ଦିଲ୍ଲୀ ହିଂସା ଅଣାୟତ୍ତ: ଆଉ ୮ ମୃତ, ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି, ୨୦୦ ଆହତ ଦଙ୍ଗାକାରୀଙ୍କ କବ୍ଜାରେ ଉତ୍ତରପୂର୍ବ ଦିଲ୍ଲୀ, ଦେଖିବା ମାତ୍ରେ ଗୁଳି ନିର୍ଦ୍ଦେଶ
ନୂଆଦିଲ୍ଲୀ: ସିଏଏକୁ ନେଇ ଉତ୍ତର ପୂର୍ବ ଦିଲ୍ଲୀ ଆଜି ଦ୍ବିତୀୟ ଦିନ ଧରି ଅଶାନ୍ତ ରହିଛି। ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ସଂଘର୍ଷ ଯୋଗୁଁ ଆଜି ଆଉ ୮ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଫଳରେ ମୃତ୍ୟୁସଂଖ୍ୟା ୧୩ରେ ପହଂଚିଛି। ମୃତଙ୍କ ମଧ୍ୟରେ ଜଣେ ପୋଲିସ ଅଧିକାରୀ ରହିଛନ୍ତି। ଅଣାୟତ୍ତ ହୋଇପଡ଼ିଥିବା ଏହି ହିଂସାକାଣ୍ଡରେ ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ଦେହରେ ଗୁଳି ବାଜିଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି।ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବାରୁ ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦେଶ ଦିଆଯାଇଛି। ଜାଫରାବାଦ, ଚାନ୍ଦବାଗ, ମୌଜପୁର, ଭଜନପାରା, ଗୋକୁଲପୁରୀ, ଖଜୁରି ଏବଂ କରୱାଲ ନଗରରେ ପରିସ୍ଥିତି ଅଧିକ ଉତ୍ତେଜନାପୂର୍ଣ୍ଣ ରହିଛି।
ପୁଲିସ ଅସହାୟ, ସେନା ମୁତୟନ ହେବନାହିଁ
ଅମିତ ଶାହ ଡାକିଲେ ଉଚ୍ଚସ୍ତରୀୟ ବୈଠକ
ଦଙ୍ଗାଗ୍ରସ୍ତ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। ପୋଲିସ ଏବଂ ଅର୍ଧସାରିକ ବାହିନୀ ମୁତୟନ ସତ୍ତ୍ବେ ହିଂସା ଥମୁନି। ସମଗ୍ର ଅଞ୍ଚଳ ଦଙ୍ଗାକାରୀଙ୍କ କବ୍ଜାରେ ରହିଛି। ସେମାନଙ୍କ ଆକ୍ରମଣରୁ ସାମ୍ବାଦିକମାନେ ବି ବର୍ତି ପାରୁ ନାହାନ୍ତି। ଆଜି ତିନି ଜଣ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହୋଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସ୍ଥାନୀୟ ଲୋକମାେନ ଅଭିଯୋଗ କରିଛନ୍ତି ଯେ ଦଙ୍ଗାକାରୀ ହିଂସାକାଣ୍ଡ ଘଟାଇ ଚାଲିଥିବା ବେଳେ ପୋଲିସ ନିରବଦ୍ରଷ୍ଟା ରହିଛି। ଅନେକ ଅଞ୍ଚଳରେ ପୋଲିସ ଫୋର୍ସ ନାହାନ୍ତି। ଏହାର ସୁଯୋଗ ନେଇ ଦଙ୍ଗାକାରୀମାନେ ଲୋକମାନଙ୍କୁ ଆକ୍ରମଣ କରିବା ସହିତ ଘର ଓ ଦୋକାନରେ ନିଆଁ ଲଗାଇ ଦେଉଛନ୍ତି। ଏହି ମାମଲାରେ ବର୍ତମାନ ସୁଦ୍ଧା କାହାରିକୁ ଗିରଫ କରାଯାଇ ନାହିଁ। ଅନ୍ୟପକ୍ଷରେ ପୋଲିସ କହୁଛି େଯ ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ସେନାବାହିନୀକୁ ଡକାଯିବ ନାହିଁ ବୋଲି ପୋଲିସ ଅଧିକାରୀ କହିଛନ୍ତି। ତେଣେ ପରିସ୍ଥିିର ମୁକାବିଲା ଲାଗି ବରିଷ୍ଠ ଆଇପିଏସ୍ ଅଧିକାରୀ ଏସଏନ୍ ଶ୍ରୀବାସ୍ତବଙ୍କୁ ଦିଲ୍ଳୀ ପୋଲିସର ସ୍ବତନ୍ତ୍ର କମିସନର (ଆଇନ ଶୃଙ୍ଖଳା) ନିଯୁକ୍ତ କରାଯାଇଛି। ସେ ତତକ୍ଷଣାତ୍ ଦାୟିତ୍ବ ଗ୍ରହଣ କରିଛନ୍ତି। ଆସନ୍ତା ୨୯ ତାରିଖରେ ଅବସର ଗ୍ରହଣ କରୁଥିବା ଅମୂଲ୍ୟ ପଟ୍ଟନାୟକଙ୍କ ସ୍ଥାନରେ ସେ ନୂଆ ପୋଲିସ କମିସନର ଭାବେ ନିଯୁକ୍ତ ହୋଇପାରନ୍ତି ବୋଲି କୁହାଯାଉଛି। ଇତିମଧ୍ୟରେ ହିଂସାକୁ ନେଇ ଦିଲ୍ଲୀ ପୁଲିସ ଦ୍ବାରା ଗୃହ ମନ୍ତ୍ରାଳୟକୁ ରିପୋର୍ଟ ପ୍ରଦାନ କରାଯାଇଛି। ପର୍ଯ୍ୟାପ୍ତ ସୁରକ୍ଷା ବାହିନୀ ନଥିବାରୁ ଭିଡ଼ ଦ୍ବାରା ହୋଇଥିବା ହିଂସା ନିୟନ୍ତ୍ରଣ କରିବା ସମ୍ଭବ ହୋଇନଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଛି। ଦିଲ୍ଲୀ ପୁଲିସ କମିସନର ଅମୂଲ୍ୟ ପଟ୍ଟନାୟକ ଆଜି ଗୃହ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀଙ୍କ ସହିତ ବୈଠକରେ କହିଛନ୍ତି ଯେ ହିଂସା ଯେଭଳି ଅଚାନକ ବ୍ୟାପିଲା ତାହାକୁ ନିୟନ୍ତ୍ରଣ କରିବା ପାଇଁ ସେତେବେଳେ ପର୍ଯ୍ୟାପ୍ତ ପୁଲିସ କର୍ମୀ ସେଠାରେ ଉପସ୍ଥିତ ନଥିଲେ।
ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ସଂଘର୍ଷ ଘଟୁଥିବାରୁ କେନ୍ଦ୍ର ସରକାର ଏହାକୁ ଗମ୍ଭୀରତାର ସହ ନେଇଛନ୍ତି। ଗତକାଲି ଆନ୍ଦୋଳନକାରୀମାନେ ସୁରକ୍ଷା ବାହିନୀ ଉପରେ ପ୍ରବଳ ପଥର ମାଡ଼ କରିବା ସହ ଅନେକ ବାସଗୃହ, ଦୋକାନ ଏବଂ ପେଟ୍ରୋଲ ପମ୍ପ୍ରେ ନିଆଁ ଲଗାଇ ଦେଇଥିଲେ। ଦିଲ୍ଲୀରେ ତୁରନ୍ତ ହିଂସା ନିୟନ୍ତ୍ରଣ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗୁରୁତ୍ବାରୋପ କରିଛନ୍ତି। ଆଜି ମଧ୍ୟାହ୍ନରେ ଏ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଉପରାଜ୍ୟପାଳ ଅନୀଲ ବୈଜଲ, ଦିଲ୍ଲୀ ପୁଲିସ କମିସନର ଅମୂଲ୍ୟ ପଟ୍ଟନାୟକ, କଂଗ୍ରେସ ନେତା ସୁଭାଷ ଚୋପ୍ରା, ବିଜେପି ନେତା ମନୋଜ ତିୱାରୀ ଏବଂ ରାମବୀର ବିଧୁରି ମଧ୍ୟ ଉପସ୍ଥିତ ଥିଲେ। ପ୍ରଭାବିତ ଅଂଚଳରେ ଶାନ୍ତି ସୁନିଶ୍ଚିତ କରିବା ପାଇଁ ଆଜି ଅଧିକ ସଂଖ୍ୟାରେ ପୁଲିସ ବାହିନୀ ମୁତୟନ ହୋଇଛନ୍ତି। ହିଂସାକୁ ଉସୁକାଉଥିବା ଏବଂ ସୋସିଆଲ ମିଡିଆରେ ମିଥ୍ୟା ପ୍ରଚାର କରୁଥିବା ଲୋକଙ୍କ ଉପରେ କଡ଼ାନଜର ରଖିବାକୁ ସରକାର ଗୁରୁତ୍ବାରୋପ କରିଛନ୍ତି। ଶାହଙ୍କ ବୈଠକରେ ଗୃହ ସଚିବ ଅଜୟ ଭଲ୍ଲା ଏବଂ ଗୁଇନ୍ଦା ବ୍ୟୁରୋ ନିର୍ଦ୍ଦେଶକ ଅରବିନ୍ଦ କୁମାର ମଧ୍ୟ ଉପସ୍ଥିତ ଥିଲେ। ଆଜି ଓ କାଲି ଦିଲ୍ଲୀର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଏହି ସମୟରେ ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖାଯାଇଛି।