Odisha news

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜେଡିର ଚୋରୀ ଏବଂ ଚୋରୀ ଉପରେ ସିନା ଚୋରୀ : ଗୋଲକ ମହାପାତ୍ର

0

ଭୂବନେଶ୍ୱର, ତା.୦୭/୧୨: ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ରେ ୬.୭ଲକ୍ଷ ହିତାଧିକାରୀଙ୍କୁ ସାମିଲ୍ କରିବା ପାଇଁ ଆବାସ ପ୍ଲସ ପୋର୍ଟାଲ ଖୋଲିବା ନିମନ୍ତେ ରାଜ୍ୟସଭାରେ ସ୍ୱତନ୍ତ୍ର ଆଲେଖ୍ୟ ଜରିଆରେ ବିଜେଡି ସାଂସଦ ଯେଉଁ ଦାବୀ କରିଛନ୍ତି ତାହା ଚୋରି ଏବଂ ଚୋରି ଉପରେ ସିନା ଚୋରି ସଦୃଶ ବୋଲି ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଗୋଲକ ମହାପାତ୍ର ଅଭିଯୋଗ ଆଣିଛନ୍ତି ।
ରାଜ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଆସୁଥିବା ଅର୍ଥର ବାଟମାରଣା ହେଉଥିବା ବେଳେ ଦଳୀୟ ଆଧାରରେ ଘର ବଂଟନ ହେଉଛି । ରାଜ୍ୟ ସରକାର ପ୍ରକୃତ ଯୋଜନାର ହିତାଧିକାରୀଙ୍କୁ ଘର ନଦେଇ ନିଜ ଦୋଷକୁ ଲୁଚାଇ କେବଳ କେନ୍ଦ୍ର ଉପରେ ବିନା କାରଣରେ ଆରୋପ ଲଗାଉଛନ୍ତି । ଯଦି ସସ୍ମିତ ପାତ୍ର ଏବଂ ତାଙ୍କ ଦଳଙ୍କୁ ଗରିବଙ୍କ ଘର ପାଇଁ ଏତେ ଚିନ୍ତା, ତେବେ ଯେତେବେଳେ ଆବାସ ପ୍ଲସରେ ୪ଥର ସମୟସୀମା ବୃଦ୍ଧି କରାଗଲା ସେତେବେଳେ ଗରିବଙ୍କ ପ୍ରତି ତାଙ୍କର ଦରଦ କୁଆଡେ ଗଲା ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି ।
ପ୍ରଥମେ ୨୦୧୮ ଜୁନ୍ ୩୦, ସେପ୍ଟେମ୍ବର ୩୦, ନଭେମ୍ବର ୩୦ ଏବଂ ଶେଷରେ ୨୦୧୯, ମାର୍ଚ୍ଚ ୭ ପର୍ଯ୍ୟନ୍ତ ଆବାସ ପ୍ଲସରେ ଗୃହ ସାମିଲ କରିବା ପାଇଁ ତାରିଖ ବୃଦ୍ଧି କରାଯାଇଥିଲା । ଓଡିଶା, ତାମିଲନାଡୁ, ମହାରାଷ୍ଟ୍ର ଭଳି ରାଜ୍ୟର ସ୍ୱତନ୍ତ୍ର ଅନୁରୋଧ ପରେ ଏହାକୁ ବଢାଯାଇଥିଲା । ଏହି ସବୁ ରାଜ୍ୟରେ ବାତ୍ୟା, ବନ୍ୟା ପ୍ରଭାବିତ ପରିବାର ଗୁଡିକର ପଞ୍ଜିକରଣ ପାଇଁ ସ୍ୱତନ୍ତ୍ର ୱିଣ୍ଡୋ ଦିଆଯାଇଥିଲା । ଏହା ସତ୍ୱେ ସେତେବେଳେ କେବିକେ ସମେତ ୧୬ ଜିଲ୍ଲାର ୬.୭ଲକ୍ଷ ହିତାଧିକାରୀଙ୍କୁ ସାମିଲ ନକରି ଏବେ ସସ୍ମିତ୍ ପାତ୍ର କାହିଁକି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି? ବାତ୍ୟା ଓ ପଂଚାୟତ ନିର୍ବାଚନ ଆସିବା ସମୟରେ ଘରକୁ ପଶିବା ମାତ୍ରେ ମୁଣ୍ଡ ବାଜିଲା ପରି ଆବାସ ଯୋଜନାର କଥା ବିଜେଡିର ମନେ ପଡିବା ଓ ଗରିବଙ୍କ ପାଇଁ ଆନ୍ତରିକତା ହଠାତ୍ ଜାଗ୍ରତ ହେବା ବିଡମ୍ବନାର ବିଷୟ ନୁହେଁ କି?ଫୋନୀ ପରବର୍ତୀ ସମୟରେ ଓଡିଶାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆବଂଟିତ ଘର ମାମଲାରେ ରାଜ୍ୟ ସରକାରଙ୍କ ଟାଳଟୁଳ ନୀତି ପଦାକୁ ଆସିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଆବଂଟନରେ ଆକାଂକ୍ଷୀ ଜିଲ୍ଲାକୁ ନଗଣ୍ୟ କରାଯାଇଛି । ବରଗଡ, ବଲାଙ୍ଗୀର, ବୌଦ୍ଧ, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ରାୟଗଡା, ସମ୍ବଲପୁର ଓ ସୁନ୍ଦରଗଡ ଆଦି ୯ଟି ଜିଲ୍ଲାରେ ଘର ଆବଂଟନ ଶୂନ ଥିବା ବେଳେ ଝାରସୁଗୁଡା ଜିଲ୍ଲାକୁ ଏହି ଯୋଜନାରେ ମାତ୍ର ୪ଟି ଘର ଆବଂଟନ କରାଯାଇଛି । ଅଧିକାଂଶ ଘର ନିର୍ମାଣ କାମ ନିମ୍ନମାନର ଥିବା ଜଣାପଡିଥିବା ବେଳେ ଅନେକ ଘର ଅସମ୍ପୂର୍ଣ୍ଣ ରହିଛି ଯଥା କେତେ ସ୍ଥାନରେ ରୋଷେଇ ଘର ନାହିଁ, ଝରକା ନାହିଁ, ଛାତ ପଡିନାହିଁ, ଶୌଚାଳୟ ନଥିବା ମଧ୍ୟ ଉକ୍ତ ତଦନ୍ତରୁ ଜଣାପଡିଥିଲା । ଏଥିରୁ ଏହି ଜିଲ୍ଲା ପ୍ରତି ଓଡିଶା ସରକାରଙ୍କ ସମ୍ବେଦନଶୀଳତା କଣ ଅଛି ସ୍ପଷ୍ଟ ବାରି ହୋଇଯାଉଛି । ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଓଡିଶାକୁ ୮ଲକ୍ଷ ୧୭ହଜାର ୫୧୩ଜଣ ଲାଭାର୍ଥୀଙ୍କ ପାଇଁ ପକ୍କା ଘର ଆବଂଟନ କରିଛନ୍ତି । ତେବେ ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆସୁଥିବା ଘର ବାବଦ ଅର୍ଥରେ ଅନିୟମିତା ଅଭିଯୋଗ ହୋଇଥିଲା । ଏହା ପରେ ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଭାରତ ସରକାରଙ୍କ ଗ୍ରାମ୍ୟ ବିକାଶ ମନ୍ତ୍ରଣାଳୟଙ୍କ ଦ୍ୱାରା ଏକ ସ୍ୱତନ୍ତ୍ର କେନ୍ଦ୍ରୀୟ ଟିମ୍ ଗଠନ କରିଥିଲେ । ଏହି ତଦନ୍ତକାରୀ ଟିମ୍ ଦ୍ୱାରା ହୋଇଥିବା ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ରାଜ୍ୟରେ ଏକ ଲକ୍ଷରୁ ଉଦ୍ଧ୍ୱର୍ ଘର ବଂଟନରେ ଅନିୟମିତତା ତଥା ପ୍ରତି ଘର ପିଛା ୧ଲକ୍ଷ ୨୦ ହଜାର ହେଲେ ପାଖାପାଖି ୧ହଜାର କୋଟିରୁ ଉଦ୍ଧ୍ୱର୍ ଟଙ୍କାର ଆତ୍ମସାତ୍ ହୋଇଥିବା ତଦନ୍ତ ରିପୋର୍ଟରୁ ଜଣାପଡିଥିଲା । ଯାହାକୁ ଆମେ ପୂର୍ବରୁ ଗଣମାଧ୍ୟମ ଆଗରେ ଉପସ୍ଥାପନ କରିଛୁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ସେହିଭଳି ପୂର୍ବରୁ ୫ଲକ୍ଷ ହିତାଧିକାରୀଙ୍କ ନାମ ଆବାସ ଯୋଜନାରୁ ରାଜ୍ୟ ସରକାର କାଟି ଦେଇଛନ୍ତି ଏବଂ ୫୦ ପ୍ରତିଶତରୁ ଅଧିକ ହିତାଧିକାରୀଙ୍କ ଆଧାର କାର୍ଡ ଲିଙ୍କ୍ କରାଯାଇନାହିଁ । ତା ହେଲେ ଏଠାରେ ସେହି ଭୂତ ହିତାଧିକାରୀମାନେ କିଏ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି ।
ଓଡିଶା ସରକାରଙ୍କ ପଂଚାୟତିରାଜ ବିଭାଗ ଚଳିତବର୍ଷ ଜୁଲାଇ ୯ ତାରିଖରେ ଚିଠି ନଂ ଚଜ-ଜଐ-ଓଇଣ-୦୦୧୦-୨୦୨୨୦/୧୦୭ଙ୮/ଚଜଌଊଡ ସରକାରଙ୍କ ପ୍ରମୁଖ ସଚିବ ଦେଓରଞ୍ଜନ କୁମାର ସିଂହ ଚିଠିରେ ଉଲ୍ଲେଖ କରିଥିଲେ କେନ୍ଦ୍ର ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣରେ ଚଡଖ(ଚରକ୍ସଜ୍ଞବଦ୍ଭରଦ୍ଭଗ୍ଧ ଙ୍ଗବସଗ୍ଧସଦ୍ଭଶ ଖସଗ୍ଦଗ୍ଧ) ତାଲିକା କରିବା ମାତ୍ରେ ଜିଲ୍ଲାରେ ସବୁ ଆବାସକୁ ଆଧାର ଲିଙ୍କ୍ ସହ ଯୋଡିବା ପାଇଁ କହିଥିଲେ । ଆବାସ ପ୍ଲସ ତାଲିକାରେ ପଞ୍ଜିକୃତ ହୋଇଥିବା ୮.୨୨ଲକ୍ଷ ହିତାଧିକାରୀ ମଧ୍ୟରୁ ୫.୬ଲକ୍ଷକୁ ଯୋଗ୍ୟ ପାଇଥିଲେ । ବଳକା ୨.୬୨ଲକ୍ଷ ଘରର ହିତାଧିକାରୀଙ୍କୁ ପୁଣି ଥରେ ତଦାରଖ କରିବା ପାଇଁ ନିଦେ୍ର୍ଦଶ ଦେଇଥିଲେ । ପୁଣି ଥରେ ଗତ ଜୁଲାଇ ୧୫ ତାରିଖରେ ଚିଠି ନଂ ଚଜ-ଜଐ-ଓଇଣ-୦୦୧୦-୨୦୨୨୦/୧୧୦୨୫-ଚଜଌଊଡ ସରକାରଙ୍କ ପ୍ରମୁଖ ସଚିବ ଦେଓରଞ୍ଜନ କୁମାର ସିଂହ ସମସ୍ତ ଜିଲ୍ଲାପାଳଙ୍କୁ ହିତାଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ନିଦେ୍ର୍ଦଶ ଦେଇଥିଲେ । ଏହି କ୍ରମରେ ଗତ ଜୁଲାଇ ୨୦ତାରିଖରେ ଚିଠି ନଂ ୧୯୯୩ରେ ପଂଚାୟତିରାଜ ବିଭାଗର ପ୍ରକଳ୍ପ ନିଦେ୍ର୍ଦଶକ କଟକ ଜିଲ୍ଲା ସମେତ ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ପତ୍ର ମାଧ୍ୟମରେ ଆବାସ ପ୍ଲସ ମାଧ୍ୟମରେ ଚିହ୍ନଟ ହୋଇଥିବା ହିତାଧିକାରୀଙ୍କ ତାଲିକାରୁ ପୁନଃଯାଂଚ କରି ତ୍ରୁଟିମୁକ୍ତ ତାଲିକା ପ୍ରସ୍ତୁତ କରିବା ପାଇଁ ନିଦେ୍ର୍ଦଶ ଦେଇଥିଲେ । ତେବେ ଜୁଲାଇ ୧୫ତାରିଖ ଚିଠି ଅନୁସାରେ ଏପର୍ଯ୍ୟନ୍ତ ବ୍ଲକ ଉନ୍ନୟନ ଅଧିକାରୀ (ବିଡିଓ) ମାନେ ତଦନ୍ତ ନକରି ପୂର୍ଣ୍ଣାଙ୍ଗ ଯୋଗ୍ୟ ହିତାଧିକାରୀ ତାଲିକା ରିପୋର୍ଟ ପ୍ରସ୍ତୁତ କରିନାହାଁନ୍ତି ଏବଂ ରାଜ୍ୟ ସରକାରଙ୍କ ଗ୍ରାମୀଣ ଗୃହ ନିର୍ମାଣ ପୋର୍ଟାଲରେ ଅପଲୋଡ୍ ହୋଇନାହିଁ । ତେଣୁ କରି ରାଜ୍ୟ ସରକାରଙ୍କ ପାଖରେ ଆଜି ପର୍ଯ୍ୟନ୍ତ କୌଣସି ଯୋଗ୍ୟ ତାଲିକାଙ୍କର ଚିଠା ନାହିଁ । ରାଜ୍ୟ ସରକାର କେଉଁ ଆଧାରରେ ଆବାସ ବାଂଟିବେ ବୋଲି ଚିନ୍ତା କରୁଛନ୍ତି । ପ୍ରଥମେ ରାଜ୍ୟ ସରକାର ସମସ୍ତ ଯୋଗ୍ୟ ହିତାଧିକାରୀ ତାଲିକା ଚୂଡାନ୍ତ କରନ୍ତୁ । ପ୍ରଥମେ ରାଜ୍ୟ ସରକାର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ତାଲିକାକୁ ସାର୍ବଜନୀନ କରନ୍ତୁ ବୋଲି ଶ୍ରୀ ମହାପାତ୍ର ଦାବୀ କରିଛନ୍ତି ।
ରାଜ୍ୟ ସରକାର ସାଢେ ୪କୋଟି ଓଡିଶାବାସୀଙ୍କୁ ଦିନରେ ଲଣ୍ଠନ ଦେଖାଇବା ବନ୍ଦ କରନ୍ତୁ । ଲୁଚିଛି ନା ଗୋଡ ଦୁଇଟି ଦିଶୁଛି ଭଳି ବିଜେଡିର ଘର ବଂଟନରେ ଅନିୟମିତତା କାର୍ଯ୍ୟକୁ ଓଡିଶାବାସୀ ବୁଝିଲେଣି । ଆମର ସାଧାରଣ ଜନତା ଏହାର ଜବାବ୍ ନିଶ୍ଚୟ ଦେବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ସଂଯୋଜକ ଦିଲ୍ଲୀପ ମଲ୍ଲିକ ଓ ରାଜ୍ୟ ମୁଖପାତ୍ର ଠାକୁର୍ ରଞ୍ଜିତ୍ ଦାସ୍ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply