‘ଅଷ୍ଟ୍ରେଲିଆ-ଭାରତ ଶିକ୍ଷା ଏବଂ ଦକ୍ଷତା ପରିଷଦ ବୈଠକ’ରେ ଯୋଗଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ
ଶିକ୍ଷା, ଦକ୍ଷତା ଓ ଗବେଷଣା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ତ୍ୱରିତ ହେବ - ଧର୍ମେନ୍ଦ୍ର ପ୍ରଧାନ
• ଏଆଇଇଏସସି ବୈଠକରେ ନିଷ୍ପତି ହୋଇଥିବା କାର୍ଯ୍ୟକୁ ଆଗେଇ ନେବା ପାଇଁ ସମ୍ମତି
• ଅଷ୍ଟ୍ରେଲିଆ-ଭାରତ ଶିକ୍ଷା ଏବଂ ଦକ୍ଷତା ପରିଷଦ ବୈଠକ ସ୍କୁଲ ଶିକ୍ଷା, ଦକ୍ଷତା ଏବଂ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଦ୍ୱିପାକ୍ଷିକ ଭାଗିଦାରୀକୁ ମଜଭୂତ୍ କରିବ
• ଭବିଷ୍ୟତକୁ ଦୃଷ୍ଟିରେ ରଖି ଶିକ୍ଷାର ଆବଶ୍ୟକତା, ଶିକ୍ଷା ଓ ଦକ୍ଷତା ମାଧ୍ୟମରେ ସ୍କିଲ ଦୂରତାକୁ ହ୍ରାସ କରିବା ଉପରେ ଗୁରୁତ୍ୱାରୋପ
• ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକ ମଧ୍ୟରେ ଗବେଷଣାକୁ ସୁଦୃଢ କରିବା ଉପରେ ବୈଠକରେ ଆଲୋଚନା
• ସିଡନୀର ‘ଅବର୍ଣ୍ଣ ଲଙ୍ଗ ଡେ ଚାଇଲ୍ଡ କେୟାର ସେଣ୍ଟର’ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ
• ଇନୋଭେଟିଭ୍ ରିସର୍ଚ୍ଚ ୟୁନିଭରସିଟିର ସଦସ୍ୟମାନଙ୍କ ସହ ସାକ୍ଷାତ୍
• ହିନ୍ଦୁ କାଉନସିଲ ଅଫ୍ ଅଷ୍ଟ୍ରେଲିଆ ପକ୍ଷରୁ ଆୟୋଜିତ ରାତ୍ରୀ ଭୋଜନରେ ହେଲେ ସାମିଲ
ସିଡନୀ, ଅକ୍ଟୋବର ୨୪ – ଅଷ୍ଟ୍ରେଲିଆ ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଆଜି ସିଡନୀ ଠାରେ ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀ ଜେସନ କ୍ଲେୟାର ଏବଂ ଦକ୍ଷତା ଓ ତାଲିମ ମନ୍ତ୍ରୀ ଏ. ଗିଲ୍ସଙ୍କ ସହ ‘ଦ୍ୱିତୀୟ ଅଷ୍ଟ୍ରେଲିଆ-ଭାରତ ଶିକ୍ଷା ଏବଂ ଦକ୍ଷତା ପରିଷଦ ବୈଠକ’ (ଏଆଇଇଏସସି)ରେ ଯୋଗଦେଇଛନ୍ତି । ଶିକ୍ଷା, ଦକ୍ଷତା ଓ ଗବେଷଣା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ତ୍ୱରିତ କରିବା ନେଇ ବୈଠକରେ ଫଳପ୍ରଦ ଆଲୋଚନା ହୋଇଛି ।
ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଅଷ୍ଟ୍ରେଲିଆ-ଭାରତ ଶିକ୍ଷା ଏବଂ ଦକ୍ଷତା ପରିଷଦ ବୈଠକ ଦୁଇ ଦେଶ ମଧ୍ୟରେ ଜ୍ଞାନ ବ୍ୟବସ୍ଥାକୁ ସୁଦୃଢ କରିବା, ଶିକ୍ଷା ଓ ଦକ୍ଷତା କ୍ଷେତ୍ରରେ ପାରସ୍ପରିକ ପ୍ରାଥମିକତାକୁ ଆଗକୁ ନେବା ତଥା ଏହି କ୍ଷେତ୍ରରେ ନୂତନ ଭିତ୍ତିଭୂମି ସୃଷ୍ଟି କରିବାର ଏକ ଭଲ ମାଧ୍ୟମ ହୋଇଛି । ଏହି ବୈଠକ ଉଭୟ ଅଷ୍ଟ୍ରେଲିଆ ଓ ଭାରତର ଉଜ୍ଜ୍ୱଳ ଭବିଷ୍ୟତର ପରିକଳ୍ପନାରେ ଏକ ପ୍ରମୁଖ ପ୍ଲାଟଫର୍ମ ଭାବେ ଉଭା ହୋଇଛି । ଶିକ୍ଷା ଏବଂ ଦକ୍ଷତା ଭାରତ ଓ ଅଷ୍ଟ୍ରେଲିଆର ଆର୍ଥିକ ସମୃଦ୍ଧିକୁ ମଜଭୂତ୍ କରିବ । ଉଭୟ ଦେଶର ଜନସାଧାରଣ ଏବଂ ଅନୁଷ୍ଠାନ ମଧ୍ୟରେ ସ୍ଥାୟୀ ସମ୍ପର୍କ ସ୍ଥାପନ ଦିଗରେ ଏହି ବୈଠକ ଏକ ଉତ୍ପେରକ ହେବ ।
ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀ ଏବଂ ଦକ୍ଷତା ଓ ତାଲିମ ମନ୍ତ୍ରୀ ଏଆଇଇଏସସି ବୈଠକରେ ନିଷ୍ପତି ହୋଇଥିବା କାର୍ଯ୍ୟକୁ ଆଗେଇ ନେବା ପାଇଁ ସମ୍ମତି ପ୍ରକାଶ କରିଥିଲେ । ଭବିଷ୍ୟତକୁ ଦୃଷ୍ଟିରେ ରଖି ଶିକ୍ଷାର ଆବଶ୍ୟକତା, ଶିକ୍ଷା ଓ ଦକ୍ଷତା ମାଧ୍ୟମରେ ସ୍କିଲ ଦୂରତାକୁ ହ୍ରାସ କରିବା ଏବଂ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକ ମଧ୍ୟରେ ଗବେଷଣାକୁ ସୁଦୃଢ କରିବା ଉପରେ ଆଲୋଚନା କରିଥିଲେ । ଏଆଇଇଏସସି ବୈଠକ ସ୍କୁଲ ଶିକ୍ଷା, ଦକ୍ଷତା ଏବଂ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଦ୍ୱିପାକ୍ଷିକ ଭାଗିଦାରୀକୁ ମଜଭୂତ୍ କରିବ । ଦୁଇ ଦେଶର ସମ୍ପର୍କକୁ ନିବିଡ କରିବା ଏବଂ ୨୦୨୫ରେ ଭାରତରେ ପରବର୍ତ୍ତୀ ଏଆଇଇଏସସି ବୈଠକର ଯୋଜନା କରିବା ପାଇଁ ଉଭୟ ମନ୍ତ୍ରୀଙ୍କ ସହ ଫଳପ୍ରଦ ଆଲୋଚନା ହୋଇଥିବା ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଏହି ଗସ୍ତ କାଳରେ ଇନୋଭେଟିଭ୍ ରିସର୍ଚ୍ଚ ୟୁନିଭରସିଟିର ସଦସ୍ୟମାନଙ୍କ ସହ ସାକ୍ଷାତ୍ କରିଥିଲେ । ସେ କହିଥିଲେ ଭାରତୀୟ ବିଶ୍ୱବିଦ୍ୟାଳୟ ଏବଂ ଅଷ୍ଟ୍ରେଲିଆର ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକ ଇନୋଭେସନ ରିସର୍ଚ୍ଚ ୟୁନିଭର୍ସିଟି ମଧ୍ୟରେ ସହଯୋଗୀ ଆଭିମୁଖ୍ୟ ଉପରେ ଭଲ ବୁଝାମଣା ହାସଲ କରିଛି । ଏହାବ୍ୟତିତ ଶ୍ରୀ ପ୍ରଧାନ ହିନ୍ଦୁ କାଉନସିଲ ଅଫ୍ ଅଷ୍ଟ୍ରେଲିଆ ପକ୍ଷରୁ ଆୟୋଜିତ ରାତ୍ରୀ ଭୋଜନରେ ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀ ଏବଂ ଦକ୍ଷତା ଓ ତାଲିମ ମନ୍ତ୍ରୀଙ୍କ ସହ ସାମିଲ ହୋଇଥିଲେ । ଅଷ୍ଟ୍ରେଲିଆରେ ଭାରତୀୟ ପାରମ୍ପରିକ ଜ୍ଞାନ ଓ ସଂସ୍କୃତିକୁ ବଞ୍ଚାଇ ରଖି ‘ବସୁଧୈବ କୁଟୁମ୍ବକମ୍’ର ବାର୍ତ୍ତା ପ୍ରଚାର କରିଥିବାରୁ ହିନ୍ଦୁ କାଉନସିଲ ଅଫ୍ ଅଷ୍ଟ୍ରେଲିଆର କାର୍ଯ୍ୟକୁ ଶ୍ରୀ ପ୍ରଧାନ ପ୍ରଶଂସା କରିଥିଲେ ।
ପ୍ରାରମ୍ଭିକ ଶିଶୁ ଶିକ୍ଷା କାର୍ଯ୍ୟବଳକୁ ଶିକ୍ଷିତ କରିବାରେ ଭାଗିଦାରୀର ସୁଯୋଗ ଅନ୍ୱେଷଣ ପାଇଁ ଶ୍ରୀ ପ୍ରଧାନ ସିଡନୀର ‘ଅବର୍ଣ୍ଣ ଲଙ୍ଗ ଡେ ଚାଇଲ୍ଡ କେୟାର ସେଣ୍ଟର’ ପରିଦର୍ଶନ କରିଥିଲେ ।