ଗତ ନଭେମ୍ବର ମାସ ଶେଷ ସପ୍ତାହରେ ଭାରତୀୟ ରେଳବାଇ “ଭାରତ ଗୌରବ ଟ୍ରେନ୍” ନୀତି ପ୍ରାରମ୍ଭ କରିଛି | “ଭାରତ ଗୌରବ ଟ୍ରେନ୍” ନାମକ ବିଷୟବସ୍ତୁ ଆଧାରିତ ଟୁରିଷ୍ଟ ସର୍କିଟ୍ ଟ୍ରେନ୍ ଚଳାଇ ଭାରତର ସମୃଦ୍ଧ ସାଂସ୍କୃତିକ, ଐତିହ୍ୟ ଏବଂ ଭବ୍ୟ ଐତିହାସିକ ସ୍ଥାନଗୁଡିକ ଭାରତ ତଥା ବିଶ୍ୱର ଲୋକଙ୍କୁ ପ୍ରଦର୍ଶନ କରିବା ଏହି ନୀତିର ଉଦ୍ଦେଶ୍ୟ ଅଟେ |
ପୂର୍ବତଟ ରେଳପଥ ପକ୍ଷରୁ ଡିସେମ୍ବର ୭ ତାରିଖ ଦିନ (ମଙ୍ଗଳବାର) ଆଭାସୀ ମାଧ୍ୟମରେ ଏହି ସମ୍ବନ୍ଧୀୟ ଏକ ବୈଠକ ଆୟୋଜିତ ହୋଇଯାଇଅଛି ଯେଉଁଠାରେ ଓଡିଶା ଏବଂ ଆନ୍ଧ୍ରପ୍ରଦେଶର ଟୁର୍ ଆଣ୍ଡ ଟ୍ରାଭେଲ ଅପରେଟରମାନେ ଅଂଶଗ୍ରହଣ କରିଥିଲେ | ପୂର୍ବତଟ ରେଳପଥ ମୁଖ୍ୟ ବାଣିଜ୍ୟିକ ପ୍ରବନ୍ଧକ (ପାସେଞ୍ଜର ମାର୍କେଟିଂ) ଶ୍ରୀ ପି ସି ସାହୁ ଏହି ଟ୍ରେନ ସମ୍ବନ୍ଧୀୟ ବୈଶିଷ୍ଟ୍ୟକୁ ସଂକ୍ଷେପରେ ବର୍ଣ୍ଣନା କରିଥିଲେ | ପୂର୍ବତଟ ରେଳପଥର ମୁଖ୍ୟ ଯାତ୍ରୀ ଯାତାୟାତ ପ୍ରବନ୍ଧକ ଶ୍ରୀ ଜେ.ପି.ମିଶ୍ର ଏବଂ ଉପ ମୁଖ୍ୟ ଯାନ୍ତ୍ରିକ (ମେକାନିକାଲ) ଯନ୍ତ୍ରୀ (କୋଚିଂ) ଏହି ବୈଠକରେ ମଧ୍ୟ ଯୋଗ ଦେଇଥିଲେ |
“ଏହି ଯୋଜନା ଅଧୀନରେ ପଞ୍ଜୀକୃତ ସେବା ପ୍ରଦାନକାରୀଙ୍କୁ ଭାରତ ଗୌରବ ଟ୍ରେନ୍ ଚଳାଚଳ ପାଇଁ ଭାରତୀୟ ରେଳବାଇ ଦ୍ୱାରା “ବ୍ୟବହାର କରିବାର ଅଧିକାର” ଆଦର୍ଶ ଅଧୀନରେ ରେକ୍ ପ୍ରଦାନ କରାଯିବ | ବିଷୟବସ୍ତୁ, ଟୁର୍ ପ୍ୟାକେଜ୍ ଏବଂ ମୂଲ୍ୟ ସ୍ଥିର କରିବାକୁ ସେବା ପ୍ରଦାନକାରୀଙ୍କର ନମନୀୟତା ରହିବ ଏବଂ ରେଳ ଭ୍ରମଣ, ହୋଟେଲ ରହଣି, ଦର୍ଶନୀୟ ସ୍ଥାନ ସମେତ ପର୍ଯ୍ୟଟକଙ୍କୁ ସମସ୍ତ ପ୍ରକାର ଦେୟ ଅନ୍ତର୍ଭୂକ୍ତ ପ୍ୟାକେଜ୍ ପ୍ରଦାନ କରିବାର ସ୍ୱାଧୀନତା ମଧ୍ୟ ରହିବ |
ଆଗ୍ରହୀ ସେବା ପ୍ରଦାନକାରୀ “ଭାରତ ଗୌରବ ଟ୍ରେନ୍” ଅଧୀନରେ www.indianrailways.gov.in ଅନଲାଇନ୍ ପଞ୍ଜିକରଣ ପ୍ରୟୋଗ କରିପାରିବେ | ଘରୋଇ ଅପରେଟରମାନଙ୍କୁ ସର୍ବନିମ୍ନ ଦୁଇ ବର୍ଷ ଏବଂ କୋଚଗୁଡିକର ଅବଶିଷ୍ଟ କୋଡାଲ୍ ଲାଇଫ୍ ପର୍ଯ୍ୟନ୍ତ କୋଚ୍ ପ୍ରଦାନ କରାଯିବ | “ଭାରତ ଗୌରବ” ଟ୍ରେନରେ ସର୍ବନିମ୍ନ 14 ଟି କୋଚ୍ ଏବଂ 2 ଟି SLR (ସିଟିଂ-କମ-ଲଗେଜ୍ କୋଚ୍) ସହିତ ସର୍ବାଧିକ 20 ଟି କୋଚ୍ ରହିବ | ସେବା ପ୍ରଦାନକାରୀମାନେ ଟ୍ରେନର ଭିତର ଓ ବାହ୍ୟକୁ ସଜାଇ ପାରିବେ ଏବଂ ଟ୍ରେନର ତୃତୀୟ ପକ୍ଷ ବିଜ୍ଞାପନ ଏବଂ ବ୍ରାଣ୍ଡିଂରୁ ରୋଜଗାର ମଧ୍ୟ କରିପାରିବେ | ସେବା ପ୍ରଦାନକାରୀ ମାନେ ମଧ୍ୟ ଲଗେଜ୍ ପରିବହନ ପାଇଁ ଟ୍ରେନର SLR ଅଂଶ ବ୍ୟବହାର କରିପାରିବେ | ପ୍ରତ୍ୟେକ ଭାରତ ଗୌରବ ଟ୍ରେନ୍ ଏକ ସ୍ୱତନ୍ତ୍ର ନମ୍ବର ରହିବ ଏବଂ ଅନ୍ୟ ମେଲ୍ / ଏକ୍ସପ୍ରେସ ଟ୍ରେନ୍ ସହିତ ସମାନତା ଦିଆଯିବ |
ସେବା ପ୍ରଦାନକାରୀ ଏବଂ ଟୁର୍ ଅପରେଟରଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଏକ ଗ୍ରାହକ ସହାୟତା ୟୁନିଟ୍ ମଧ୍ୟ ସ୍ଥାପନା କରାଯାଇଅଛି |