ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ମୟୂରଭଞ୍ଜର ପାହାଡପୁର ଗାଁରେ ନାବାଡ୍ ସହଯୋଗରେ ନିର୍ମିତ କମ୍ୟୁନିଟି ସେଣ୍ଟର, ଆଦିବାସୀ ବିକାଶ ପ୍ରକଳ୍ପ ଏବଂ ଛତୁ ଚାଷ ଉପରେ ଜୀବିକା ପ୍ରକଳ୍ପକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦଘାଟନ କରିଛନ୍ତି । ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ନାବାଡର ଓଡ଼ିଶା ଆଞ୍ଚଳିକ କାର୍ଯ୍ୟାଳୟର ଚିଫ୍ ଜେନେରାଲ ମ୍ୟାନେଜର ଉପସ୍ଥିତ ରହିଥିଲେ।
ଏହି ଅବସରରେ ଦେଶର ଦୂର ଅଞ୍ଚଳରେ କୃଷି ଏବଂ ଗ୍ରାମୀଣ ବିକାଶରେ ନାବାଡର ଉଦ୍ୟମକୁ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ପ୍ରଶଂସା କରିଥିଲେ । ଏହାସହ ଗ୍ରାମାଞ୍ଚଳରେ ସମାଗ୍ରୀକ ବିକାଶ ଆଣିବା ପାଇଁ ସରକାରୀ ଅଧିକାରୀ, ନାବାଡ୍, ବ୍ୟାଙ୍କ ଏବଂ ଏନଜିଓ ପରସ୍ପର ମଧ୍ୟରେ ସହଯୋଗ ରଖିବା ପାଇଁ ସେ ଅପିଲ୍ କରିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ନାବାଡ ହେଉଛି କେନ୍ଦ୍ର ସରକାରଙ୍କ ଏକ ସଂସ୍ଥା, ଯାହା ଦେଶର କୃଷି ଏବଂ ଗ୍ରାମୀଣ ବିକାଶ ପାଇଁ କାର୍ଯ୍ୟ କରୁଛି । ପାହାଡପୁର ଗାଁରେ ହୋଇଥିବା ଆଦିବାସୀ ବିକାଶ ପ୍ରକଳ୍ପରେ ଗାଁର ପ୍ରାୟ ୧୦୦ ପରିବାର ଲାଭବାନ ହେବେ । ଏହାସହ ଆଖପାଖର ଅନ୍ୟ ୪୦୦ ପରିବାର ମଧ୍ୟ ଉପକୃତ ହେବେ । ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପରିବାରର ଆୟ ଗୋଟିଏ ଏକର ଜମିରୁ ୧ ଲକ୍ଷ ଟଙ୍କା କରାଇବା ।
ସେହିପରି ଜୀବିକା ପ୍ରକଳ୍ପରେ ପାହାଡପୁର ଗାଁର ୯୦ ସ୍ୱୟଂ ସହାୟକ ମହିଳାଙ୍କୁ ସାମିଲ କରାଯାଇଛି । ନାବାଡ ପକ୍ଷରୁ ଏମାନଙ୍କୁ ୧୦ ଲକ୍ଷ ଟଙ୍କା ଆବଣ୍ଟନ କରାଯାଇଛି । ଏହା ପ୍ରକଳ୍ପ ଜରିଆରେ ମହିଳାଙ୍କୁ ଛତୁ ଚାଷ ପାଇଁ ପ୍ରଶିକ୍ଷଣ ମଧ୍ୟ ଦିଆଯିବ ।