ନୂଆଦିଲ୍ଲୀ: ଦୀପାବଳି ଅବସରରେ ଭାରତ ଏବଂ ପାକିସ୍ତାନର ସେନା ମଧ୍ୟରେ ଆଜି (ଗୁରୁବାର) ନିୟନ୍ତ୍ରଣ ରେଖା ଉପରେ ଥିବା ତିଥୱାଲ କ୍ରସିଂ ବ୍ରିଜରେ ମିଠା ବିନିମୟ ହୋଇଛି। ଭାରତୀୟ ସୀମା ସୁରକ୍ଷା ବଳ (ବିଏସଏଫ) ଏବଂ ପାକିସ୍ତାନ ରେଞ୍ଜର୍ସ ମଧ୍ୟ ଗୁଜୁରାଟର ଅଟାରୀ-ୱାଘା ଏବଂ ଭାରତ- ପାକିସ୍ତାନ ଆନ୍ତର୍ଜାତୀୟ ସୀମା ଏବଂ ରାଜସ୍ଥାନର ବାରମେର ସେକ୍ଟରରେ ପରସ୍ପର ମଧ୍ୟରେ ମିଠା ପ୍ୟାକେଟର ବିନିମୟ କରିଥିବା ଜାଣିବାକୁ ମିଳିଛି।
ଏହି ଉତ୍ସବକୁ ପାଳନ କରିବା ପାଇଁ ବିଏସଏଫ ଯବାନମାନେ ଗତକାଲି ରାତିରେ ଭାରତ-ବାଂଲାଦେଶ ଆନ୍ତର୍ଜାତୀୟ ସୀମାରେ ଥିବା ବର୍ଡର ଗାର୍ଡ ବାଂଲାଦେଶ (ବିଜିବି) ସହିତ ମିଠା ବିନିମୟ କରିଥିଲେ।
ଗୁଆହାଟି ଫ୍ରଣ୍ଟିୟର (ବିଏସଏଫ)ର ସରକାରୀ ହ୍ୟାଣ୍ଡେଲ ଟୁଇଟ୍ କରି କହିଛି, ଦୀପାବଳିର ଶୁଭ ଅବସରରେ ଏଫଟିଆରର ସୀମା ସୁରକ୍ଷା କର୍ମୀମାନେ ଭାରତ- ବାଂଲାଦେଶ ଆନ୍ତର୍ଜାତୀୟ ସୀମାରେ ବର୍ଡର ଗାର୍ଡ ବାଂଲାଦେଶ (ବିଜିବି) ସହିତ ମିଠା ପ୍ୟାକେଟର ବିନିମୟ କରିବା ସହ ପରସ୍ପରକୁ ଦୀପାବଳିର ଅଭିନନ୍ଦନ ଜଣାଇଥିଲେ।
ଉଲ୍ଲେଖଯୋଗ୍ୟ, ଇଦ୍, ହୋଲି, ଦୀପାବଳି ଭଳି ପ୍ରମୁଖ ପର୍ବପର୍ବାଣୀରେ ଭାରତ ଏବଂ ପାକିସ୍ତାନର ସେନା ଯବାନଙ୍କ ମଧ୍ୟରେ ମିଠା ବିନିମୟ କରିବାର ପରମ୍ପରା ରହିଛି।

Comments are closed.