Odisha news

ଯାଦୁଆ ବିକୁଛି ଯାଦୁର ମଲମ

0

ଡାକ୍ତର ସମ୍ରାଟ କର : ସକାଳର କୁହୁଡ଼ି ଶୀତ ଆକ୍ତମାକ୍ତ କରିଦେଉଥିବାବେଳେ ଘର ପାଖ ପାନଦୋକାନୀ ବିଭୁତି ଧଇଁସଇଁ ହୋଇ ମୋତେ ଆସି କହିଲା ସାର “ଆପଣଙ୍କ ଚିକିତ୍ସା କାମ ଏଥର ଅନ୍ୟମାନେ ବି କରିଦେଇପାରିବେ । ମାନେ ଆପଣଙ୍କ ଏଲୋପ୍ୟାଥିକ ଚିକିତ୍ସାକୁ ଅନ୍ୟ ଚିକିତ୍ସା ବ୍ୟବସ୍ଥା ଯଥା ଆୟୁର୍ବେଦ ଓ ହୋମିଓପ୍ୟାଥିକ ଡାକ୍ତରମାନେ ବି କରିଦେଇପାରିବେ ।’ ମୁଁ କହିଲି “ଓଡ଼ିଆରେ ଗୋଟିଏ ପୁରୁଣାକାଳିଆ ଲୋକକଥା ରହିଛି ତାହା ହେଉଛି ଯାଦୁଆ ବିକୁଛି ଯାଦୁର ମଲମ । ଅର୍ଥାତ୍ ନିଜେ ଜଣେ ରୋଗଗ୍ରସ୍ତ ଅନ୍ୟ ମୁର୍ମୁଷୁ ପାଇଁ ଚିକିତ୍ସା କରୁଛି । ବାସ୍ତବ କଥା ହେଉଛି କେନ୍ଦ୍ର ସରକାରଙ୍କ ଏକ ଉଦ୍ଭଟ୍ଟ ବ୍ୟବସ୍ଥା ଅନୁଯାୟୀ ଆୟୁର୍ବେଦ ଡାକ୍ତରମାନେ ଏଣିକି ବିଭିନ୍ନ ପ୍ରକାର ରୋଗର ଅସ୍ତ୍ରୋପଚାର କରିପାରିବେ । ସାଧାରଣ ଅସ୍ତ୍ରୋପଚାର ଠାରୁ ଆରମ୍ଭ କରି ଅସ୍ଥି, କର୍ଣ୍ଣ-ନାସା-ଗଳା, ଚକ୍ଷୁ ଏବଂ ଦାନ୍ତର ଅସ୍ତ୍ରୋପଚାର ଏହି ଡାକ୍ତରମାନେ କରିପାରିବେ ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ନେଇ ଏକ ବିଜ୍ଞପ୍ତି ଗତ ୧୯ ତାରିଖରେ ଜାରି କରାଯାଇଛି । ବିଜ୍ଞପ୍ତି ଅନୁସାରେ ଭାରତୀୟ ଭେଷଜ କେନ୍ଦ୍ରୀୟ ପରିଷଦ ନିୟମାବଳୀ, ୨୦୧୬ରେ ସଂଶୋଧନ ଅଣାଯାଇ ଆୟୁର୍ବେଦ ଡାକ୍ତରମାନଙ୍କ ସ୍ନାତକୋତ୍ତର ତାଲିମ ପାଠ୍ୟକ୍ରମରେ ଏସବୁ ପାଠ୍ୟକ୍ରମ ପ୍ରଦାନ କରାଯିବ ବୋଲି କୁହାଯାଇଛି । ଶଲ୍ୟ ତନ୍ତ୍ର ଓ ଶାଲକ୍ୟ ତନ୍ତ୍ର ବିଭାଗରେ ସ୍ନାତକୋତ୍ତର ପାଠ ପଢ଼ିବାା ସମୟରେ ଆୟୁର୍ବେଦ ଡାକ୍ତରମାନଙ୍କୁ ଏ ନେଇ ତାଲିମ ଦିଆଯିବ । ସେମାନେ କିଭଳି ନିଜେ ଏହି ଅସ୍ତ୍ରୋପଚାର ସ୍ୱାଧୀନ ଭାବେ କରିପାରିବେ ତାହାର ପ୍ରାକ୍ଟିକାଲ ଟ୍ରେନିଂ ଦିଆଯିବ ।

ଉଲ୍ଲେଖଯୋଗ୍ୟ ଶଲ୍ୟ ତନ୍ତ୍ର ପାଠ୍ୟକ୍ରମରେ ସାଧାରଣ ଅସ୍ତ୍ରୋପଚାର ଏବଂ ଶାଲକ୍ୟ ତନ୍ତ୍ର ପାଠ୍ୟକ୍ରମରେ କର୍ଣ୍ଣ-ନାସା-ଗଳା ଅସ୍ତ୍ରୋପଚାର ତାଲିମ ଦିଆଯାଇଥାଏ । ଶଲ୍ୟ ତନ୍ତ୍ରରେ ଶରୀରର ନଷ୍ଟ ହୋଇଯାଇଥିବା ଅଙ୍ଗକୁ କାଟି ବାହାର କରିବା, ଚମଡ଼ା ପ୍ରତିରୋପଣ କରିବା, ପେଟ ଏବଂ ଗ୍ୟାଷ୍ଟ୍ରିକ ଆଦିର ଅତ୍ୟାଧୁନିକ ଅସ୍ତ୍ରୋପଚାର ବିଷୟରେ ତାଲିମ ଦିଆଯିବ । ସେହିଭଳି ଶାଲକ୍ୟ ତନ୍ତ୍ରରେ ଆୟୁର୍ବେଦ ଡାକ୍ତରମାନଙ୍କୁ ଇଏନ୍ଟି ସମେତ ଆଖିର ବିଭିନ୍ନ ପ୍ରକାର ଅସ୍ତ୍ରୋପଚାର ସଂକ୍ରାନ୍ତରେ ତାଲିମ ଦିଆଯିବ ।

ତେବେ ଭାରତୀୟ ଭେଷଜ କେନ୍ଦ୍ରୀୟ ପରିଷଦର ଏ ପ୍ରକାର ଅସ୍ତ୍ରୋପଚାର ଆୟୁର୍ବେଦ ପ୍ରତିଷ୍ଠାନ ଓ ଡାକ୍ତରଖାନା ଗୁଡ଼ିକରେ ୨୫ ବର୍ଷରୁ ଉଦ୍ଧ୍ୱର୍ ସମୟ ହେଲା କରାଯାଉଛି ବୋଲି ସୂଚନା ଦେଇଛନ୍ତି । ତେବେ ଏହା କେବଳ ବୈଧ ବା ଆଇନ ସମ୍ମତ ବୋଲି ଉକ୍ତ ବିଜ୍ଞପ୍ତି ଦ୍ୱାରା ସ୍ପଷ୍ଟ କରାଯାଇଛି । ସାଧାରଣ ଅସ୍ତ୍ରୋପଚାର ସମେତ ଇଏନ୍ଟି ଏବଂ ଚକ୍ଷୁର ଅସ୍ତ୍ରୋପଚାର ଆୟୁର୍ବେଦ ଡାକ୍ତରମାନେ ଗତ ୨୦ରୁ ୨୫ ବର୍ଷ ହେଲା କରି ଆସୁଛନ୍ତି । ଅସ୍ତ୍ରୋପଚାର ଓପିଡ଼ି ମଧ୍ୟ ରହିଛି । କିନ୍ତୁ ଦୀର୍ଘବର୍ଷ ହେଲା ଏହାର ଆଇନଗତ ଦିଗ ଉପରେ କେହି ଦୃଷ୍ଟି ଦେଇନଥିଲେ । ତେଣୁ ମନ୍ତ୍ରାଳୟ ଏବଂ ନିତି ଆୟୋଗ ସହ ବିଚାର ବିମର୍ଷ ପରେ ଏହାକୁ ଲିଖିତ ଆକାରରେ ରଖିବା ପାଇଁ ବ୍ୟବସ୍ଥା ହୋଇଛି ।

ଫଳରେ ଯେଉଁସବୁ ଅସ୍ତ୍ରୋପଚାର ପୂର୍ବରୁ ହୋଇଆସୁଛି । ତାହା ଆଇନ ସମ୍ମତ ବୋଲି ଏହି ବିଜ୍ଞପ୍ତି ମାଧ୍ୟମରେ ସ୍ପଷ୍ଟ ହୋଇଥିବା ଜଣାଯାଇଛି । ଅସଲ କଥା ହେଉଛି ସାଧାରଣ ଅସ୍ତ୍ରୋପଚାର ଆଧୁନିକ ଚିକିତ୍ସା ବିଜ୍ଞାନର ଏକ ଅଂଶ ବିଶେଷ । ଆୟୁର୍ବେଦ ଚିକିତ୍ସା ମାଧ୍ୟମରେ ଏହାକୁ ମୁଖ୍ୟସ୍ରୋତକୁ ଅଣାଯାଇ ପାରିବ ନାହିଁ । ସ୍ନାତକୋତ୍ତର ଆୟୁର୍ବେଦ ପାଠ୍ୟକ୍ରମରେ ଅସ୍ତ୍ରୋପଚାର ତାଲିମ ଦିଆଯିବା ଦ୍ୱାରା ଏମ୍ଏସ୍ ଡାକ୍ତର ସୃଷ୍ଟି ହେବେ । ଏହାଦ୍ୱାରା ରୋଗୀଙ୍କ ଚିକିତ୍ସାର ମୌଳିକ ଯତ୍ନ ଏବଂ ସୁରକ୍ଷାର ମାନ ପ୍ରତି ବିପଦ ଦେଖାଦେଇ ପାରେ । ଜଣେ ଏମ୍ବିବିଏସ୍ ଡିଗ୍ରୀଧାରୀ ଡାକ୍ତର ନିଜ ଜୀବନର ଅତ୍ୟନ୍ତ ମୂଲ୍ୟବାନ ଓ ଗୁରୁତ୍ୱପୂର୍ଣ୍ଣ ସମୟ ବିନିଯୋଗ କରିଥାନ୍ତି ଚିକିତ୍ସା ଶାସ୍ତ୍ରର ପାଠପଢ଼ିବା ପାଇଁ । ସର୍ବଭାରତୀୟ ସ୍ତରରେ ଏକ ମେଧା ବିଚାର ବିମର୍ଷ ପରେ ଜଣେ ଡାକ୍ତରୀ ପାଠ ପଢ଼ିବା ପାଇଁ ଯୋଗ୍ୟ ହୋଇଥାଏ ।

ଏମ୍ବିବିଏସ୍ ଡାକ୍ତରୀ ପାଠ ଅନେକ ହୁଏତ ଜାଣିନଥିବେ ଏହା ଏକ ସାଧାରଣ କଥା ନୁହେଁ । ବର୍ଷ ବର୍ଷ ଧରି ସମୟ ଓ ଅର୍ଥ, ଅଧ୍ୟବସାୟ, ନିଷ୍ଠା ନିଜ ପିତାମାତା ଓ ଇଷ୍ଟଙ୍କ ପ୍ରତି ସମର୍ପଣ, ତ୍ୟାଗ ଆବଶ୍ୟକ ହୋଇଥାଏ । ଜଣେ ଡାକ୍ତରଙ୍କୁ ସମାଜ “ଦ୍ୱିତୀୟ ଭଗବାନ’ ବୋଲି କହିଥାନ୍ତି । କାରଣ ଜଣଙ୍କ ମୁର୍ମୁଷୁ ଜୀବନକୁ ଉପଷମ ବା ଆରୋଗ୍ୟ ଦେବାପାଇଁ ଏହି ଦ୍ୱିତୀୟ ଭଗବନା ତାଙ୍କ ପାଇଁ ଦେବଦୂତ ପାଲଟିଥାନ୍ତି । ଆମ ସମାଜରେ ଅନେକ ବିରଳ ଡାକ୍ତର ରହିଛନ୍ତି ଯେଉଁମାନଙ୍କର ନିଷ୍ଠା, ରୋଗୀମାନଙ୍କ ପ୍ରତି ଦରଦ ସହହୃଦୟତା, ନିଜ ପକେଟରୁ ପଇସା ଖର୍ଚ୍ଚକରି ଜଣଙ୍କ ପାଇଁ ଆବଶ୍ୟକ ପଡ଼ିଲେ ନିଜେ ରକ୍ତଦାନ ବି କରିଥାନ୍ତି । କେବଳ ଓଡ଼ିଶା ନୁହେଁ ଭାରତର ଅନେକ ଯାଗାରେ ବିଭିନ୍ନ ପ୍ରତିକୂଳ ଓ ପ୍ରତିବନ୍ଧକ ପରିସ୍ଥିତିକୁ ସାମ୍ନା କରି ଡାକ୍ତର ଜଣଙ୍କ ନିଃସ୍ୱାର୍ଥପର ସେବା ଯୋଗାଇଥାଏ ।

ଏ କ୍ଷେତ୍ରରେ ସେମାନେ ନିଜ ଘରପରିବାର କଥା ବି ପଛେଇ ଦିଅନ୍ତି । କେନ୍ଦ୍ର ସରକାରଙ୍କ ଏହି ବିଚିତ୍ର ଓ ଉଦ୍ଭଟ ବ୍ୟବସ୍ଥା ବର୍ତ୍ତମାନର ସମାଜରେ ଅନେକ କ୍ୱାକ୍, ନକଲି ଡାକ୍ତର ଓ ଗୁଣିଟୁଣି କରିଥିବା ବଇଦ ମାନଙ୍କୁ ସୃଷ୍ଟି କରିବ । ଅନେକ ସମୟରେ ଗଣମାଧ୍ୟମରେ ଖବର ପ୍ରକାଶ ପାଏ ଯେ ନକଲି ଡାକ୍ତରଙ୍କ ଚିକିତ୍ସା ଜଣଙ୍କ ଜୀବନ ବି ନେଇଯାଉଛି । ତେଣୁ ଏହାର ଫାଇଦା ଭରପୁର ଭାବେ ଏହି ବର୍ଗର ଚରିତ୍ରମାନେ ଫାଇଦା ଉଠାଇବେ । ପରବର୍ତ୍ତୀ ସମାଜରେ ଏହା ଏକ ଭୟଙ୍କର ଓ ଜଟିଳ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ସୃଷ୍ଟି କରିବ । କାରଣ ଜଣେ ମୁର୍ମୁଷୁ ଗୁଣିଗାରେଡି ଦ୍ୱାରା ଉପଶମ ନପାଇଲେ ଶେଷ ସମୟ ବେଳକୁ ଡାକ୍ତରଙ୍କ ପାଖକୁ ଆସିବାବେଳେକୁ ସେମାନଙ୍କ ସ୍ଥିତି ସଙ୍କଟାପନ୍ନ ହୋଇଯାଏ ।

କିନ୍ତୁ ଭୁଲବୁଝାମଣାର ଶିକାର ହୋଇ ଡାକ୍ତର ରୋଗୀଟିକୁ ମାରିଦେଲା ବୋଲି କହି ଅନେକ ସମୟରେ ଅପ୍ରିତୀକର ଓ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟିକରେ । ହୋମିଓପ୍ୟାଥିକ, ନେଚରପ୍ୟାଥି, ଆୟୁର୍ବେଦ ଓ ୟୁନାନି ଚିକିତ୍ସା ବ୍ୟବସ୍ଥା ଭାରତରେ ପ୍ରାଚୀନ କାଳରୁ ଚଳି ଆସୁଛି ଏହାକୁ କେହି ଅସ୍ୱୀକାର କରୁନାହାଁନ୍ତି । କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ ବିଛା ମନ୍ତ୍ର ନଜାଣି ସାପ ଗାତରେ ହାତ ପୁରାଇଲା ପରି ଚିକିତ୍ସା ସେବା ନଜାଣି ଜଣକୁ ଆରୋଗ୍ୟ କରିଦେବାର ବ୍ୟବସ୍ଥା ହୋଇଥାଏ । ତେଣୁ ସରକାର ସବୁଦିଗକୁ ବିଚାର କରି ଏହି ବିଜ୍ଞପ୍ତିକୁ ନେଇ ସ୍ପଷ୍ଟୀକରଣ ଦେବା ସହ ଏ ଆଇନକୁ ପ୍ରତ୍ୟାହାର କରନ୍ତୁ ।

Leave A Reply