ନୀଳଗିରି : ନୀଳଗିରି ବ୍ଲକ ସଜନାଗଡ଼ ପଞ୍ଚାୟତରେ ଜଣେ ମୃତ ବ୍ୟକ୍ତିଙ୍କୁ ଜୀବିତ ବୋଲି ଦର୍ଶାଇ ଡ଼ିଲର ବା‚ାନିଧି ବାରିକ୍ ମାସ ମାସ ଧରି ତାଙ୍କ ନାମରେ ଆସୁଥିବା ରେସନ ସାମଗ୍ରୀ ହଡ଼ପ କରି ଚାଲିଥିବା ଘଟଣା ନଜରକୁ ଆସିବା ପରେ ଡ଼ିଲର ଶ୍ରୀ ବାରିକ୍ ତାଙ୍କର ଡିଲରସିପ୍କୁ ନୀଳଗିରି ଉପଜିଲ୍ଲାପାଳ ହରିଶ୍ଚନ୍ଦ୍ର ଜେନାଙ୍କ ନିକଟରେ ସମର୍ପଣ କରିଛନ୍ତି ।
ଉକ୍ତ ଘଟଣା ପରେ ପରେ ମଲା ଲୋକଙ୍କ ନାମରେ ଖାଉଟି କାର୍ଡ ଥିବା ବେଳେ କୋଭିଡ଼୍-୧୯ ପାଇଁ ସରକାର ପ୍ରତି କାର୍ଡଧାରୀଙ୍କୁ ୧ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଥିବା ବେଳେ ଏହି ଟଙ୍କା ମଧ୍ୟ ହଡ଼ପ ହୋଇଥିବା ଅଭିଯୋଗ ହୋଇଛି ।
ସୂଚନାଯୋଗ୍ୟ ନୀଳଗିରି ବ୍ଲକ ସଜନାଗଡ଼ ପଞ୍ଚାୟତ ପିଇଓ କୁମୁଦିନୀ ମହାକୁଡ଼ ଦାୟିତ୍ୱରେ ଥିବାବେଳେ ବ୍ଲକ କାର୍ଯ୍ୟାଳୟରୁ ପଞ୍ଚାୟତ କାର୍ଯ୍ୟାଳୟକୁ ୧୬ଲକ୍ଷ ୩୫ ହଜାର ଟଙ୍କା ଆସିଥିଲା । ମାତ୍ର ପିଇଓ କିଛି ମୃତବ୍ୟକ୍ତିଙ୍କ ନାମରେ ଥିବା କାର୍ଡରେ ଏହି ଟଙ୍କା ପ୍ରଦାନ କରିଥିବା ନୀଳଗିରି ବିଧାୟକ ସୁକାନ୍ତ ନାୟକ ଜାଣିବା ପରେ ବାଲେଶ୍ୱର ଜିଲ୍ଲାପାଳଙ୍କୁ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପତ୍ର ଲେଖିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ପଞ୍ଚାୟତ ପିଇଓ ଶ୍ରୀମତୀ ମହାକୁଡ଼ ଗତ ୧୨ ତାରିଖ ଦିନ ୧୬ଲକ୍ଷ ୩୨ ହଜାର ଟଙ୍କା ବାଣ୍ଟିଥିବାର କୋଷାଧ୍ୟକ୍ଷ ସୂଚନା ଦେଇଛନ୍ତି ।