ବୁଗୁଡ଼ା : ତା ୨୨/୧୦/୨୩ : ମା ଜଗଜ୍ଜନନୀ ଦୁର୍ଗାଦେବୀଙ୍କ ମହାସପ୍ତମୀ ଓ ମହାଅଷ୍ଟମୀ ପୂଜା ଅବସରରେ ବୁଗୁଡା ସହର ସମେତ ଗ୍ରାମାଞ୍ଚଳ ମଧ୍ୟ ଚଳଚଞ୍ଚଳ ହୋଇପଡିଛି । ବୁଗୁଡା ସହରର ମଦନ ମୋହନ ଛକ ଓ ବସଷ୍ଟାଣ୍ଡ ସାଙ୍ଗକୁ ଗ୍ରାମାଞ୍ଚଳର ବାଲିପଦର , ବାଦୁଆ , ବି.କରଡ଼ାବାଡ଼ି , ମାଣିବନ୍ଧ ଓ ବେତାରସିଂ ଗ୍ରାମରେ ମା ଦୁର୍ଗାଦେବୀଙ୍କ ପୂଜା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହେଉଛି । ସଂପୃକ୍ତ ପୂଜା କମିଟି ଏବଂ ଗ୍ରାମବାସୀଙ୍କ ସହଯୋଗରେ ଆୟୋଜିତ ଦୁର୍ଗା ପୂଜା ମଣ୍ଡପ ଗୁଡିକରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ଶୋଭା ପାଉଥିବା ବେଳେ ସୁସଜ୍ଜିତ ଆଲୋକମାଳାରେ ପୂଜା ପରିସର ଝଲସି ଉଠୁଛି । ମା’ଙ୍କୁ ପାରମ୍ପରିକ ରୀତିନୀତି ଅନୁସାରେ ମନ୍ତ୍ରପାଠ ପୂର୍ବକ ପୂଜାର୍ଚ୍ଚନା ଯୋଗୁଁ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଦିନତମାମ ପୂଜା ମଣ୍ଡପ ଗୁଡିକରେ ମା’ଙ୍କ ଦର୍ଶନ ସକାଶେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାବେଶ ଘଟୁଛି । ତେବେ ସନ୍ଧ୍ଯା ସମୟରେ ବିଭିନ୍ନ ପୂଜା ମଣ୍ଡପ ନିକଟରେ ପ୍ରବଳ ଭିଡ ଜମୁଥିବାରୁ ସେଠାରେ ଭିଡ ନିୟନ୍ତ୍ରଣ ସାଙ୍ଗକୁ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ସାଧାରଣରେ ଦାବି ହେଉଛି ।