Odisha news

ମାୟାନଗରୀ ମୁମ୍ବେଇ

0

ଇଂ. ବିଦ୍ୟାଧର ପଣ୍ଡା, ବି.ଟେକ୍. ସିଭିଲ୍, ଏମ୍.ଟେକ୍.(ପରିବେଶ), ଏଲ୍ଏଲ୍ବି : ମାୟାନଗରୀ ମୁମ୍ବେଇକୁ ୧୯୯୫ରୁ ୧୯୯୯ ପାଂଚବର୍ଷ ପର୍ଯନ୍ତ ଅତି ନିକଟରୁ ଦେଖିବାର ଅଭିଜ୍ଞତାରୁ ଏତିକି ଅନୁମେୟ ଯେ ଯଦିଓ ଦାଉଦ୍ ଈବ୍ରାହିମ୍ ଏବେ ପାକିସ୍ଥାନରେ ରହୁଛି, ତଥାପି ତା’ର ଲୋକମାନେ ଏବେସୁଦ୍ଧା ସମ୍ପୂର୍ଣ୍ଣ ସିନେମା ଜଗତକୁ ନିଜ କବଳରେ ରଖିବାକୁ ସକ୍ଷମ ହୋଇପାରିଛନ୍ତି । ଧରାବି ପରି ମୁମ୍ବେଇରେ ଛୋଟବଡ ଅନେକ ବସ୍ତି ଅଂଚଳ ଅଛି, ଯାହାର ମାଲିକାନା ମାଫିଆମାନଙ୍କ ପାଖରେ ଅଛି । ମୁମ୍ବେଇ ସହର ସୀମା ଭିତରେ ପ୍ରାୟ ରେଳଧାରଣା କଡ ଓ ପାହାଡତଳ ସବୁ ସରକାରୀ ଯାଗା, ସେମାନଙ୍କ ଅଧୀନରେ ଅଛି ।

ରହିବାଲୋକ ଟିଣ କି ଆଜବେଷ୍ଟସ୍ ପକାଇ କଚ୍ଚାକାନ୍ଥର ଘରଟିଏ କରିବାକୁ ଏହି ମାଫିଆ ଗୋଷ୍ଠିଙ୍କର ଅନୁମତି ନିଏ । ତା’ପରେ ମାସକୁ ମାସ ଶହେ କି ଦୁଇଶହ ଟଙ୍କା ସେଠିକାର ଗୋଟେଦାଦାକୁ ଦେବାକୁ ହୁଏ । ଏମିତି ପୂରା ମୁମ୍ବେଇରେ ପାଂଚକୋଟି ଉପରେ ଚାଳବସ୍ତି ଅଛି, ଯାହାର ଭଡା ମାଫିଆଙ୍କ ମୁଖ୍ୟ ରୋଜଗାର । ଦୁଇଶହ ଲେଖାଏଁ ଜଣକା ଦେଲେ ହଜାରେ କୋଟିଟଙ୍କାର ମାସିକ ଆଦାୟ । ଖାଲି ଦାଉଦ୍ ଗ୍ୟାଙ୍ଗ୍ ନୁହେଁ, ଏଥିରେ ଛୋଟା ରାଜନ, ଅରୁଣ ଗାଉଲୀ ସହ ପ୍ରାୟ ସବୁ ରାଜନୈତିକ ଦଳର ଉଗ୍ରଗୋଷ୍ଠିମାନଙ୍କର ଅଧୀନରେ ଗୋଟିଏଗୋଟିଏ ନିଜି ଅଂଚଳ ରହିଛି । ଏଇଟା ହେଲା ପରମାନେଂଟ୍ ଇନ୍କମ୍ । ଏହାପରେ ବିଲ୍ଟର୍ଙ୍କ ପାଖରୁ ଏବଂ ଘରକିଣିବା ବ୍ୟକ୍ତିମାନଙ୍କ କ୍ରୟ ବିକ୍ରୟ ମୂଲ୍ୟଟଙ୍କାରେ ବି ମାଫିଆଙ୍କର ଭାଗ ଥାଏ ।

ଯେଉଁ ଏଜେଂଟ୍ ମାଧ୍ୟମରେ ଆପଣ ବିଲ୍ଡର୍ଙ୍କୁ କଥାହେବେ ସେହି ଲୋକଟି ଆପଣଙ୍କ ଫୋନ୍ନମ୍ବର ଠିକଣା ଆଦି ସେ ଏରିଆର ସକ୍ରିୟ ମାଫିଆଙ୍କୁ ଦେଇଦେବେ । ତାଙ୍କର ବଟି ସବୁ ଫିକ୍ସ । ମୂଲଚାଲ ନାହିଁ । ଏକ ବଖୁରିଆ ଶୋଇବା ଘର ଥିବା ଫ୍ଲାଟ୍ କିଣିଲେ ପାଂଚ ପରସେଂଟ୍, ଦୁଇବଖୁରିଆ କିଣିଲେ ସାଢେସାତ ପରସେଂଟ୍ ଏବଂ ତିନି ବଖୁରିଆ ଶୋଇବାଘର ଥିବା ଫ୍ଲାଟ୍ କିଣିଲେ କ୍ରୟମୂଲ୍ୟର ଦଶ ପରସେଂଟ୍ ଦାଦାବଟି ଦେବାକୁ ହୁଏ । ପ୍ରଥମେ ଦାଦାବଟି ଦେଣନେଣ ସମାଧାନ ହେଲା ପରେ ରେଜେଷ୍ଟ୍ରି ଅଫିସକୁ ଯାଇ ନିଜନାଁରେ ଫ୍ଲାଟ୍ଟିକୁ କରିହେବ, ନଚେତ୍ ନାହିଁ । ଏକଥା ସେଠିକାର ପୋଲିସ୍, ବ୍ୟାଙ୍କର୍ ସହ ସମସ୍ତ ଜନସାଧାରଣ ଜାଣନ୍ତି ।

ଚୋର୍ ବଜାର ଓ ଗ୍ରାଣ୍ଡରୋଡ୍ର ଦୃଶ୍ୟ ଯେତିକି ସୁଖଦ, ସେତିକି ଭୟାବହ ମଧ୍ୟ । କିଛିକିଛି ଅସାମାଜିକ ଅପରାଧିମାନଙ୍କଠାରୁ କିଛି ପୋଲିସ୍ବାବୁ ଅବୈଧ କାରବାର, ଜୁଆଖେଳ ଓ ବେଶ୍ୟାବୃତି ପରି ଅପରାଧ ସହିତ ବେଶୀ ଜଡିତ । ସୁନାବିସ୍କୁଟ୍ ସ୍ମଗଲିଂ, ବ୍ରାଉନ୍ ସୁଗାର ଓ ହିରୋଇନ୍ ଆଦିର କାରବାର ପୋଲିସ ସହାୟତରେ ହିଁ ହୁଏ ।

ଦାଉଦ୍ ଈବ୍ରାହିମ୍ର ବାପା ଈବ୍ରାହିମ୍ କସ୍କର୍ ପୋଲିସ୍ ବିଭାଗର ଜଣେ ହେଡ୍ କନେଷ୍ଟବଳ ଥିଲା, ତା’ପାଖକୁ ଭିନ୍ନଭିନ୍ନ ଅପରାଧିମାନେ ଆସୁଥିବାରୁ ଦାଉଦ୍ ସେହି କିଶୋର ଅବସ୍ଥାରୁ ଧିରେଧିରେ ଅପରାଧ ଜଗତ ସହ ପରିଚିତ ହେଲା । ସୁତରାଂ ସରଳଭାଷାରେ କହିଲେ ମୁମ୍ବେଇ ସହରରେ ଅପରାଧିମାନଙ୍କ ଠାରୁ ବେଶୀ ଅପରାଧ ପୋଲିସ୍ମାନେ ଏହିସବୁ ବଡବଡ ଗ୍ୟାଙ୍ଗ୍ର କାର୍ପଟଦାରମାନଙ୍କ ନିଦେ୍ର୍ଦଶରେ କରିଥାନ୍ତି । ପ୍ରଥମେ ରିପବ୍ଲିକ୍ଭାରତ ସୁଶାନ୍ତସିଂ ରାଜପୁତ୍ର ଘଟଣାକୁ ବାରମ୍ବାର ପ୍ରସାରଣକରିବା ଦ୍ୱାରା ଏବେ ଏବିପି ନିୟୁଜ୍ ଏବଂ ଇଣ୍ଡିଆ ଟିଭି ମଧ୍ୟ ସେହି ରାସ୍ତାରେ ଗଲେଣି ।

ସବୁଠାରୁ ବଡକଥା ଏବେ ବିହାର ପୋଲିସ୍ ଅଧିକାରୀଙ୍କ ମୁମ୍ବେଇ ଗସ୍ତ ଏବଂ ସେଠାରେ ମହାରାଷ୍ଟ୍ର ପୋଲିସ୍ଙ୍କର ଦୁର୍ବ୍ୟବହାର । ପୋଷ୍ଟମଟମ୍ ରିପୋର୍ଟ ନଦେବା, ଭୁଲ୍ବସତଃ ଦିଶା ସାଲିୟାନ୍ ଫାଇଲ୍ ଡିଲିଟ୍ ହୋଇଯିବା, ବିହାରର ଡିସିପିଙ୍କୁ ଅସହଯୋଗ ମହାରାଷ୍ଟ୍ର ପୋଲିସଦ୍ୱାରା ବହୁତ ନିନ୍ଦନୀୟ କର୍ମ । ସବୁ ସୀମାକୁ ପାରକରି ବିହାରରୁ ମୁମ୍ବେଇ ତଦନ୍ତ କରିବାକୁ ଯାଇଥିବା ପାଟନା ସିଟି ଏସ୍ପି ବିନୟ ତିୱାରୀଙ୍କୁ ଜବରଦସ୍ତି କରୋନା ଆକ୍ରାନ୍ତ ସନ୍ଦିଗ୍ଧ ଏକାନ୍ତବାସରେ ରଖିବା ଏକ ଅସମୀଚୀନ ଏବଂ ଘୋର ଅନ୍ୟାୟ । ଏଥିରୁ ଷ୍ପଷ୍ଟ ଜଣାଯାଏ ଯେ ସୁଶାନ୍ତ ସିଂ ରାଜପୁତ୍ଙ୍କ ଏହା ଆଦୌ ଆତ୍ମହତ୍ୟା ନୁହେଁ । ଏହା ଏକ ଯୋଜନାବଦ୍ଧ ହତ୍ୟା । ପ୍ରଥମେ ରିୟା ଚକ୍ରବର୍ତ୍ତି ନିଜେ ସିବିଆଇ ଯାଂଚ୍ କହି ଏବେ ମୁମ୍ବେଇ ପୋଲିସ୍ କରନ୍ତୁ ବୋଲି କହିବା ସହ ସୁପ୍ରିମ୍ କୋର୍ଟ ଯାଇ ଅଜ୍ଞାତବାସ ଆଦିର ୟୁଟର୍ଣ୍ଣ ନେଇ ପୋଲିସଦଳଙ୍କଠାରୁ ଦୂରେଇଯିବା ପରେ ସମସ୍ତଙ୍କ ସନେ୍ଦହ ଆଉରି ଘନିଭୂତ ହେଉଛି ।

ଏବେ ମହାରାଷ୍ଟ୍ରରେ ଯାହା ସବୁ ଚାଲିଛି, ସେସବୁ ବିଶ୍ଲେଷଣ କଲେ ଜଣାଯାଏ ଯେ ଯୁଗଯୁଗ ଧରି ମହାରାଷ୍ଟ୍ର ପୋଲିସ୍ ଏମିତି ଅନେକ ନାୟକ ନାୟିକାଙ୍କ ଜୀବନ ସହ ଖେଳିଛନ୍ତି । ସାଧାରଣତଃ ତିନୋଟି ଉପାୟରେ ନାୟକ ନାୟିକା ଆତ୍ମହତ୍ୟା କରିଛନ୍ତି ବୋଲି ପୋଲିସ୍ ପାଖରେ ତଥ୍ୟ ଅଛି । ପ୍ରଥମତଃ ପଙ୍ଖାରୁ ଝୁଲି, ଦ୍ୱିତୀୟରେ ବାଲ୍କୋନୀରୁ ଡେଇଁ ଏବଂ ତୃତୀୟରେ ମାଦକଦ୍ରବ୍ୟ ସହ ବିଷ ପିଇ ଆତ୍ମହତ୍ୟା କରିଥିବା ଅଧିକାଂଶ କ୍ଷେତ୍ରରେ ଦେଖାଯାଏ । ଏବେକାର ଘଟଣାକ୍ରମକୁ ଦେଖି କିଛିଲୋକ ସନେ୍ଦହ କରୁଛନ୍ତି ଯେ ଯେଉଁମାନେ ଗତ ଚାଳିଶ ପଚାଶବର୍ଷ ଭିତରେ ମୁମ୍ବେଇରେ ଅସମୟରେ ପ୍ରାଣ ହରାଇଛନ୍ତି ସେସବୁ ଫାଇଲ୍ ଖୋଲି ଥରେ ଆଖି ପକେଇବା ଆବଶ୍ୟକତା ଅଛି । ପ୍ୟାସା, କାଗଜ କେ ଫୁଲ୍, ସାହେବ ବିବି ଅøର ଗୁଲାମ୍ ସିନେମାର ନାୟକ ଗୁରୁଦତ ୧୯୬୪ରେ ହଠାତ୍ ଚାଲିଗଲା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ । ତାପରେ ମୁମ୍ବେଇନଗରୀ ଅସଂଖ୍ୟ ଆତ୍ମହତ୍ୟା ଦେଖିଛି । ସେମାନଙ୍କ ଭିତରେ ସାଇ ପ୍ରଶାନ୍ତ, ଶିଖା ଯୋଶୀ, ସିଲ୍କ ସ୍ମିତା, କୁଶାଲ୍ ପଞ୍ଜାବୀ, ସେଜଲ୍ ଶର୍ମା, ପୁଷ୍ପା ବାନାର୍ଜୀ, ଜିୟା ଖାଁ, ଦିବ୍ୟା ଭାରତୀ, ଶ୍ରୀଦେବୀ ପରି ଅନେକ ନାୟକ ନାୟିକାଙ୍କର ମୃତୁ୍ୟରହସ୍ୟ ଏପର୍ଯ୍ୟନ୍ତ ରହସ୍ୟମୟ ଅବସ୍ଥାରେ ରହିଛି । ଯେଉଁମାନେ ଏସବୁ ଘାତ ପ୍ରତିଘାତକୁ ସହି ଉପରକୁ ଉଠିଛନ୍ତି, ସେମାନେ ସବୁ ଜାଣନ୍ତି ।

ପ୍ରାୟ ସଫଳ ନିଦେ୍ର୍ଦଶକ ଏବଂ ନାୟକନାୟିକା ମାନଙ୍କର ମାଫିଆଙ୍କ ସହ ମଧୁର ସମ୍ପର୍କ ନିଶ୍ଚିତ ଥିବ । କିନ୍ତୁ ଏସବୁ ଗୋଲକଧନ୍ଦାରେ ମହାରାଷ୍ଟ୍ର ସରକାର ବି ମୁମ୍ବେଇପୋଲିସ ପଛରେ ଦୃଢ ସମର୍ଥନ ଏବଂ ବିହାରପୋଲିସ୍ ପ୍ରତି ଦୁର୍ବବହାରରୁ ସୁଶାନ୍ତ ସିଂ ନ୍ୟାୟ ପାଇବାରୁ ବଂଚିତ ହେବା ପକ୍କା ଜଣାଯାଉଛି । ମୁମ୍ବେଇ ମହାରଷ୍ଟ୍ରର ହେବା ସହ ଭାରତର ବି ଗୋଟିଏ ପ୍ରମୁଖ ସହର । ମହାରାଷ୍ଟ୍ର ସରକାରଙ୍କ ବୟାନ ଏବଂ ମୁମ୍ବେଇ ପୋଲିସର ଆଚରଣ ଯୋଗୁ ଆଜି ସୁଶାନ୍ତ ସିଂ ରାଜପୁତ୍ ପଛରେ ସାରା ଦେଶ ଛିଡାହୋଇଛି । ଏହାକୁ ନେଇ ମହାରାଷ୍ଟ୍ର ଓ ବିହାରରାଜ୍ୟ ଭିତରେ ଟଣାଟଣି ଆରମ୍ଭ ହେଲାଣି । ଯୁବସମାଜ ରାସ୍ତାକୁ ଓହ୍ଲେଇଲେଣି । ତେଣୁ ଏପରି ଅନ୍ୟାୟ ଘଟଣାକ୍ରମକୁ କେନ୍ଦ୍ର ସରକାର ଏବଂ ସର୍ବୋଚ୍ଚ ନ୍ୟାୟଳୟ ନଜର ଅନ୍ଦାଜ ନକରି କି ଏପରି ସମୟରେ କେବଳ ମୁଖଦର୍ଶକ ନହୋଇ ସୁଶାନ୍ତ ଏବଂ ଦିଶାଙ୍କୁ ନ୍ୟାୟ ଦେବାପାଇଁ ବିହିତ ପଦକ୍ଷେପ ଶୀଘ୍ର ନେବା ଉଚିତ୍ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରୁଛନ୍ତି ।

Nalco
Leave A Reply