୀଙ୍କ ପାଖକୁ ଯାଇ କହିଲେ – “ଆଜ୍ଞା ମୋତେ ଆପଣ ଅନୁମତି ଦିଅନ୍ତୁ, ମୁଁ ଆମ ଅଞ୍ଚଳରୁ ପାଣ୍ଠି ସଂଗ୍ରହ କରିବି” ।

ଏକଥା କେବଳ କଥାରେ ନୁହେଁ, କାର୍ଯ୍ୟରେ କରି ଦେଖାଇଥିଲେ ସେ । ଏପରିକି ନିଜ ସ୍ତ୍ରୀ ବାପଘରୁ ଆଣିଥିବା ଚାରିଭରିର ହାରଟିକୁ ସ୍ୱାଧୀନତା ସଂଗ୍ରାମ ପାଣ୍ଠିକୁ ଦାନକରି ସେତେବେଳେ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଥିଲେ । କେବଳ ସେତିକି ନୁହେଁ ସ୍ୱାଧୀନତା ଆନେ୍ଦାଳନର ବିଭିନ୍ନ ପର୍ଯ୍ୟାୟରେ ଅଂଶଗ୍ରହଣ କରି ସେ ସର୍ବମୋଟ ନଅଥର କାରାବରଣ କରିଥିଲେ ଓ ଏହି ସମୟ ମଧ୍ୟରେ ଜେଲ୍ରେ କଟିଥିଲା ଦୀର୍ଘ ପାଞ୍ଚ ବର୍ଷ । ଏଥିରୁ ତାଙ୍କ ତ୍ୟାଗପୁତ ଓ ସଂଗ୍ରାମୀ ଜୀବନର ସ୍ପଷ୍ଟ ଆଭାସ ମିଳେ ।

୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଦେଶ ସ୍ୱାଧୀନ ହେଲା । ପଢିହାରୀଙ୍କ ଖୁସି କହିଲେ ନସରେ । ଏହି ଖୁସିକୁ ବାଣ୍ଟବା ପାଇଁ ପ୍ରାଣକୃଷ୍ଣ ନିଜର ଇଷ୍ଟଦେବ ଶ୍ରୀଜଗନ୍ନାଥଙ୍କ ପାଖରେ କ୍ଷୀରିଖେଚେଡି କରି ବହୁଲୋକଙ୍କୁ ମହାପ୍ରସାଦ ସେବନ କରାଇଥିଲେ । ୧୯୫୨ ମସିହା ଡିସେମ୍ବର ୨୫ ତାରିଖରେ ଗୋପବନ୍ଧୁ ଚୌଧୁରୀଙ୍କ ସହିତ ମିଶି ଓଡିଶାରେ ପଦଯାତ୍ରା କରିଥିଲେ । ଏହି ପଦଯାତ୍ରାରେ ସେମାନେ ଦୁଇହଜାର ମାଇଲ ବାଟ ପାଦରେ ଚାଲିଥିଲେ । ପରେ ୧୯୫୫ ମସିହାରେ ସର୍ବୋଦୟ ନେତା ବିନୋବା ଭାବେଙ୍କ ସହ ମଧ୍ୟ ଭୂଦାନ ପଦଯାତ୍ରା କରି ଲୋକଙ୍କୁ ଭୂଦାନ କରିବାକୁ ବୁଝାଇଥିଲେ ଓ ସଫଳ ମଧ୍ୟ ହୋଇଥିଲେ ।

ଫଳସ୍ୱରୂପ ଲୋକଙ୍କ ପାଖରୁ ଏକ ହଜାର ଏକର ଜମି ସଂଗ୍ରହ କରି ଭୂଦାନ ମେଳା କରାଇଥିଲେ । ଏଥିସହିତ ଶିକ୍ଷାର ପ୍ରସାର ପାଇଁ ସେ ସର୍ବଦା ଚିନ୍ତିତ ଥିଲେ । ପ୍ରାଥମିକ ପର୍ଯ୍ୟାୟରେ ସେ ଅକ୍ଳାନ୍ତ ଉଦ୍ୟମ କରି ଜୟବଡ ପ୍ରାଥମିକ ବିଦ୍ୟାଳୟ ଆରମ୍ଭ କଲେ । ଏଥିପାଇଁ ଉଦ୍ଦିଷ୍ଟ ଜମି ସେ ଦେଇଥିଲେ । ସେତେବେଳେ ଜଗତସିଂହପୁରରେ ଆଶୁ ଚିକିତ୍ସାର କୌଣସି ବ୍ୟବସ୍ଥା ନଥିଲା । ତେଣୁ, ଲୋକମାନେ ଚିକିତ୍ସା ଅଭାବରୁ ମୃତୁ୍ୟବରଣ କରୁଥିଲେ । ତାଙ୍କରି ପ୍ରଚେଷ୍ଟାରେ ଜଗତସିଂହପରରେ ପ୍ରାଥମିକ ଚିକିତ୍ସାକେନ୍ଦ୍ର ଖୋଲିଲା । ଏହି ସ୍ୱାସ୍ଥ୍ୟକେନ୍ଦ୍ର ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାନ୍ୟତା ପାଇଛି । ଏହି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ପରିଚାଳନା ସମ୍ପାଦକ ରୂପେ ସେ ମୃତୁ୍ୟପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ଏତଦ୍ବ୍ୟତୀତ ସେ କଟକ ସି.ଟି ହସପିଟାଲ୍ର ସମ୍ପାଦକ ମଧ୍ୟ ଥିଲେ ।

ଏହିପରି ଏକ କର୍ମମୟ ଓ ଘଟଣାବହୁଳ ଜୀବନର ଅବସାନ ଘଟିଲା ୧୯୫୮ ମସିହା ଅଗଷ୍ଟ ୮ ତାରିଖରେ । ଆଜି ପ୍ରାଣକୃଷ୍ଣ ପଢିହାରୀ ଆମ ଗହଣରେ ନାହାନ୍ତି । ତଥାପି ତାଙ୍କ ସ୍ୱଦେଶପ୍ରୀତି, ମାନବପ୍ରୀତି ଓ ଉଦରଭାବ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ।

Nalco
Leave A Reply